ସଡ଼କ ଦୁର୍ଘଟଣାରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ

କୋଲାବିରା: ୪୯ ନମ୍ବର ଜାତୀୟ ରାଜପଥର ଝାରସୁଗୁଡ଼ା ଜିଲ୍ଲା କୁମଢ଼ାପାଲି ନିକଟ ଆନନ୍ଦ ସମୃଦ୍ଧି ବିଦ୍ୟାପୀଠ ସମ୍ମୁଖରେ ମଙ୍ଗଳବାର ସଡ଼କ ଦୁର୍ଘଟଣା ଘଟି କୋଲାବିରା ବ୍ଳକ୍‌ ପରମାଣପୁର ପଞ୍ଚାୟତର ପୂର୍ବ ସରପଞ୍ଚ ଫାଲଗୁନୀ ପଟେଲଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ଫାଲ୍‌ଗୁନୀ ମଙ୍ଗଳବାର ସକାଳେ ନିଜ ଗାଁ ଶିରିଆପାଲିରୁ ବାଇକ (ଓଡି ୨୩ଇ-୨୩୦୨) ଯୋଗେ ଝାରସୁଗୁଡ଼ା ଯାଉଥିବା ବେଳେ ସାମ୍‌ନାରୁ ଆସୁଥିବା ଏକ କାର୍‌ (ଓଡି ୨୩ଏଚ୍‌-୯୩୭୬) ତାଙ୍କୁ ଧକ୍କା ଦେଇଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଝାରସୁଗୁଡା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବା ପରେ ଶିରିଆପାଲି ସମେତ ଆଖପାଖ ଅଞ୍ଚଳର ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ୪ ଘଣ୍ଟାରୁ ଅଧିକ ସମୟ ରାସ୍ତା ଅବରୋଧ ଫଳରେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା। ଖବର ପାଇ ଝାରସୁଗୁଡ଼ା ବିଡିଓ ପ୍ରସନ୍ନ ପାଣ୍ଡେ ମାଜିଷ୍ଟ୍ରେଟ ଭାବେ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ଏକ ୪ ଜଣିଆ ପ୍ରତିନିଧି ଦଳ ସହ ଏସ୍‌ଡିପିଓ ନିର୍ମଳ ମହାପାତ୍ରଙ୍କ କାର୍ଯାଳୟରେ ସମାଧାନ ହେବା ପରେ ରାସ୍ତାରୋକ ହଟିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଘଟଣା ସ୍ଥଳରେ କୋଲାବିରା, ଝାରସୁଗୁଡ଼ା, ଲଇକେରା ଓ ବଡ଼ମାଳ ଥାନାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର