ସମ୍ବଲପୁର: ଦଶହରା ଯୋଗୁଁ ସମ୍ବଲପୁରରେ ଆନନ୍ଦ ଏବଂ ଉତ୍ସାହ ପରିବେଶ। ଏହି ସମୟରେ ମହାନଦୀରେ ଗାଧୋଉଥିବା ୧୬ ବର୍ଷ ବୟସର ୨ ଜଣ ନାବାଳକ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ବାଳକଦ୍ବୟ ସମ୍ବଲପୁର ସହର କ୍ଷେତରାଜପୁର ତିୱାରିଗଳିର ନବମ ଶ୍ରେଣୀ ଛାତ୍ର ଏସ୍.କନିଥ ଏବଂ ହିମାଂଶୁ ସିଂ କୁହା ବୋଲି କ୍ଷେତରାଜପୁର ଥାନା ଅଧିକାରୀ ପ୍ରିୟଙ୍କା ରାଉତରାୟ ସୂଚନା ଦେଇଛନ୍ତି। ଅଗ୍ନିଶମ ବିଭାଗର ୬ଜଣିଆ ଟିମ୍ ଖୋଜାଖୋଜି ପରେ ମଧ୍ୟ ବାଳକ ଦୁଇ ଜଣଙ୍କର ପତ୍ତା ମିଳିନାହିଁ। ରାତି ପ୍ରାୟ ୮ଟା ବେଳକୁ ଝାରସୁଗୁଡ଼ାରୁ ଓଡ୍ରାଫ୍ ଟିମ୍ ଆସି ସମଲେଶ୍ବରୀ ମନ୍ଦିର ପଟୁ ମହାନଦୀରୁ ଖୋଜିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଉଦ୍ଧାରସ୍ଥଳରେ ପରିବାର ଲୋକଙ୍କ କନ୍ଦାକଟା ଓ ଉତ୍ତେଜନା ଯୋଗୁଁ ଅଭାବନୀୟ ପରିସ୍ଥିତି ଦେଖାଦେଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟା ବେଳକୁ ତିୱାରିଗଳିର ୩ ଜଣ ବାଳକ କନିଥ, ହିମାଂଶୁ ଏବଂ ରୋନକ ଖେଳିବା ପାଇଁ ଯାଉଛୁ କହି ଘରୁ ବାହାରି ଯାଇଥିଲେ। ସଡ଼କ ଘାଟ ନିକଟରେ ପହଞ୍ଚି ଗାଧୋଇବା ପାଇଁ କନିଥ ଓ ହିମାଂଶୁ ମହାନଦୀକୁ ଡେଇଁ ପଡ଼ିଥିଲେ। କିଛି ସମୟ ମଧ୍ୟରେ ଉଭୟ ଗଭୀର ପାଣିରେ ବୁଡ଼ି ଯାଉଥିବା ଦେଖି ରୋନକ ଭୟଭୀତ ହୋଇ ତୁରନ୍ତ କ୍ଷେତରାଜପୁର ଥାନାରେ ପହଞ୍ଚି ସାଙ୍ଗମାନେ ବୁଡ଼ି ଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲା। ଏହା ପରେ ଅଗ୍ନିଶମ ବିଭାଗର ଟିମ୍ ଉଦ୍ଧାର ପାଇଁ ଯାଇଥିଲେ। ମାତ୍ର ବାଳକ ଦୁଇଜଣଙ୍କର ପତ୍ତା ମିଳିନଥିଲା। ଅଗ୍ନିଶମ ଅଧିକାରୀ ସୁଦାମ କିସ୍କୋ କହିଛନ୍ତି, ସମ୍ବଲପୁର ଓ ମାନେଶ୍ବର ପଟରୁ ୨ଟି ଟିମ୍ ଖୋଜୁଛନ୍ତି। ଧୋବାପଡ଼ା ଏବଂ ମାରୱାଡ଼ି ଘାଟରୁ ଯେତେ ସମ୍ଭବ ଗଭୀର ସ୍ଥଳକୁ ଯାଇ ଖୋଜୁଛନ୍ତି। ଅତିରିକ୍ତ ଏସ୍ପି, କ୍ଷେତରାଜପୁର ଥାନା ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/zJaeReplDsELRaonWG19.jpg)