କାମାକ୍ଷାନଗର/ବରଗଡ଼/ସୋର: ପୃଥକ୍ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ଜୀବନଦୀପ ଲିଭିଯାଇଛି। ଶୁକ୍ରବାର ପୂର୍ବାହ୍ଣ ୧୦ଟା ୩୦ରେ ଢେଙ୍କାନାଳଜିଲ୍ଲା କାମାକ୍ଷାନଗର ସହରକୁ ପ୍ରବେଶ ପୂର୍ବରୁ ଥିବା ମାଳପୁରା ଫ୍ଲାଏଓଭରରେ ଭୟଙ୍କର ଦୁର୍ଘଟଣା ଘଟି ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଯିବା ସହ ୪ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ସେହିପରି ବରଗଡ଼ରେ ୩ ଜଣ ଯୁବକ ଏବଂ ବାଲେଶ୍ବର ସୋରରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଭାବଗ୍ରାହୀ କାରୁଆଁ (୩୦) ଯାଜପୁର ଜିଲ୍ଲା କାଳିଆପାଣିଠାରେ ଥିବା ଇମ୍ଫା କାରଖାନାରେ କାମ କରନ୍ତି। ଆଜି ଏକ ବାଇକ୍ ଯୋଗେ ଭାବଗ୍ରାହୀ ସ୍ତ୍ରୀ, ଝିଅ ଓ ଶଳାଙ୍କ ଝିଅ (ଝିଆରୀ)ଙ୍କୁ ନେଇ ମାର୍କେଟିଂ କରିବା ପାଇଁ କାମାକ୍ଷାନଗର ଆସୁଥିଲେ। କିନ୍ତୁ ୫୩ ନମ୍ବର ଜାତୀୟ ରାଜପଥର ମାଳପୁରା ଓଭରବ୍ରିଜ୍ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଭାବଗ୍ରାହୀ ଓ ତାଙ୍କ ଝିଅ ଗୀତାଞ୍ଜଳି କାରୁଆଁ (୮), ଝିଆରୀ ନାଣ୍ଡି କାରୁଆଁ (୬)ଙ୍କ ମୃତ୍ୟୁ ହୋଇଥିଲା। ସ୍ତ୍ରୀ ଜାନକୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଖବର ପାଇ ପରିବାର ଲୋକେ କାମାକ୍ଷାନଗର ମେଡିକାଲରେ ପହଞ୍ଚି ଶବ ଚିହ୍ନଟ କରିଥିବା ବେଳେ କାନ୍ଦବୋବାଳିରେ ପରିବେଶ ଫାଟି ପଡ଼ିଥିଲା। ଭଉଣୀ କବିତା କାରୁଆଁ ନିଜର କୋହ ସମ୍ଭାଳି ପାରୁନାହାନ୍ତି। ଘଟଣାସ୍ଥଳରେ କାମାକ୍ଷାନଗର ଏସ୍ଡିପିଓ ରଜନୀକାନ୍ତ ସାମଲ, ତହସିଲଦାର ଶୁଭଙ୍କର ମହାନ୍ତି, ଥାନା ଅଧିକାରୀ ଆଶିଷ ଜେନା ପହଞ୍ଚିଥିଲେ। କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଡାକ୍ତରଖାନାରେ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିବା ସହିତ ସରକାରୀ ସହାୟତା ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସାହାଯ୍ୟ ସହଯୋଗ କରାଯିବ କହିବା ସହିତ ଉପସ୍ଥିତ ଥିବା ପୁଲିସ ଅଧିକାରୀଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଏହି ଘଟଣାକୁ ନେଇ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପର୍ଜଙ୍ଗ ବିଧାୟକ ବିଭୂତି ପ୍ରଧାନ, ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା ଗଭୀର ଶୋକ ପ୍ରକାଶ କରିଛନ୍ତି। ରେଡକ୍ରସ୍ରୁ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି।
ସେହିପରି ବରଗଡ଼ ସହର ବାଇପାସ୍ ଜାତୀୟ ରାଜପଥ-୫୩ରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେଥିରେ ଥିବା ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବରଗଡ଼ ସହରର ସୌରଭ ଅଗ୍ରୱାଲ (୨୬), ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବୈଦୁପାଲି ଗ୍ରାମର ଲୁରିଏନ୍ସ ଦିଶିରି (୨୮) ଓ କଟକ ବିଦ୍ୟାଧରପୁରର ଜ୍ଞାନପ୍ରକାଶ ସାହୁ (୪୦)। ପୁଲିସର ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ଗୋଟାଏ ବେଳେ ଏକ କାର୍ (ଓଡି୧୭ପି-୮୪୭୮) ପ୍ରଥମେ ଚାରିଥାକିଆ ବାଇପାସ୍ ରାସ୍ତାର ଡିଭାଇଡର୍ରେ ଖୁବ୍ ଜୋର୍ରେ ପିଟି ହୋଇଥିଲା। ପରେ ଗାଡ଼ିଟି ବୁଲିଯାଇ ରାସ୍ତାକଡ଼ରେ ଲାଗିଥିବା ଲୁହା ଗାର୍ଡୱାଲ୍କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ସୌରଭ ଓ ଲୁରିଏନ୍ସ ପ୍ରାଣ ହରାଇଥିଲେ। ଗୁରୁତର ଅବସ୍ଥାରେ ଜ୍ଞାନପ୍ରକାଶଙ୍କୁ ଉଦ୍ଧାର କରି ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେମାନେ ସମସ୍ତେ ମିଶି ସମ୍ବଲପୁର ଯାଉଥିଲେ ବୋଲି ବରଗଡ଼ ଟାଉନ୍ ଥାନାଧିକାରୀ କହିଛନ୍ତି। ବରଗଡ଼ରେ ସୌରଭଙ୍କର ଏସିଏନ୍ ପେଣ୍ଟ ରଙ୍ଗ ଦୋକାନ ରହିଥିବା ବେଳେ ଲୁରିଏନ୍ସ ତାଙ୍କ ସହ ମିଶି କାମ କରୁଥିଲେ। ଉକ୍ତ ରଙ୍ଗ କମ୍ପାନିର ଏରିଆ ମ୍ୟାନେଜର ଜ୍ଞାନପ୍ରକାଶ କଟକରୁ ଆସି ଏକ ହୋଟେଲରେ ଥିଲେ। ରାତିରେ ସମସ୍ତେ ମିଶି ସମ୍ବଲପୁର ବାହାରିଥିବା ବେଳେ ରାସ୍ତାରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଲେଶ୍ବର ଜିଲ୍ଲା ସୋର ନିକଟରେ ବାଇକ୍ ଦୁର୍ଘଟଣା ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଭଦ୍ରକ ରାଣୀତାଲ ଅଞ୍ଚଳର ଲଡ୍ର ମୁର୍ମୁ (୨୫)। ଲଡ୍ର ଓ ମକରନ୍ଦ ସୋରେନ୍ (୩୫) (ଓଡି୧୧ଏଏଚ୍-୪୦୭୧) ବାଇକ୍ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଲରେ ପିଟି ହୋଇ ଯାଇଥିଲେ।