କରଞ୍ଜିଆ/କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରୁ ୩ କିମି ଦୂର ସିଙ୍ଗଡ଼ା ନିକଟସ୍ଥ କରଞ୍ଜିଆ-ଖିଚିଂ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁଇଟି ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଭଳି ଦୁଃଖଦ ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଆଜି ଅପରାହ୍ଣ ପ୍ରାୟ ୩ଟା ସମୟରେ ରରୁଆଁ ଥାନା ବାରିଆ ପଞ୍ଚାୟତ କୁଦସାହି ଗାଁର ମାଟାରାମ ଗାଗରାଇ(୬୦), ଗହ୍ମାସାହିର ରଜତ କୁମାର ଚାତାର (୨୬) ଓ ଶିବପ୍ରସାଦ ଜେରାଇ (୨୮) ଏକ ସ୍କୁଟି (ନଂ. ଓଡି୧୧ଏଏ-୫୬୦୫)ରେ କଚେରି କାମ ପାଇଁ କରଞ୍ଜିଆ ଆସୁଥିଲେ। ଦୁର୍ଗା କନ୍ଷ୍ଟ୍ରକ୍ସନ କ୍ୟାମ୍ପ ମହାଦେବଶାଳ ନିକଟରେ ବିପରୀତ ଦିଗରୁ ସ୍କୁଟି (ନଂ. ଓଡି୧୧ଏଡି ୬୪୫୭)ରେ ଆସୁଥିବା ଜଣେ ଯୁବକ ଏକ ବୋଲେରୋକୁ ଅତିକ୍ରମ କରିବା ସମୟରେ ସେମାନଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସମସ୍ତେ ଏଣେତେଣେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ମାଟାରାମ, ରଜତ ଓ ଅପରିଚିତ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା। ସେହିପରି, ଶିବପ୍ରସାଦ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ପିକ୍ଅପ୍ ଭ୍ୟାନ୍ରେ ସମସ୍ତଙ୍କୁ କରଞ୍ଜିଆ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲା ବେଳେ ଶିବପ୍ରସାଦ ଚିକିତ୍ସିତ ହେଉଛନ୍ତି। ପୁଲିସ ଉଭୟ ସ୍କୁଟିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।
ବୀରମିତ୍ରପୁର/ରାଉରକେଲା/କୁଆରମୁଣ୍ଡା: ପ୍ରସିଦ୍ଧ ବେଦବ୍ୟାସ ମେଳା ବୁଲି ଘରକୁ ଫେରି ପାରିଲେନି ତିନି ବନ୍ଧୁ। ଘରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ଥିବାବେଳେ ଗାଡ଼ି ଧକ୍କାରେ ଚାଲିଗଲା ସମସ୍ତଙ୍କ ଜୀବନ। ଶନିବାର ରାତି ପ୍ରାୟ ସାଢ଼େ ୧୧ଟାରେ ବୀରମିତ୍ରପୁର ୧୪୩ ନଂବର ଜାତୀୟ ରାଜପଥର ଦମଦାପଡ଼ା ନର୍ସରି ନିକଟରେ ଅଜଣା ଗାଡ଼ି ଧକ୍କାରେ ତିନି ବନ୍ଧୁଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ପଞ୍ଚାୟତ ବରାଵାସ ଘାସିଟୋଲିର ଦିଲୀପ ସମାସୀ (୨୮) ଓ ସହରେଇ ଲାକ୍ରା (୨୯) ଏବଂ ନୂଆଗାଁ ବ୍ଲକ୍ କରଡେଙ୍ଗା ପଞ୍ଚାୟତ ତୁରିଟୋଲି ବସ୍ତିର ଅଞ୍ଜଳି କୁସୁମ (୨୬)। ବ୍ୟବଚ୍ଛେଦ ପରେ ବୀରମିତ୍ରପୁର ପୁଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ଏହି ଦୁଃଖଦ ଘଟଣାକୁ ନେଇ ବୀରମିତ୍ରପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ମିଳିଥିବା ସୂଚନା ମୁତାବକ ମୃତ ୨ ଯୁବକ ଓ ଯୁବତୀ ଦିନ ମଜୁରିଆ ଭାବେ କାମ କରନ୍ତି। ଶନିବାର ଦିନ ସେମାନେ ଏକକାଳୀନ ୬ ଦିନର ମଜୁରି ପାଇଥିଲେ। ଘରେ ପହଞ୍ଚିବା ପରେ ତିନିବନ୍ଧୁ ସନ୍ଧ୍ୟାରେ ବେଦବ୍ୟାସ ମେଳା ବୁଲିବାକୁ ଗୋଟିଏ ବାଇକ୍ରେ ବାହାରିଥିଲେ। ମେଳା ବୁଲିବା ପରେ ରାତି ପ୍ରାୟ ୧୧ଟାରେ ବେଦବ୍ୟାସରୁ ଘରକୁ ଫେରୁଥିଲେ। ଏହି ସମୟରେ ବୀରମିତ୍ରପୁର ଦାମଦାପଡ଼ା ନର୍ସରି ନିକଟରେ ସମ୍ମୁଖରୁ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦିଲୀପ ଏବଂ ସହରେଇଙ୍କ ମୃତ୍ୟୁ ହୋଇଥିବା ବେଳେ ଅଞ୍ଜଳିଙ୍କର ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ ମୃତ୍ୟୁ ହୋଇଥିଲା। ଧକ୍କା ଦେଇଥିବା ଗାଡ଼ିଟି ଘଟଣାସ୍ଥଳରୁ ପଳାଇଯିବା ସମୟରେ ସ୍ଥାନୀୟ ଲୋକେ ପିଛା କରିଥିଲେ। ହେଲେ ଗାଡ଼ିକୁ ଧରି ପାରି ନଥିଲେ। କୁଆରମୁଣ୍ଡାରେ ୧୪୩ ନଂ ଜାତୀୟ ରାଜପଥର ବାଇପାସ୍ ରାସ୍ତା କରାଯାଇଛି। ଜାଗା ବିବାଦରୁ ଆଜି ପର୍ଯ୍ୟନ୍ତ ବୀରମିତ୍ରପୁରରେ ବାଇପାସ୍ ରାସ୍ତା ହୋଇପାରିନି। ଫଳରେ ବୀରମିତ୍ରପୁରରେ ଦୁର୍ଘଟଣା ବୃଦ୍ଧି ପାଇବା ସହ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି।