କଟକ-ପାରାଦୀପ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା : ଆଇନଜୀବୀ ମୃତ, ଚାଳକ ଗୁରୁତର

କ୍ଷତିପୂରଣ ଦାବିରେ ଓକିଲ ସଂଘର ରାସ୍ତାରୋକ

କୁଜଙ୍ଗ : କଟକ-ପାରାଦୀପ ରାସ୍ତାରେ ଆଜି ପୁଣି ଏକ ଦୁର୍ଘଟଣା ଘଟିଛି। ଏକ ହାଇଓ୍ଵା ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଆଇନଜୀବୀ ପ୍ରାଣ ହରାଇଛନ୍ତି। ତାଙ୍କ ଗାଡ଼ିର ଚାଳକ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣାର ପ୍ରତିବାଦ ସହ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଓକିଲ ସଂଘ ରାଜପଥ ଅବରୋଧ କରିଥିଲେ। ଫଳରେ, ୨ ଘଣ୍ଟା ଧରି କଟକ-ପାରାଦୀପ ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

ମୃତ ଆଇନଜୀବୀ ହେଲେ କୁଜଙ୍ଗ ବ୍ଳକ୍‌ ସାଇଲୋ ପଞ୍ଚାୟତ ଛୋଟବର ଗ୍ରାମର ସନ୍ତୋଷ କୁମାର ସାହୁ(୫୦)। ଆଜି ଦିନ ସାଢ଼େବାରଟା ସମୟରେ ଶ୍ରୀ ସାହୁ ନିଜର ସ୍ୱିଫ୍ଟ ଡିଜାୟାର୍‌ କାର(ଓଡ଼ି-୩୩ଏଲ୯୦୭୯)ରେ କଟକ ଯାଉଥିଲେ। ସନ୍ତରାଠାରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ହାଇଓ୍ଵା (ଓଡ଼ି-୦୫ଜେଡ଼-୭୭୯୨) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ, ଶ୍ରୀ ସାହୁ ଏବଂ କାର୍‌ର ଚାଳକ ରବୀନ୍ଦ୍ର କୁମାର ସ୍ୱାଇଁ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ତୁରନ୍ତ ସ୍ଥାନୀୟ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଇଜନୀବୀ ଶ୍ରୀ ସାହୁଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ଗୁରୁତର ଆହତ ରବୀନ୍ଦ୍ରଙ୍କୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିଲେ। ରବୀନ୍ଦ୍ରଙ୍କ ଆଖି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟାଇଥିବା ହାଇୱାର ଚାଳକ ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ଏହି ଘଟଣାର ପ୍ରତିବାଦରେ କୁଜଙ୍ଗ ଓକିଲ ସଂଘ ପକ୍ଷରୁ କଟକ-ପାରାଦୀପ ରାଜପଥକୁ ୨ ଘଣ୍ଟା ଧରି ଅବରୋଧ କରାଯାଇଥିଲା। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ସକାଳ ୬ରୁ ସନ୍ଧ୍ୟା ଛଅଟା ଯାଏ ଭାରୀଯାନ ଚଳାଚଳ ବନ୍ଦ ପ୍ରଭୃତି ପାଞ୍ଚ ଦଫା ଦାବି ନେଇ ଆନ୍ଦୋଳନ କରିଥିଲେ।

ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଏସ୍‌ଡିିପିଓ ଶିବଚରଣ ମଲ୍ଲିକ, କୁଜଙ୍ଗ ତହସିଲଦାର ବାସୁଦେବ ଶତପଥୀ, ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁପ୍ରସାଦ ମିଶ୍ର, କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଘଟଣାସ୍ଥଳକୁ ଆସି ଆନ୍ଦୋଳନରତ ଆଇନଜୀବୀଙ୍କ ସହିତ ଆଲୋଚନା କରିଥିଲେ । ଏହିସବୁ ଦାବିକୁ ଗୁରୁତ୍ୱର ସହିତ ବିଚାର କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ପ୍ରଦାନ କରିବା ପରେ ରାସ୍ତାରୋକ ପ୍ରତ୍ୟାହାର କରାଯାଇଥିଲା। କୁଜଙ୍ଗ ଓକିଲ ସଂଘର ସଭାପତି ଏଏନଡ଼ି ଯାଦବ, ସମ୍ପାଦକ କାର୍ତ୍ତିକଚନ୍ଦ୍ର ମହାନ୍ତି, ଉପସଭାପତି ଦାମୋଦର ସ୍ୱାଇଁ, ସୁଶାନ୍ତ କୁମାର ପଟ୍ଟନାୟକ, ରଞ୍ଜିତ କୁମାର ବିଶ୍ୱାଳ, ସତ୍ୟାନନ୍ଦ ବିଶ୍ୱାଳ, ଭାରତ ଭୂଷଣ ଦାସ, ହେମନ୍ତ ସାହୁ, ସଲୀଳ ବେହେରା, ନଳିନୀ ରଞ୍ଜନ ଦାସ, ସୁରେଶ ଦାସ ପ୍ରମୁଖ ଶତାଧିକ ଆଇନଜୀବୀମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର