ଗାଡ଼ି ଧକ୍କାରେ ବାପା ସହ ୨ ପୁଅ ମୃତ

ଖୋର୍ଦ୍ଧା: ଆଜି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଥାନା ଅନ୍ତର୍ଗତ ଗଡ଼ଖୋର୍ଦ୍ଧା ଛକ ନିକରେ ଏକ ଅଜଣା ଗାଡ଼ି ଧକ୍କାରେ ବାପ ଓ ଦୁଇ ପୁଅଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ପ୍ରାୟ ଅଧଘଣ୍ଟା ଧରି ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ହୋଇ ଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢ଼େ ୧୧ଟା ବେଳେ ମଳିପଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ପାତାଳସିଂହ ନିଜର ଦୁଇ ପୁଅ ସଞ୍ଜୟ ପାତାଳସିଂହ ଓ ବିକ୍ରମ ପାତାଳସିଂହଙ୍କ ସହିତ ଏକ ମୋଟରସାଇକେଲ ଯୋଗେ ଭୁବନେଶ୍ବରରୁ ଗାଁକୁ ଫେରୁଥିଲେ। ଏହି ସମୟରେ ଏକ ଅଜଣା ହାଇୱା ଗାଡ଼ି ସେମାନଙ୍କୁ ପଛପଟୁ ଧକ୍କା ଦେଇ ପଳାଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ କୃଷ୍ଣଚନ୍ଦ୍ର ପାତାଳସିଂହଙ୍କର ମୃତ୍ୟୁ ଘଟିଥିବାବେଳେ ସଞ୍ଜୟ ଓ ବିକ୍ରମଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ଏହି ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପୁଲିସ ଖୋର୍ଦ୍ଧା ଡାକ୍ତରଖାନରେ ପହଞ୍ଚି ମୃତଦେହର ପଞ୍ଚନାମା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର