ଝାରସୁଗୁଡ଼ା: ବିପଦସଂକୁଳ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନା ରାସ୍ତାରେ ଶୁକ୍ରବାର ପୁଣି ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କଲେଜ ଛାତ୍ରୀ ଲିଜା ଧୁରୁଆ(୧୬)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ସବୁଦିନ ପରି ଶୁକ୍ରବାର ସକାଳେ ଲିଜା ତାଙ୍କ ସାଇକେଲରେ ଅର୍ଡା କଲେଜକୁ ବାହାରିଥିଲେ। ମାତ୍ର ଘରୁ ଅଳ୍ପ ଦୂର ଯାଇ ରାସ୍ତା ଉପରକୁ ଉଠୁଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇହ୍ରା (ଓଡି ୨୩ଇ ୩୪୭୦) ତାଙ୍କ ସାଇକଲକୁ ଧକ୍କା ଦେଇ ଦେହ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃ୍ତ୍ୟୁ ଘଟିଥିଲା। ମୃତ ଛାତ୍ରୀ ଅର୍ଡା କଲେଜରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ। ଜଣେ ଗରିବ ପରିବାରର ଏହି ଛାତ୍ରୀଙ୍କ ପିତା ଶନିଚର ଧୁରୁଆ ଅସୁସ୍ଥ ଥିବା ବେଳେ ତାଙ୍କ ମା’ ଉଷା ଧୁରୁଆ ମଜୁରି କରି ଚଳୁଥିଲେ।
ଲିଜା ମଧ୍ୟ ମଜୁରି କରିବା ସହିତ କଲେଜରେ ପଢ଼ୁଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଦୀର୍ଘ ସମୟ ରାସ୍ତା ଅବରୋଧ କରି ୧୦ ଲକ୍ଷ ଟଙ୍କା ସହାୟତା ଦାବି କରିବା ସହିତ ଏହି ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ କରିବା ସହିତ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ହାଜର କରିବାକୁ ଅଡ଼ି ବସିଥିଲେ। ପୁଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିଥିଲେ। ମୁଖ୍ୟ ଡାକ୍ତରଖାନାକୁ ଯାଇଥିବା ଏହି ରାସ୍ତା ଦୀର୍ଘ ୫ ବର୍ଷ ହେଲା ନିର୍ମାଣ ଚାଲିଥିବା ବେଳେ ଏହା ବିପଦ ସଂକୁଳ ହୋଇ ପଡ଼ିଛି। ରାତ୍ର ସମୟରେ ଅନ୍ଧାର ରହୁଥିବା ଏହି ରାସ୍ତାରେ ୨୪ ଘଣ୍ଟା ଅହରହ ଭାରୀଯାନ ଯାତାୟତ କରିଥାଏ। ଫଳରେ ଡାକ୍ତରଖାନା ଯାଉଥିବା ଡାକ୍ତର, କର୍ମଚାରୀ, ରୋଗୀ ଓ ତାଙ୍କ ସହଯୋଗୀ ପ୍ରମାଦ ଗଣୁଥିବା ବେଳେ ପ୍ରଶାସନ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନଥିବା ଜଣାଯାଇଛି। ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଅନେକ ଜୀବନ ଦୀପ ଲିଭାଇ ଦେଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f-1.jpg)