ବାଲି ବୋଝେଇ ଟ୍ରକ୍ ଓ କଣ୍ଟେନର୍ ମୁହାଁମୁହିଁ ଧକ୍କା, କଣ୍ଟେନର୍ ଡ୍ରାଇଭର୍ ମୃତ

ସୋର: ଆଜି ସକାଳେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୋର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୧୬ରେ ଥିବା ବାରିକପୁର ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ଟ୍ରକ୍‌ ବାଲେଶ୍ବରରୁ ସୋର ଅଭିମୁଖେ ଯାଉଥିବା ବେଳେ ଅପରପଟୁ ଏକ କଣ୍ଟେନର୍ ବାଲେଶ୍ୱର ଆଡ଼କୁ ଯାଉଥିଲା। ଉଭୟ ଗାଡ଼ି ଦ୍ରୁତ ଗତିରେ ଯାଉଥିବା ବେଳେ ବାରିକପୁର ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ସକାଳ୭ଟା ସମୟରେ ଏହି ଧକ୍କା ହୋଇଥିଲା। ଏଥିରେ କଣ୍ଟେନର ଡ୍ରାଇଭରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତେବେ ତାଙ୍କର ପରିଚୟ ଜଣାପଡ଼ି ନାହିଁ।
ଏହି ଦୁର୍ଘଟଣାରେ ଟ୍ରକ୍‌ରେ ଥିବା ଡ୍ରାଇଭର୍ ଓ ହେଲପର୍ ମଧ୍ୟ ଗୁରୁତର ହୋଇଥିଲେ। ଉଭୟଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ କଣ୍ଟେନର ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିବାରୁ ପ୍ରାୟ ଘଣ୍ଟାଏ ଉଦ୍ୟମ ପରେ ପୁଲିସ୍‌ ମୃତଦେହକୁ ଉଦ୍ଧାର କରିଥିଲା । ତେବେ ମୃତ କଣ୍ଟେନର୍ ଡ୍ରାଇଭରଙ୍କର ପରିଚୟ ଜଣାପଡ଼ି ନାହିଁ। ଏହି ଦୁର୍ଘଟଣା ଯୋଗୁ କିଛି ସମୟ ପାଇଁ ଉଭୟ ପଟୁ ଗାଡ଼ି ଯାତାୟତ ବନ୍ଦ ହୋଇଯାଇଥିଲା।
ସୋର ପୁଲିସ ଉଭୟ ବାଲି ବୋଝେଇ ଟ୍ରକ୍ ଓ କଣ୍ଟେନରକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର