କୋରାପୁଟ/ସୁନାବେଡ଼ା/ସାହାରପଡ଼ା/ବୈଶିଙ୍ଗା/ବରପାଲି/ଓଡ଼ଗାଁ: ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୯ଜଣଙ୍କ ଜୀବନ ଯାଇଛି। କୋରାପୁଟଜିଲ୍ଲା ସୁନାବେଡ଼ା ହାଲ୍ ଛକରେ ଗତକାଲି ବିଳମ୍ବିତ ରାତିରେ ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ବିଶାଖାପାଟଣାରେ ଚିକିତ୍ସିତ ହେଉଛନ୍ତି। ଏହାବ୍ୟତୀତ ୪ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସେମିଳିଗୁଡ଼ାରୁ ମାରୁତି ଏସ୍-ପ୍ରେସୋ କାର (ଓଡି-୧୦ଏସ୍- ୫୬୩୪)ରେ ସୁନାବେଡ଼ା ଏଇଏଫ୍ କଲୋନିର ଆଶୁତୋଷ ରଣା, ଡିପି କ୍ୟାମ୍ପର ଦିବ୍ୟରଂଜନ ପାତ୍ର, ଗଞ୍ଜାମ କଲୋନିର ବିକାଶ ପାତ୍ର ଓ କୈଳାସ ହରିଜନ ସୁନାବେଡ଼ା ଅଭିମୁଖେ ଆସୁଥିଲେ। ସେହିପରି କୋରାପୁଟରୁ ଟାଟା ସଫାରି (ଓଡି-୧୦ଜେଡ୍- ୫୩୩୨)ରେ ମାଥାଲପୁଟ ଅଞ୍ଚଳର ଦଂପତି ଏବଂ ତାଙ୍କ ଦୁଇ ସନ୍ତାନ ଦାମନଯୋଡ଼ି ଅଭିମୁଖେ ଯାଉଥିଲେ। ସୁନାବେଡ଼ା ଟିଟିଏସ୍ ଫାଟକ ନିକଟରେ ତଥା ୨୬ ନମ୍ବର ଜାତୀୟ ରାଜପଥରେ ଉଭୟ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ଘଟଣାସ୍ଥଳରେ ଆଶୁତୋଷ ରଣା (୨୪)ଙ୍କ ମୃତ୍ୟୁ ହୋଇଥିଲା। କୋରାପୁଟ ବଡ଼ ମେଡିକାଲ ନେବା ରାସ୍ତାରେ ଦିବ୍ୟରଞ୍ଜନ ପାତ୍ର (୨୪)ଙ୍କ ମୃତ୍ୟୁ ହୋଇଥିଲା। ବଡ଼ ମେଡିକାଲରେ ପହଞ୍ଚିବା ପରେ ବିକାଶ ପାତ୍ର (୨୬)ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କୈଳାସ ହରିଜନ ଏବଂ ସଫାରି କାର୍ ଡ୍ରାଇଭର ଦାମୋଦର ସ୍ବାଇଁ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ କୋରାପୁଟ ବଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେହିପରି ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦୁଝର ଜିଲ୍ଲା ସାହାରପଡ଼ା ଏଚ୍ପି ପେଟ୍ରୋଲ ପମ୍ପ ନିକଟରେ ଆଜି ଅପରାହ୍ଣରେ ଟ୍ରେଲର୍ ପଛରେ ଏକ ବାଇକ୍ ଧକ୍କା ହେବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଉଦୟପୁର ଗ୍ରାମ ଜଗାନାଳୀ ସାହିର ମୁନା ମହାନ୍ତ (୩୫) ଓ ଅଣ୍ଡ ମୁଣ୍ଡା (୩୨)। ଉଭୟ ଏକ ବାଇକ୍ରେ ସାହାରପଡ଼ା ହାଟରୁ ଫେରିବା ବେଳେ ପମ୍ପରେ ପେଟ୍ରୋଲ ପକାଇ ମୁଖ୍ୟରାସ୍ତାକୁ ଆସୁଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ବାଇକ୍ଟି ଟ୍ରେଲର୍ ପଛରେ ଧକ୍କା ହୋଇଥିଲା। ପ୍ରାକ୍ତନ ଅଧ୍ୟାପକ ତଥା ମୟୂରଭଞ୍ଜ ବିଜେଡିର ଟାଣୁଆ ନେତ୍ରୀ ଛବି ମାହାଲିଙ୍କ ସ୍ୱାମୀ ରାଜଦୀପ ପଟ୍ଟନାୟକ (୪୫) ରବିବାର ଭୋର୍ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ରାଜଦୀପଙ୍କ ବନ୍ଧୁ ଅଜୟ ନାଏକ ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନମ୍ବର ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ୍ଗେଟ୍ର ୩ ନମ୍ବର ବୁଥ୍ରେ (ଓଡି-୧୧-ଏମ୍-୬୭୧୬) ନମ୍ବର ବିଶିଷ୍ଟ କାର୍ ପିଟି ହେବାରୁ କାର୍ର ସମ୍ମୁଖଭାଗ ଚୂର୍ମାର ହୋଇ ଯାଇଥିବା ବେଳେ ଭାଗ୍ୟକୁ ଟୋଲ୍ଗେଟ୍ ଭିତରେ ବସିଥିବା କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଥିଲେ। ବରଗଡ଼ - ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥରର ବରପାଲି ନିକଟରେ କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ବରପାଲି ବ୍ଲକ୍ ରେମତା ପଞ୍ଚାୟତ କୃଷକପଲ୍ଲୀ ଗାଁର ସଞ୍ଜୟ ଭୋଇ(୩୧)। ଶନିବାର ରାତିରେ ବରପାଲି ବ୍ଲକ୍ ରେମତା ପଞ୍ଚାୟତର କୃଷକପଲ୍ଲୀ ଗାଁର ସଞ୍ଜୟ ଭୋଇ ଓ ମହିନ ଭୋଇ (୩୦) ଏକ ବାଇକ୍ (ଓଡି ୧୭ ଏନ୍ ୪୫୮୬)ରେ ଯାଉଥିଲେ। ଏହି ସମୟରେ କଦଳୀପାଲି ପେଟ୍ରୋଲ ପମ୍ପ ନିକଟରେ ବିପରୀତ ଦିଗରୁ ଆସୁଥିବା କାର୍ (ଓଡି ୦୩ ଡି- ୯୦୬୦) ସହ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା।
ଆଜି ଶରଣକୁଳ ଥାନା ଅଞ୍ଚଳରେ ଏକ ଅଟୋକୁ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେବାରୁ ଦୁଇଜଣ କାଉଡ଼ିଆ କଟରାଝରି ଗ୍ରାମର କେଦାର ସ୍ବାଇଁଙ୍କ ଝିଅ ପୂଜା ସ୍ବାଇଁ (୨୩) ଓ ବିଟଳଗାଡିଆ ଗ୍ରାମର ରମା ଦାସ (୪୫)ଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା-ଭଞ୍ଜନଗର ୨୧ ନଂ ରାଜ୍ୟ ରାଜପଥର କଲ୍ୟାଣପୁର ଛକ ନିକଟରେ ଭୋର୍ ୩ଟା ୨୦ ମିନିଟ୍ ସମୟରେ ବୋଲବମ୍ ଭକ୍ତଙ୍କୁ ଧରି ଏକ ଅଟୋ (ଓଡି ୨୫ଜି ୧୧୬୫) ଶରଣକୁଳସ୍ଥିତ ଲଡୁବାବାଙ୍କ ମନ୍ଦିରକୁ ଆସୁଥିବା ସମୟରେ ଓଡ଼ଗାଁରୁ ନୟାଗଡ଼ ଅଭିମୁଖେ ଏକ ପରିବା ବୋଝେଇ ପିକ୍ଅପ୍ ଭ୍ୟାନ ଯାଉଥିଲା। କଲ୍ୟାଣପୁର ଛକ ନିକଟରେ ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋଟି ଓଲଟି ପଡ଼ିଥିଲା। ନୟାଗଡ଼ ଡାକ୍ତରଖାନାରେ କଟରାଝରୀ ଗ୍ରାମର କେଦାର ସ୍ବାଇଁଙ୍କ ଝିଅ ପୂଜା ସ୍ବାଇଁ (୨୩)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅବଶିଷ୍ଟ ଛଅ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ବିଟଳଗାଡ଼ିଆ ଗ୍ରାମର ରମା ଦାସ (୪୫)ଙ୍କ ମୃତ୍ୟୁ ହୋଇଛି। ଗୁରୁତର ଆହତ ୫ ଜଣ ହେଲେ ଖୋର୍ଦ୍ଧା ଜିଲ୍ଲା ସ୍ବପ୍ନେଶ୍ୱର ଗ୍ରାମର ଗୀତାଞ୍ଜଳି ସୁନ୍ଦରାୟ(୩୦), କଟକ ନରସିଂହପୁରର ରିଙ୍କୁ ଗୁରୁ(୨୫), ଶରଣକୁଳ ବଡ଼ଦେଶ ହରିପୁର ଗ୍ରାମର ଝରଣା ପ୍ରଧାନ (୪୫) ଓ ଦୀପକ କୁମାର ପ୍ରଧାନ(୨୧), ଶରଣକୁଳ ଥାନା ବରସାହି ସିଙ୍ଗାପୁରର ସହିଲି ପ୍ରଧାନ (୧୦) ଓ ପାଣିପୋଇଲା ଗ୍ରାମର ଅଟୋ ଚାଳକ ବୁବୁନା ପଢ଼ିଆରୀ।