କେନ୍ଦୁଝର: ୪୯ ନମ୍ବର ଜାତୀୟ ରାଜପଥର ଦୋହରୀକରଣ ପରେ କେନ୍ଦୁଝର ସହର ଉପକଣ୍ଠ ଜୁଡ଼ିଆ ଘାଟି ଦୁର୍ଘଟଣା ପ୍ରବଣ ହୋଇଛି। ଏଠାରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁଁ ବିଭିନ୍ନ ସମୟରେ ଭାରୀଯାନ ଗୁଡ଼ିକ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ୁଥିବା ଅଭିଯୋଗ ହେଉଛି। ଆଜି ଏକ କଣ୍ଟେନର ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡ଼ିବାରୁ ଉଭୟ ଡ୍ରାଇଭର, ହେଲପର୍‌ ଗୁରୁତର ହୋଇଛନ୍ତି।

Advertisment

ଟ୍ରାନ୍ସ କାର୍‌ଗୋ ଇଣ୍ଡିଆ ନାମକ ଏକ ପାର୍ସଲ ବୋଝେଇ କଣ୍ଟେନର ସୁରତରୁ କୋଲକାତା ଅଭିମୁଖେ ଯାଉଥିଲା। ଆଜି ପୂର୍ବାହ୍ନ ୧୧ଟା ସମୟରେ କଣ୍ଟେନରଟି ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ଖସି ପଡ଼ିଥିଲା। ଖବର ପାଇ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କ୍ୟାବିନ ଭିତରୁ ଗୁରୁତର ଡ୍ରାଇଭର ଓ ହେଲପର୍‌ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେମାନଙ୍କ ପରିଚୟ ମିଳିପାରିନି। ଜୁଡ଼ିଆ ଘାଟିରେ ୧୫ ଦିନ ମଧ୍ୟରେ ଦୁଇଟି ଟ୍ରକ୍‌ ଏବଂ ଗୋଟିଏ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହେଲାଣି।

ଘାଟିର ରାସ୍ତାର ବୁଲାଣି ନିକଟରେ ସତର୍କ ସୂଚନାଫଳକ ଲଗାଇବାକୁ ଦାବି ହୋଇଛି। ସେହିପରି ଘାଟି ରାସ୍ତାକଡ଼ରେ ମେଟାଲ ବିମ୍‌ କ୍ରସ ବେରିୟର ଲଗାଯାଇଛି। ଦୁର୍ଘଟଣାରେ ସେଗୁଡ଼ିକ ଭାଙ୍ଗିଯାଉଛି। ଫଳରେ ଗାଡ଼ି ଗୁଡ଼ିକ ଘାଟି ତଳକୁ ଖସିପଡ଼ୁଥିବାରୁ ଧନଜୀବନ ହାନି ଘଟୁଛି। ମେଟାଲ ବିମ୍‌ କ୍ରସ ବେରିୟର ହଟାଯାଇ କଂକ୍ରିଟ ପାଚେରି ସହିତ ଆର୍‌ସିସି କରିବାକୁ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦେଶକ ନିକଟରେ ଦାବି କରିଛନ୍ତି କେନ୍ଦୁଝର ନାଗରିକ ମଞ୍ଚର ସଭାପତି ଇଂ ଅଜୟ କୁମାର ସାହୁ। ସେହିପରି ଯେଉଁ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି ସମ୍ପୃକ୍ତ ସ୍ଥାନକୁ ଚିହ୍ନଟ କରି ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ସେ ଦାବି ଜଣାଇଛନ୍ତି।