ମୋହନା: ଗଜପତି ଜିଲ୍ଲା ମୋହନା ଥାନା ବନ୍ଧାଗୁଡ଼ା ଗ୍ରାମରେ ଥିବା ଏକ କ୍ରସର୍‌ରେ ପଥର ବ୍ଲାଷ୍ଟିଂ ବେଳେ ସେଠାରେ ଶ୍ରମିକ ଭାବେ କାମ କରୁଥିବା ମାମୁ ଓ ଭଣଜାଙ୍କ ଜୀବନ ଯାଇଛି। ମୃତକ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଝାରେଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହାକ ଓ ମଧୂରଚୁଆ ଗ୍ରାମର ବିଷ୍ଣୁପ୍ରସାଦ ନାହାକ। ଖବର ପାଇ ମୋହନା ତହସିଲଦାର ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି। ତେବେ ସନ୍ଧ୍ୟା ସୁଦ୍ଧା ଶବ ପଥର ତଳୁ ଉଦ୍ଧାର ହୋଇପାରିନାହିଁ।

Advertisment

ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ କ୍ରସ୍‌ର ନିକଟରେ ଥିବା ପଥର କ୍ବାରିରେ ବ୍ଲାଷ୍ଟିଂ ଚାଲିଥିଲା। ଉଭୟ ମାମୁ ଓ ଭଣଜା ଏକ ବଡ଼ପଥର ପଛପଟେ ବସି ବ୍ଲାଷ୍ଟିଂ ପରିଚାଳନା କରୁଥିବା ବେଳେ ଏକ ବିଶାଳ ପଥର ଖଣ୍ଡ ଫାଟି ଉଭୟଙ୍କ ଉପରେ ପଡ଼ିଥିଲା। ପାହାଡ଼ ଉପରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଉଭୟ ପଥର ତଳେ ଚାପି ହୋଇଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ତହସିଲଦାର, ଥାନା ଅଧିକାରୀ, ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏମାନଙ୍କୁ ମାଡ଼ି ବସିଥିବା ପଥରଟି ବିରାଟକାୟ ହୋଇଥିବାରୁ ମୃତଦେହ ଉଦ୍ଧାର କରିବା ପ୍ରଶାସନ ପାଇଁ କଷ୍ଟକର ହୋଇଛି। ଏହାକୁ ପୁନର୍ବାର ବ୍ଲାଷ୍ଟିଂ କରି ଶବ ଦୁଇଟି ବାହାର କରାଯିବ ବୋଲି କୁହାଯାଉଛି। ଉଭୟ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି କ୍ଷତି ପୂରଣ ଲାଗି ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ୍‌ ପାଣ୍ଠିରୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।