ଯଖପୁରା/ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଜେଏସଡବ୍ଲୁ ସିମେଣ୍ଟ କାରଖାନାର ଦୁର୍ଘଟଣାରେ ଠିକା ଶ୍ରମିକଙ୍କର ଗତକାଲି ମୃତ୍ୟୁ ହୋଇଛି। ଶ୍ରମିକ ମୃତ୍ୟୁ ପରେ କମ୍ପାନି କର୍ତ୍ତୃପକ୍ଷ ଧରାଛୁଆଁ ନଦେବା ପ୍ରତିବାଦରେ ଶ୍ରମିକମାନେ କାରଖାନା ଫାଟକ ସମ୍ମୁଖରେ ଶବ ରଖି ଆନ୍ଦୋଳନ କରିବାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ କାରଖାନା କର୍ତ୍ତୃପକ୍ଷ ୨୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା।
ପ୍ରକାଶ ଥାଉକି ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲାର ଗୌତମ ଜାନା(୩୯) ଗତକାଲି ରାତି ପ୍ରାୟ ୯ଟା ସମୟରେ ଜେଏସଡବ୍ଲୁ ସମେଣ୍ଟ କାରଖାନାରେ ବି-ସିଫ୍ଟରେ କାର୍ଯ୍ୟରତ ଥିବାବେଳେ ଦୁର୍ଘଟଣା ଘଟିଥିଲା। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଟାଟା ମେଡିକା ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଠିକାସଂସ୍ଥା ବିଶ୍ଵ ଏଣ୍ଟରପ୍ରାଇଜ୍ ଅଧୀନରେ ଲୋଡିଂ ଅପରେଟର ଭାବେ କାର୍ଯ୍ୟ କରୁଥିବା ଗୌତମଙ୍କ ମୃତ୍ୟୁର କାରଣ ବେଲ୍ଟଲାଇନ୍ର ଯାନ୍ତ୍ରିକ ତ୍ରୁଟି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। କାରଖାନା କର୍ତ୍ତୃପକ୍ଷ ମରଶରୀରକୁ ଆଣିବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ନକରିବାରୁ ସହଯୋଗୀ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
/sambad/media/post_attachments/wp-content/uploads/2022/04/15-9.jpg)
ସେମାନେ ନିଜେ ଟଙ୍କା ଖର୍ଚ୍ଚ କରି ଆମ୍ବୁଲାନ୍ସ ଭଡ଼ାରେ ଆଣି ଗୌତମଙ୍କ ମରଶରୀରକୁ ଆଜି ଭୋରରୁ କାରଖାନା ସମ୍ମୁଖରେ ରଖି ଧାରଣାରେ ବସିଥିଲେ। ଖବର ପାଇ ଯଖପୁରା ଥାନା ପୁଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଶ୍ରମିକଙ୍କୁ ବୁଝାସୁଝା କରିଥିଲେ। ସ୍ଥାନୀୟ ତହସିଲ ପ୍ରଶାସନ, ପୁଲିସ, କାରଖାନା କର୍ତ୍ତୃପକ୍ଷ ଓ ଶ୍ରମିକଙ୍କ ପରିବାର ବସି ଆଲୋଚନା କରିଥିଲେ। କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଧାରଣା ହଟିଥିଲା। କ୍ଷତିପୂରଣ ବାବଦକୁ ୨୨ଲକ୍ଷ ଦେବାକୁ କାରଖାନା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି। ପରିବାରର ଜଣେ ଲୋକଙ୍କୁ ନିଯୁକ୍ତି ଦେବାକୁ ଦାବି କରାଯାଇଛି। ତେବେ କାରଖାନାରେ ଶ୍ରମିକଙ୍କର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଉପରେ ଫ୍ୟାକ୍ଟ୍ରି ବୟର ବିଭାଗ ଅଧିକାରୀ କି ପଦକ୍ଷେପ ନେଉଛନ୍ତି? ତା ଉପରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କର ନଜର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/14-12.jpg)