କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ବାଲେଶ୍ବର ଆଲଏଜ୍ କମ୍ପାନି ଅଧୀନ କାଳିଆପାଣି ଇସ୍ପାତ କ୍ରୋମାଇଟ୍ ଖଣିରେ ଆଜି ସଂଧ୍ୟା ସମୟରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କମ୍ପାନିର ଖଣି ଅଧିକାରୀ ବିମଳ ବିହାରୀ ଦାସ ଓରଫ ମିଟା(୪୫)ଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ସେ ଖଣି ପରିସରସ୍ଥ ବାରାକ୍ରେ ଅବସ୍ଥାନ କରୁଥିଲେ।
ଆଜି ଖଣିରେ କାର୍ଯ୍ୟରତ ଅଧିକାରୀମାନେ ବକେୟା ବେତନ ଦାବିରେ ଆନ୍ଦୋଳନ ଜାରି ରଖିଥିଲେ। କିନ୍ତୁ ଖଣିରେ ଜେନେରେଟର ସ୍ଥାପନ ଭଳି ଏକ ଜରୁରି କାମ ପାଇଁ ଖଣି ପ୍ରବନ୍ଧକ ବିମଳଙ୍କୁ ଘଟଣାସ୍ଥଳକୁ ଡାକି ନେଇଥିଲେ। ଉକ୍ତ ଜେନେରେଟର ଥିବା ୧୫ ଟନ୍ ଓଜନ ବିଶିଷ୍ଟ କଣ୍ଟେନରକୁ ଏକ ହାଇଡ୍ରା ସହାୟତାରେ ଉଠାଇ ଖଣି ଭିତରକୁ ଟେକି ନେବା ପ୍ରୟାସ କରାଯାଉଥିବା ବେଳେ ଏହା ଭାରସାମ୍ୟ ହରାଇ ବିମଳଙ୍କ ଉପରେ ଓଲଟି ପଡ଼ିଥିଲା। ମ୍ୟାନ୍ ପାର୍କିଂ ସଂଲଗ୍ନ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ସମସ୍ତ ସୁରକ୍ଷା ସରଞ୍ଜାମ ପିନ୍ଧିଥିବା ସତ୍ତ୍ବେ ବିମଳ ମୃତ୍ୟୁ ଫାଶରୁ ମୁକୁଳି ପାରି ନଥିଲେ।ଏହାକୁ ନେଇ ସହକର୍ମୀ ଓ ଖଣି କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା। ପୁଲିସ୍ ଓ ଶ୍ରମିକ ସଂଘ ହସ୍ତକ୍ଷେପ ପରେ ଘଟଣାସ୍ଥଳରେ ଶହଶହ କର୍ମଚାରୀଙ୍କ ଉପସ୍ଥିତିରେ ସମାଧାନ ଉଦ୍ୟମ ହୋଇଥିଲା। ଥାନା ଅଧିକାରୀ ରମାକାନ୍ତ ମୁଦୁଲି, ଖଣିର କାର୍ଯ୍ୟ ନିର୍ବାହୀ ନିର୍ଦେଶକ(ଇଡି) ନଗେନ୍ଦ୍ର କୁମାର, ଉପସଭାପତି ତାରିଣୀ ପ୍ରସାଦ ମହାନ୍ତି, ଶ୍ରମିକସଂଘ ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ଧୀର, ଯୁଗ୍ମ ସାଧାରଣ ସଂପାଦକ ଭରତ ଚନ୍ଦ୍ର ମହାନ୍ତ, ଅଫିସର ପ୍ରତିନିଧି ରମାକାନ୍ତ ମହାନ୍ତ, କର୍ମଚାରୀ ପ୍ରତିନିଧି ବଳରାମ ଦାସ, ବିଶ୍ବଜିତ ମହାନ୍ତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅର୍ଥରାଶି କ୍ଷତିପୂରଣ ଓ ତାଙ୍କର ଜଣେ ଉତ୍ତରାଧିକାରୀଙ୍କୁ ଯୋଗ୍ୟତା ଆଧାରରେ ବିଭାଗୀୟ ନିଯୁକ୍ତି ଦିଆଯିବା ସହ କାର୍ଯ୍ୟରତ ସମସ୍ତ ଖଣି ଅଧିକାରୀଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା ପାଇଁ ସହମତି ପରେ ମିଳିତ ରାଜିନାମା ସ୍ବାକ୍ଷରିତ ହୋଇଥିଲା। ଆନ୍ଦୋଳନ ସତ୍ତ୍ବେ ତାଙ୍କୁ କର୍ମକ୍ଷେତ୍ରକୁ ଡାକି ନେଇଥିବା ଖଣିର ସହକାରୀ ମହାପ୍ରବନ୍ଧକ ଇଂ ଅମରନାଥ ଧରଙ୍କୁ ତୁରନ୍ତ ଖଣିରୁ ବହିଷ୍କାର ପାଇଁ ନିଷ୍ପତି ହୋଇଥିଲା।