କୋଭିଡ୍‌ ଚିକିତ୍ସାଳୟରେ ଦୁର୍ଘଟଣା: ଅକ୍ସିଜେନ୍‌ ଫ୍ଲୋ ମିଟର ଫାଟି କର୍ମଚାରୀ ଗୁରୁତର

ପୁରୀ : ଚିକିତ୍ସା ବିଭାଗର ପରିଚାଳନାଗତ ତ୍ରୁଟି ପାଇଁ ଆଜି କୋଭିଡ୍‌ ଡାକ୍ତରଖାନାରେ ଅକ୍ସିଜେନ୍‌ ସିଲିଣ୍ଡରରେ ବିସ୍ଫୋରଣ ଘଟି ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟରେ ଓ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଆଖିରେ ଗଭୀର କ୍ଷତ ହୋଇଥିବା ଜଣାପଡ଼ିଛି।

ଖବର ନେବାରେ ଜଣାପଡ଼ିଛି ଯେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଗଙ୍ଗାରାମ ନୂଆସାହିର ସୁରେନ୍ଦ୍ର ପ୍ରଧାନଙ୍କ ପୁଅ ଦେବେନ୍ଦ୍ର ପ୍ରଧାନ(୨୭) ଆଟେଣ୍ଡାଣ୍ଟ ଭାବେ ଆଇଡିଏଚ୍‌ କୋଭିଡ୍‌ ଚିକିତ୍ସାଳୟରେ ଡିଉଟି କରୁଥିଲେ। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ଜଣେ କରୋନା ସଂକ୍ରମିତଙ୍କୁ ଅକ୍ସିଜେନ୍‌ ଦେବାର ଆବଶ୍ୟକତା ପଡ଼ିବାରୁ ଡ୍ୟୁଟିରେ ଥିବା ନର୍ସ, ଫାର୍ମାସିଷ୍ଟ୍‌ ଏବଂ ସ୍ବାସ୍ଥ୍ୟକର୍ମୀମାନେ ଅକ୍ସିଜେନ୍‌ ଲଗାଇବାକୁ ଦେବେନ୍ଦ୍ରଙ୍କୁ କହିଥିଲେ। କର୍ତ୍ତବ୍ୟ ଦୃଷ୍ଟିରୁ ଦେବେନ୍ଦ୍ର ଏହି ଅକ୍ସିଜେନ୍‌ଟିକୁ ନେଇ ରୋଗୀଙ୍କୁ ଲଗାଇବା ବେଳେ ହଠାତ ଏଥିରେ ଥିବା ଫ୍ଲୋ ମିଟରଟି ଫାଟି ଯାଇଥିଲା। ଫଳରେ ଏହା ଦେବେନ୍ଦ୍ରଙ୍କର ଆଖିରେ ବାଜିଥିଲା। ଫଳରେ ତାଙ୍କ ଆଖିରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଏଠାରେ ତାଙ୍କୁ ଆଶୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଯାଇଥିଲା। ତେଣୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଆଟେଣ୍ଡାଣ୍ଟ୍‌ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ଅଭିଯୋଗ କରିଛନ୍ତି, ‘ ଅକ୍ସିଜେନ୍‌ ରୋଗୀଙ୍କ ସେବାରେ ଲଗାଇବା ଆମ କାର୍ଯ୍ୟ ନୁହେଁ। ଉପରିସ୍ଥ ଅଧିକାରୀମାନେ ଆମମାନଙ୍କୁ ଜୋର ଜବରଦସ୍ତ ଏହା କରିବାକୁ ବାଧ୍ୟ କରୁଛନ୍ତି। ଫଳରେ ଆମମାନଙ୍କ ଜୀବନ ବିପଦକୁ ଯାଉଛି।’ ଅପରପକ୍ଷେ ଦେବେନ୍ଦ୍ରଙ୍କ ଆଖିକୁ ନେଇ ଏବେ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି।

ସମ୍ବନ୍ଧିତ ଖବର