ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ସମ୍ମୁଖରେ ଗତ ୨୫ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଭୟାବହ ବସ୍ ଦୁର୍ଘଟଣା ପରେ ଫେରାର୍‌ ହୋଇଯାଇଥିବା ଓଏସ୍‌ଆର୍‌ଟିସି ବସ୍ ଚାଳକ ମାନସ ପ୍ରଧାନଙ୍କୁ ଦିଗପହଣ୍ଡି ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି।
ରବିବାର ବିଳମ୍ବିତ ରାତିରେ କନ୍ୟାଯାତ୍ରୀଙ୍କୁ ନେଇ ମିନିବସ୍‌ଟି ବ୍ରହ୍ମପୁରରୁ ସାନଖେମୁଣ୍ଡି ବ୍ଲକ୍ ଖଣ୍ଡଦେଉଳି ଗ୍ରାମକୁ ଆସୁଥିବା ବେଳେ ଓଏସ୍‌ଆର୍‌ଟିସି ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ୧୦ ଜଣ ଗୁରୁତର ହୋଇଥିଲେ।

Advertisment

ଦୁର୍ଘଟଣା ପରେ ଓଏସ୍‌ଆର୍‌ଟିସି ବସ୍‌ ଚାଳକ ମାନସ ସେଠାରୁ ଏକ ବସ୍ ଯୋଗେ ଭୁବନେଶ୍ୱର ଫେରାର ହୋଇଯାଇଥିଲେ। ମାନସଙ୍କୁ ଭୁବନେଶ୍ୱର ପୁଲିସ ସହାୟତାରେ ଦିଗପହଣ୍ଡି ପୁଲିସ ବରମୁଣ୍ଡା ଅଞ୍ଚଳରୁ ଗିରଫ କରି ଗତକାଲି ରାତିରେ ଥାନାକୁ ଆଣିଥିଲେ। ଗତକାଲି ମାନସଙ୍କୁ ଦୁର୍ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା। କେସ୍ ନମ୍ବର ୨୩୨ ଅନୁସାରେ ମାମଲା ରୁଜୁ ସହ ମାନସଙ୍କୁ କୋର୍ଟଚାଲାଣ କରାଯାଇଛି। ଚାଳକଙ୍କ ଆଖି ଲାଗିଯିବାରୁ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଚିକିଟି ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ ଦିଗପହଣ୍ଡି ଥାନାଧିକାରୀ ଦିପ୍ତୀରଞ୍ଜନ ବେହେରା ଘଟଣାର ତଦନ୍ତ ଚଳାଇଛନ୍ତି।