ଗଣେଶ ବିସର୍ଜନ ବେଳେ ଅଘଟଣ

ପୋଖରୀରେ ବୁଡ଼ି ୨ ଛାତ୍ରମୃତ

ଅନୁୁଗୁଳ/ଦେବଗଡ଼ : ଗଣେଶ ପୂଜା ବିସର୍ଜନ ବେଳେ ଅଘଟଣ ଘଟିଛି। ଅନୁଗୁଳ ଜିଲ୍ଲା ନିଶା ଥାନା ଅଧୀନ ନିଶା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ମୃତ ଛାତ୍ର ନିଶା ଗ୍ରାମର ବସନ୍ତ ପରିଡ଼ାଙ୍କ ପୁଅ ଚନ୍ଦନ (୧୫) ବୋଲି ଜଣାପଡ଼ିଛି। ଜିଲ୍ଲାପାଳ ଅନିଲ ସାମଲଙ୍କ ନିର୍ଦ୍ଦେଶକ୍ରମେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଚକ୍ରଧର ଦେହୂରୀଙ୍କୁ ନିଲମ୍ବିତ କରାଯାଇଛି। ଆଜି ସକାଳ ପ୍ରାୟ ୯ଟା ବେଳେ ସ୍କୁଲର ଶିକ୍ଷକ ସମତେ ପ୍ରାୟ ୧୦/୧୫ ଜଣ ଛାତ୍ରଛାତ୍ରୀ ସ୍କୁଲରେ ପୂଜା ହୋଇଥିବା ଗଣେଶ ମୂର୍ତ୍ତିକୁ ନେଇ ନିକଟରେ ଥିବା ଖଣ୍ଡରାବାହାଳ ପୋଖରୀକୁ ବିସର୍ଜନ କରିବାକୁ ଯାଇଥିଲେ। ବିସର୍ଜନ ବେଳେ ମୂର୍ତ୍ତି ତଳେ ୪ ଜଣ ଛାତ୍ର ରହି ଯାଇଥିଲେ। ଏହା ଦେଖି ପାଖରେ ଥିବା ଶିକ୍ଷକ ଦିଲିପ ସାହୁ ସଙ୍ଗେ ସଙ୍ଗେ ପାଣିକୁ ଡେଇଁ ୩ ଜଣ ଛାତ୍ରଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଚନ୍ଦନଙ୍କୁ ଉଦ୍ଧାର କରିବା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସେହିପରି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଝରବାହାଳ ସ୍ଥିତ ଆଶ୍ରମ ସ୍କୁଲର ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡ଼ି ଅନ୍ୟ ଏକ ସ୍କୁଲର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଝରବାହାଲ ଗ୍ରାମ ସ୍ଥିତ ଆଶ୍ରମ ହାଇସ୍କୁଲରେ ଅନୁଷ୍ଠିତ ଗଣେଶ ପୂଜାର ରବିବାର ମୂର୍ତ୍ତି ବିସର୍ଜନ କରାଯାଇଥିଲା। ସ୍କୁଲ୍‌ର ଛାତ୍ର ଓ ଶିକ୍ଷକମାନେ ମୂର୍ତ୍ତି ନେଇ ପୋଖରୀକୁ ଯାଇଥିବା ବେଳେ ତାଙ୍କ ସହ ସପ୍ତମ ଶ୍ରେଣୀର ଛାତ୍ର ଝରବାହାଲ ଗ୍ରାମର ସ୍ୱର୍ଗତ ପ୍ରତାପ ସାହୁଙ୍କ ପୁଅ ଘନଶ୍ୟାମ (୧୨) ମଧ୍ୟ ଯାଇଥିଲେ। ବିସର୍ଜନ ଚାଲିଥିବା ବେଳେ ଅସାବଧାନତା ବଶତଃ ଘନଶ୍ୟାମଙ୍କ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ।

ପାଣିରେ ବୁଡ଼ି ଯୁବକ ମୃତ

ପାତ୍ରପୁର : ଜରଡ଼ା ଥାନା ସୁରଙ୍ଗି ଗ୍ରାମରେ ଗଣେଶ ମୂର୍ତ୍ତିି ବିସର୍ଜନ ବେଳେ ପୋଖରୀରେ ବୁଡ଼ି ବୃନ୍ଦାବନ ବେହେରା (୩୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ପୋଖରୀରେ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବୃନ୍ଦାବନ ପାଣିରେ ବୁଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବାଣ ଫୁଟି ୭ ଜଣ ଆହତ

ଭୁବନ : ଭୁବନ ବ୍ଲକ୍‌ ଭୂଷଳ ପଞ୍ଚାୟତର କୀର୍ତନପୁର ଆଦିବାସୀ ସାହିରେ ଆଜି ରାତିରେ ଗଣେଶ ପୂଜା ଭସାଣି ଚାଲିଥିବାବେଳେ ବାଣ ଫୁଟି ୭ ଜଣ ଆହତ ହୋଇଛନ୍ତି। ରାତି ପ୍ରାୟ ସାଢ଼େ ୯ଟାବେଳେ ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତି କରାଯାଇଛି।

ନାଚିବା ବେଳେ ଯୁବକଙ୍କ ମୃତ୍ୟୁ

ମୁରିବାହାଲ : ଶନିବାର ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ପଞ୍ଚାୟତ ସର୍ଗୁଲ ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟିଛି। ଶୋଭାଯାତ୍ରାରେ ଶରତ ବେଣ୍ଟକାର (୨୧) ନାଚୁଥିବା ବେଳେ ରାସ୍ତାରେ ପଡ଼ି ଯାଇଥିଲେ। ତାଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ରବିବାର ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର