ଜେଲରେ କାନ କାଟିଲେ ବିଚାରାଧୀନ ବନ୍ଦୀ

କୋରାପୁଟ: ଜାମିନ ନ ମିଳିବାରୁ କାନ କାଟି ଦେଇଛନ୍ତି ଜଣେ ବିଚାରାଧୀନ ବନ୍ଦୀ। ଫଳରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଛି। ଆହତ ଅବସ୍ଥାରେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲାବେଳେ ସେଠାରେ ଚିକିତ୍ସା ଚାଲିଛି। ସେ ବିପଦମୁକ୍ତ ଥିବା ଜଣାପଡିଛି। ସୂଚନା ଅନୁସାରେ, ଏକ ଗଂଜେଇ ମାମଲାରେ ପୁଲିସ ହାତରେ ଧରାପଡି କୋରାପୁଟ ମଣ୍ଡଳ କାରାଗାରରେ ଅଛନ୍ତି ଜୟପୁରର ବିକାଶ ପାତ୍ର(୩୬)।

ଗତ ଅକ୍ଟୋବର ପହିଲାରୁ ସେ ଏଠାରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି। ଆଜି ତାଙ୍କର ଜାମିନ ଆବେଦନର ଶୁଣାଣି ଥିଲା। କରୋନା କଟକଣା କାରଣରୁ ଆଜି ଭିଡିଓ କନଫରେନ୍ସରେ କୋରାପୁଟ ଏଡିଜେଙ୍କ ଅଦାଲତରେ ଏହା ଶୁଣାଣି କରାଯାଇଥିଲା। ଏଥିରେ ବିକାଶଙ୍କ ଜାମିନ ନାମଂଜୁର ହୋଇ ଯାଇଥିଲା। ଏହା ପରେ ସେ ରାଗି ଯାଇଥିଲେ। ଡଷ୍ଟବିନରେ ପଡିଥିବା ଏକ ଧାରୁଆ ଜିନିଷ ଆଣି ନିଜ ବେକ କାଟିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା କାନ ପାଖରେ ବାଜି ଯାଇଥିଲା। ଏଥିରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା। ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଜାମିନ ନ ମିଳିବାରୁ ହତୋତ୍ସାହିତ ହୋଇ ସେ ଏମିତି କରିଥିବା ସନ୍ଦେହ କରାଯାଉଛି। ଏଥିନେଇ ଜେଲର ଗଗନ ବିହାରୀ ସାହୁ କହିଛନ୍ତି ଯେ, ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାମିନ ଆବେଦନର ଶୁଣାଣି ସରିବା ପରେ ପରେ ବିକାଶ ଏକ ଧାରୁଆ ଜିନିଷରେ ବେକ କାଟିବାକୁ ଚେଷ୍ଟା କରିଥିଲେ। ତାଙ୍କର ଚିକିତ୍ସା ଚାଲିଛି। ସେ ଏବେ ବିପଦମୁକ୍ତ ଥିବା ଜେଲର କହିଛନ୍ତି।

ସମ୍ବନ୍ଧିତ ଖବର