ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହେବାରେ ଲାଗିଛି। ଲୋକଙ୍କ ବେପାରୁଆ ଗାଡ଼ି ଚାଳନା, ଟ୍ରାଫିକ ସଚେତନତା ଅଭାବ, ବିପଦସଂକୁଳ ରାସ୍ତାଘାଟ ପାଇଁ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା ବୋଲି ମତ ପ୍ରକାଶ ପାଉଛି। ଗତ ୩ ବର୍ଷ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଂଚଳରେ ୮୨୩ଟି ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩୬୯ରୁ ଅଧିକ ଲୋକ ମୃତାହତ ହେବା ସହ ଗୁରୁତର ଭାବେ ଆହତ ହୋଇଛନ୍ତି। ଜିଲ୍ଲା ଟ୍ରାଫିକ ପୁଲିସ ତରଫରୁ ୬ଟି ଜାଗାକୁ ଦୁର୍ଘଟଣାର ବ୍ଲକ୍‌ସ୍ପଟ ଭାବେ ଚିହ୍ନଟ କରାଯାଇଛି। ଏନେଇ ଜିଲ୍ଲାର ସମ୍ବେଦନଶୀଳ ଜାଗାଗୁଡ଼ିକରେ ଟ୍ରାଫିକ ପୋଷ୍ଟ କରିବା ସହ ସ୍ୱତନ୍ତ୍ର ଟ୍ରାଫିକ ଥାନା ମାନ ସ୍ଥାପନ କରିବାକୁ ଦାବି ହୋଇଛି।

Advertisment

ପ୍ରକାଶ ଯେ, ଜିଲ୍ଲାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ବିପର୍ଯ୍ୟସ୍ତ ଟ୍ରାଫିକ ସେବା ସାଙ୍ଗକୁ ବେପାରୁଆ ଗାଡ଼ି ଚାଳନା ଜିଲ୍ଲାରେ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି। ତା ସାଙ୍ଗକୁ ବିପର୍ଯ୍ୟସ୍ତ ବିପଦସଂକୁଳ ସଡ଼କ ସେବା ମଧ୍ୟ ଅନ୍ୟ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାରେ ୮୨୩ଟିରୁ ଅଧିକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨୦୧୮ ମସିହାରୁ ଆଜି ଯାଏ ୩୬୯ରୁ ଅଧିକ ଲୋକ ମୃତାହତ ଓ ଗୁରୁତର ଭାବେ ଆହତ ହୋଇଛନ୍ତି। ସବୁ ଦୁର୍ଘଟଣାର ପ୍ରମୁଖ କାରଣ ଦ୍ରୁତ ଓ ବେପାରୁଆ ଗାଡ଼ି ଚାଳନା, ବିନା ହେଲମେଟ ସିଟ ବେଲ୍ଟରେ ଗାଡ଼ି ଚାଳନା, ଅନ୍ୟମନସ୍କ ବୋଲି ରିପୋର୍ଟ ହସ୍ତଗତ ହୋଇଛି। ତେବେ ଗତ ୩ ବର୍ଷ ମଧ୍ୟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମଧ୍ୟରୁ ୨୦ ଫେବ୍ରୁଆରି ୨୦୧୮ ତାରିଖରେ ଧର୍ମଗଡ଼ ଥାନା କାଲୋପଲା ବସ୍‌ଷ୍ଟପ ନିକଟରେ ବସ୍‌ ଏବଂ ପିକଅପ ଦୁର୍ଘଟଣା ଅତି ଲୋମହର୍ଷଣକାରୀ ହୋଇଥିଲା। ଏହି ଦୁର୍ଘଟଣାରେ ୨ ଜଣ ମୃତ୍ୟୁବରଣ କରିଥିଲେ ଓ ୮ ଜଣ ଗୁରୁତର ଆହତ ହୋଇଥିଲେ। ୨୦ ଜୁନ ୨୦୧୮ରେ କେସିଙ୍ଗା ଥାନା ଚାଂଚେର ଠାରେ ଏକ ବସ୍‌ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ୨୧ ଅଗଷ୍ଟ ୨୦୧୮ରେ ମଦନପୁର ରାମପୁର ଥାନା କୁସୁର୍ଲା ନିକଟ ଏନଏଚ-୫୯ ଠାରେ ଏକ ହାଇବା ଟ୍ରକ୍‌ ସାଇକଲ ଆରୋହୀଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ସାଇକଲ ଆରୋହୀଙ୍କ ମୃତଦେହ ସାଉଁଟିବା ମୁସ୍କିଲ ହୋଇ ପଡ଼ିଥିଲା। ୪ ଜାନୁଆରି ୨୦୧୯ରେ ଅନ୍ୟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା ଭବାନୀପାଟଣା ସଦର ଥାନା କାମଠଣା ନିକଟରେ। ଏହି ଦୁର୍ଘଟଣାରେ ୨ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ୫ ମାର୍ଚ୍ଚ ୨୦୧୯ରେ ଥୁଆମୂଳ ରାମପୁର ଥାନା ସାଇସୁର୍‌ନୀ ନିକଟରେ ଏକ ଅଟୋ ଓଲଟିପଡ଼ିବା ଫଳରେ ଜଣକର ମୃତ୍ୟୁ ଘଟିଥିଲା ଓ ଅନ୍ୟ ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ୨୯ଏପ୍ରିଲ ୨୦୧୯ରେ କେସିଙ୍ଗା ଥାନା ଏନଏଚ-୨୬ ଠାରେ ଏକ ବସ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ଜଣେ ମୃତ୍ୟୁବରଣ କରିଥିଲେ ଓ ୫ ଜଣ ଗୁରୁତର ଆହତ ହୋଇଥିଲେ। ୮ମେ ୨୦୧୯ରେ ଭବାନୀପାଟଣା ଥାନା ତୁର୍କେଲ ବ୍ରିଜ ନିକଟରେ ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ତେଲ ନଦୀ ବ୍ରିଜ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଉଭୟ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।

