ଦୁର୍ଘଟଣା ନେଲା ୭ ଜୀବନ: ଟାଟା ମ୍ୟାଜିକ୍‌-ଟ୍ରକ୍‌ ମୁହାଁମୁହିଁ, ୫ ମୃତ

ଭ୍ୟାନ୍‌ ଓଲଟି ୨ ମୃତ

ଝାରସୁଗୁଡ଼ା: ଝାରସୁୁଗୁଡ଼ା ଓ କଳାହାଣ୍ଡି ଜିଲ୍ଳାରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୪୫ ଜଣ ଗୁରୁତର ହୋଇଛନ୍ତି। ଝାରସୁଗୁଡ଼ାରେ ୫ ଜଣ ଏବଂ କଳାହାଣ୍ଡି ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଜାତୀୟ ରାଜପଥ-୪୯ର ଝାରସୁଗୁଡ଼ା ଜୁନିଏନ୍‌ ଛକରେ ରବିବାର ସକାଳେ ଏକ କୋଇଲା ବୋଝେଇ ଟ୍ରକ୍‌ ଏବଂ ଯାତ୍ରୀବାହୀ ଟାଟା ମ୍ୟାଜିକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ଜଣ ଯାତ୍ରୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଅନ୍ୟ ୯ଜଣ ଗୁରୁତର ହୋଇଛନ୍ତି। ଅଧିକାଂଶଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମୃତକଙ୍କ ମଧ୍ୟରେ ଟାଟା ମ୍ୟାଜିକ୍‌ ଚାଳକ ଓ ତିନିଜଣ ମହିଳା ଅଛନ୍ତି। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଛାଡ଼ି ଚାଳକ ଫେରାର ହୋଇଯାଇଛି।

ଆଜି ସକାଳେ ଝାରୁପଡ଼ାର ଥଣ୍ଡାରାମ ସତନାମୀ ତାଙ୍କ ଟାଟା ମ୍ୟାଜିକ୍‌ (ଓଡି ୧୫ ବି ୧୭୨୭) ଗାଡ଼ିରେ ପଞ୍ଚଗାଁରୁ ଯାତ୍ରୀ ନେଇ ଝାରସୁଗୁଡ଼ା ଯାଉଥିଲେ। ସକାଳ ପ୍ରାୟ ୧୦ଟା ସମୟରେ ଜୁନିଏନ୍‌ ଛକରେ ବିପରୀତ ଦିଗରୁ ଏକ କୋଇଲା ବୋଝେଇ ଟ୍ରକ୍‌ (ଓଡି ୨୩ ଏଚ୍‌ ୩୧୫୬) ଡାହାଣ ପାର୍ଶ୍ୱକୁ ମାଡ଼ି ଯାଇ ଜୋର୍‌ରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଖବର ଲେଖାହେବା ଯାଏଁ ଏହି ଘଟଣାର ଆଉ ୯ ଜଣ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ସଦର ଡାକ୍ତରଖାନା ସମେତ ଝାରସୁଗୁଡ଼ା ଓ ସମ୍ବଲପୁର ସହରର ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକମାନେ ହେଲେ ମଚିଦାର କଳ୍ପନା ମେହେର (୨୬), କନଡିହିର ଭୁବନେଶ୍ୱର ଭଇଁଷାଲ (୭୧) ଓ ଉର୍ମିଳା ରାଉତ (୫୦), ରେଙ୍ଗାଲିର ଉମା ପ୍ରଧାନ (୫୦), ଝାରୁପଡ଼ାର ଥଣ୍ଡାରାମ ସତନାମୀ (୫୫)। ଏମାନେ ସମସ୍ତେ ରେଙ୍ଗାଲି ଥାନା ଅଞ୍ଚଳର।

ଭବାନୀପାଟଣା/ ଗୋଲାମୁଣ୍ଡା: ସ୍ଥାନୀୟ ଦଶପୁର ଫାଣ୍ଡି ଅନ୍ତର୍ଗତ ​ଡୋକରିପଡ଼ା ଛକରେ ସଂଧ୍ୟାରେ କୃଷି ଶ୍ରମିକଙ୍କୁ ନେଇ ଯାଉଥିବା ବୋଲେରୋ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ପଡ଼ିଥିଲା। ଏଥିରେ ୨ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ଗୁରୁତର ହୋଇଛନ୍ତି। ଜୁନାଗଡ଼ ବ୍ଲକ୍‌ ମିଚାଗାଁର ୪୦ରୁ ଅଧିକ ପୁରୁଷ ଓ ମହିଳା ଶ୍ରମିକ ଗୋଲାମୁଣ୍ଡା ବ୍ଲକ୍‌ ବୋରଗୁଡ଼ା ଗ୍ରାମକୁ ଚାଷ କାମ କରିବା ପାଇଁ ଯାଇଥିଲେ। ସଂଧ୍ୟାରେ ଏକ ବୋଲେରୋ ପିକ୍‌ଅପ୍‌ ଭ୍ୟାନ୍‌ରେ ନିଜ ଗାଁକୁ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ୭ଟାରେ ଗାଡ଼ିଟି ଡୋକରିପଡ଼ା ଛକଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ଶ୍ରମିକମାନେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜୁନାଗଡ଼ ଓ ଧର୍ମଗଡ଼ ଡାକ୍ତରଖାନାକୁ ପଠାଇଥିଲେ। ଜୁନାଗଡ଼ ଡାକ୍ତରଖାନାରେ ମଞ୍ଜୁଲତା ବିଶ୍ୱାଳ (୩୦) ଓ ଧର୍ମଗଡ଼ ଡାକ୍ତରଖାନାରେ ମୋହନ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରାତି ୯.୩୦ମି. ପର୍ଯ୍ୟନ୍ତ ଭବାନୀପାଟଣା ଡାକ୍ତରଖାନାକୁ ୩୩ ଜଣଙ୍କୁ ଅଣାଯାଇଛି।

ସମ୍ବନ୍ଧିତ ଖବର