ଖମାର : ୧୫ ଦିନ ବିତିନାହିଁ। ୧୪୯ ନମ୍ବର ଜାତୀୟ ରାଜପଥର ଖମାର ଥାନା ଇଲାକାରେ ସୋମବାର ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତ ଫେବ୍ରୁଆରି ୨୮ ତାରିଖ ରାତିରେ ଏହି ଥାନା ଅଞ୍ଚଳରେ ଏକ କାର୍ ଗୋଟିଏ ଟ୍ରକ୍ ପଛରେ ଧକ୍କା ହେବାରୁ କାର୍ରେ ଥିବା ୫ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାର ଦୁଃଖ ମନରୁ ନଲିଭୁଣୁ ଆଜି ପୂର୍ବାହ୍ନରେ ବାଇକ୍ରେ କର୍ମସ୍ଥଳୀକୁ ଯାଉଥିବାବେଳେ ବାପଝିଅ ଏକ ଟ୍ରକ୍ ଚକ ତଳେ ଚାପିହୋଇ ପ୍ରାଣ ହରାଇଛନ୍ତି। ଏହି ଘଟଣା ଅଞ୍ଚଳବାସୀଙ୍କୁ ଶୋକାଭିଭୂତ କରିଦେଇଛି। ମୃତ ବାପଝିଅ ହେଉଛନ୍ତି ଖମାରର ଅଧିବାସୀ ସୁନୀଲ ସାହୁ(୫୫) ଓ ସଂଗୀତା ସାହୁ(୨୫)।
ପୁଲିସ ସୂତ୍ରରୁ ପ୍ରକାଶ, ଖମାରର ସୁନୀଲ କୁମାର ସାହୁ କଣିଁହା ବ୍ଲକ୍ରେ ଏବିଇଓ ଏବଂ ତାଙ୍କର ଏକମାତ୍ର ଝିଅ ସଂଗୀତା ସେଠାକାର ସମନ୍ବିତ ମହିଳା ଶିଶୁ ବିକାଶ କାର୍ଯ୍ୟାଳୟରେ ସୁପରଭାଇଜର୍ ଥିଲେ। ଅନ୍ୟଦିନ ପରି ସୋମବାର ଦିନ ବାପଝିଅ ପୂର୍ବାହ୍ନ ପ୍ରାୟ ୯ଟାବେଳେ ଖମାର ବାସଭବନରୁ ବାହାରି ଏକ ବାଇକ୍ (ଓଡି ୦୬ଡି- ୮୭୦୨)ରେ ନିଜନିଜର କାର୍ଯ୍ୟାଳୟକୁ ଯାଉଥିଲେ। ୧୪୯ ନମ୍ବର ଜାତୀୟ ରାଜପଥର ସତ୍ୟବନ୍ଧ ପେଟ୍ରୋଲ ଟାଙ୍କିଠାରୁ ଅଳ୍ପଦୂରରେ ତାଳଚେରଆଡ଼ୁ ଆସୁଥିବା ଏକ ଟ୍ରକ୍ (ସିଜି ୦୬ଜିକ୍ୟୁ-୭୭୪୪) ଆଉ ଏକ ଟ୍ରକ୍କୁ ଓଭର୍ଟେକ୍ କରି ବାପଝିଅଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଏଥିସହ ଟ୍ରକ୍ଟି ରାସ୍ତା ତଳକୁ ପ୍ରାୟ ୨୦ ଫୁଟ ଗଭୀରକୁ ଖସିପଡ଼ିଥିଲା। ଟ୍ରକ୍ ଧକ୍କାରେ ବାଇକ୍ ଭାଙ୍ଗିରୁଜି ଯାଇଥିବାବେଳେ ଘଟଣାସ୍ଥଳରେ ବାପଝିଅଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା।
ହସଖୁସିରେ ପୂରିଥିବା ସୁନୀଲ ସାହୁଙ୍କ ପରିବାର ସମେତ ଅଞ୍ଚଳରେ ଏବେ ଶୋକର ଛାୟା। ଆଉ ତିନିମାସ ପରେ ଝିଅର ବିଭାଘର କରିବାକୁ ପରିବାର ପକ୍ଷରୁ ଆୟୋଜନ ଚାଲିଥିଲା। ନିୟତିର ଇଚ୍ଛା ସତେ ଯେମିତି ଭିନ୍ନ ଥିଲା। କାନ୍ଦବୋବାଳିରେ ଆଜି ପରିବାର ଫାଟିପଡ଼ିଥିଲା।