ରିଆମାଳ: ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ଅନ୍ତର୍ଗତ ସଳପଘାଟିଠାରେ ସୋମବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ହରିହରପୁର ଗ୍ରାମର ଦୁଇସାଙ୍ଗ ବାଇକରେ ବୁଲିବାକୁ ଯାଇଥିବା ବେଳେ ସଳପଘାଟି ଛକଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ ମଳେହିପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ହରିହରପୁର ଗ୍ରାମର ଶ୍ରୀକର ସାହୁଙ୍କ ପୁତ୍ର ବୁଲୁ ସାହୁ (୩୦) ଓ ଶ୍ରଦ୍ଧାକର ବେହେରାଙ୍କର ପୁତ୍ର ଆନନ୍ଦ ବେହେରା (୨୫) ଦୁଇସାଙ୍ଗ ସକାଳ ୮ ଘଟିକା ସମୟରେ ଏକ ଏଚ.ଏଫ.ଡଲକ୍ସ ବାଇକ (ଗାଡ଼ି ନ-ଓଡି-୨୮-ଏ-୧୬୧୫)ରେ ବୁଲିବାକୁ ବାହାରିଥିଲେ। ଭାରସାମ୍ୟ ହରାଇ ସଳପଘାଟି ଛକଠାରେ ରାସ୍ତାକଡ଼ରେ ଥିବା ଛୋଟ ଖମ୍ବରେ ପିଟିହୋଇ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ବୁଲୁ ରାସ୍ତାର ୮ଫୁଟ ତଳକୁ ଖସିପଡ଼ି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆନନ୍ଦ ଗୁରୁତର ଆହତ ହୋଇଥିଲେ।

Advertisment

ଦୁର୍ଘଟଣାଟି ଘଟିବା ପରେ ସ୍ଥାନୀୟ ଲୋକମାନେ ୨ଜଣକୁ ଆମ୍ବୁଲାନ୍ସ ଯୋଗେ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସଞ୍ଜୟ କୁମାର ପାଣି ବୁଲୁକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଆନନ୍ଦକୁ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥଲେ। ମୃତକ ବୁଲୁ ଶବ ବ୍ୟବଚ୍ଛେଦ ପାଇଁ ଦେବଗଡ଼ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିବା ବେଳେ ଏହି ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।