କରଞ୍ଜିଆରେ ବାଇକ୍‌-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ଦୁଇ ମୃତ

କରଞ୍ଜିଆ /ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଧୀନ ୫୩ ନମ୍ବର ରାଜ୍ୟ ରାଜପଥ କେନ୍ଦୁମୁଣ୍ଡି ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଖୁଣ୍ଟାକଟା ଗ୍ରାମର ଶମ୍ଭୁନାଥ ମହାନ୍ତ(୬୧) ଓ ଧାତକିବେଡ଼ା ଗ୍ରାମର ଚିତ୍ରସେନ ମହାନ୍ତ(୪୦)।

ସୂଚନା ମୁତାବକ, ଶମ୍ଭୁନାଥ ଓ ଚିତ୍ରସେନ ଏକ ବାଇକ୍‌ରେ କରଞ୍ଜିଆରୁ ନିଜ ଗ୍ରାମକୁ ଫେରୁଥିବା ବେଳେ କେନ୍ଦୁମୁଣ୍ଡି ନିକଟରେ ଏକ ମହୁଲ ବୋଝେଇ ପିକଅପ୍‌ ଭ୍ୟାନ୍‌(ଓଡି-୧୧ଜେ-୬୩୧୫) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଦୁଇ ବାଇକ୍‌ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ପିକଅପ୍‌ ଭ୍ୟାନ୍‌ଟି ଖସି ପଳାଉଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଅଟକାଇବା ସହ ଡ୍ରାଇଭରକୁ ପୁଲିସ ଜିମା ଦେଇଥିଲେ। କରଞ୍ଜିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରି ଧାରଣାରେ ବସିଛନ୍ତି। ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିଛି ଓ ରାସ୍ତାରେ ଶହଶହ ଗାଡ଼ିମୋଟର ଅଟକି ରହିଛି।

ସମ୍ବନ୍ଧିତ ଖବର