୧୯ ମାର୍ଚ୍ଚ ୨୦୨୦ ଜୁନାଗଡ଼ ଥାନା ଭତ୍ରାଜୋର ବ୍ରିଜ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ୧୯ ଅକ୍ଟୋବର ୨୦୨୦ରେ ଗୋଲାମୁଣ୍ଡା ଥାନା ବୃନ୍ଦାବାହାଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଆହତ ହୋଇଥିଲେ। ୩୧ ଜାନୁଆରି ୨୦୨୧ରେ କୋକସରା ଥାନା ଟେମ୍‌ରା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଦୁଇ ଗାଡ଼ି ମୁହାଁମୁହିଁ ଧକ୍କା ଯୋଗୁଁ ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଚଳିତ ମାସ ୪ ତାରିଖ ଗୁରୁବାର ଦିନ ଗୋଲାମୁଣ୍ଡା ଥାନା ଡୁଙ୍ଗୁରିଗୁଡ଼ାଠାରେ ବାଇକ ଓ ବସ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି।

ଏଭଳି ଭାବେ କଳାହାଣ୍ଡି ଜିଲ୍ଲାରେ ସଡ଼କ ଦୁର୍ଘଟଣା ବେଲଗାମ ହୋଇ ପଡ଼ିଥିବା ବେଳେ ଏବେ ଜିଲ୍ଲା ଟ୍ରାଫିକ ପୁଲିସ ଦୁର୍ଘଟଣା କେନ୍ଦ୍ରସ୍ଥଳ ଚିହ୍ନଟ କରିବାରେ ବ୍ୟସ୍ତ। ଦୈବୀ ଦୁର୍ବିପାକ ଓ ଦୁର୍ଘଟଣା କେବେ କାହାକୁ ପୂର୍ବ ସୂଚନା ଦେଇ ଆସେ ନାହିଁ। ଏଣୁ ଏଥିରୁ ବଞ୍ଚିବାକୁ ହେଲେ ସୂଚନା, ସାବଧାନତା, ସଚେତନତା, ଯତ୍ନବାନ, ସୁରକ୍ଷିତ ରହିବା ହିଁ ପ୍ରକୃତ ବୁଦ୍ଧିମତ୍ତା। ଏଦିଗରେ ବର୍ତ୍ତମାନ ଜିଲ୍ଲାର ୬ଟି ଜାଗାକୁ ଆକ୍ସିଡେଣ୍ଟ ବ୍ଲାକ୍‌ସ୍ପଟ ଭାବରେ ଚିହ୍ନଟ କରାଯାଇଛି। କେସିଙ୍ଗା ଥାନା ବୋରିଙ୍ଗପଦର ଠାରୁ ଚିଚିର୍ଲା, ଜୟପାଟଣା ଥାନା ବାନେର ଠାରୁ ଦୁଲକୀବନ୍ଧ, ଭବାନୀପାଟଣା ସଦର ଥାନା ସିନେପ୍ଲେକ୍ସ ଠାରୁ କାମଠଣା, ଦେପୁର ଛକଠାରୁ ଛତିକୁଡ଼ା ବଙ୍ଗଳା ପର୍ଯ୍ୟନ୍ତ ଓ ଆମପାଣି ଘାଟି ସ୍ଥାନ ପାଇଛି। ଏହି ସବୁ ଜାଗାଗୁଡ଼ିକରେ ସଡ଼କ ସୁରକ୍ଷା ସୂଚନା ଫଳକ, ଟ୍ରାଫିକ ସଂକେତ ଫଳକ ଓ ରାସ୍ତା ପ୍ରଶସ୍ତୀକରଣ ସହ ମରାମତି କାର୍ଯ୍ୟ ସବୁ କରିବା ପାଇଁ ପିଡବ୍ଲୁଡି ଓ ଏନଏଚ ବିଭାଗକୁ ପ୍ରସ୍ତାବ ଦିଆ ଯାଇଥିବା ଜଣା ପଡ଼ିଛି। ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଉଛି। ଏଥିରେ ସୁଧାର ଆଣିବା ସହିତ ଟ୍ରାଫିକ ପୋଷ୍ଟ ଓ ସ୍ୱତନ୍ତ୍ର ଟ୍ରାଫିକ ଥାନା ମାନ ସ୍ଥାପନ କରିବାକୁ ଦାବି ହେଉଛି।