ନାଲ୍‌କୋ ସ୍ମେଲ୍‌ଟର୍‌ ପ୍ଲାଣ୍ଟରେ ଦୁର୍ଘଟଣା, ୪ ଗୁରୁତର ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର

ଆହତଙ୍କୁ ଭେଟିଲେ ନାଲ୍‌କୋ ଅଧ୍ୟକ୍ଷ

ନାଲ୍‌କୋନଗର:ନାଲ୍‌କୋର ଅନୁଗୁଳ ସ୍ମେଲଟର୍ ପ୍ଲାଣ୍ଟରେ ଆଜି ଦୁର୍ଘଟଣା ଘଟି ଦୁଇ ଜଣ କର୍ମଚାରୀଙ୍କ ସହ ଦୁଇ ଜଣ ଶିକ୍ଷାନବୀଶ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ପ୍ରଥମେ ନାଲକୋ ଡାକ୍ତରଖାନା ଓ ପରେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ଣ ୧୦ଟାରେ କାଷ୍ଟହାଉସ୍ ‘ବି’ ବିଭାଗରେ ଥିବା ଉଚ୍ଚକ୍ଷମତା ବିଶିଷ୍ଟ ବିଦ୍ୟୁତ ପ୍ୟାନେଲ ବୋର୍ଡ କାର୍ଯ୍ୟ କରୁଥିବା ବେଳେ ହଠାତ ଫ୍ଲାସ୍ ଓଭର ହୋଇଥିଲା। ଫଳରେ ବହୁ ମାତ୍ରାରେ ନିଆଁଝୁଲ ବାହାରିଥିଲା। ଏଥିରେ ପାଖରେ ଥିବା ବଳରାମପ୍ରସାଦ ଗ୍ରାମ ପାଟଣା ସାହିର ଠିକା କର୍ମଚାରୀ ମିଥୁନ ନାଥଙ୍କ ଶରୀରର ଶତ ପ୍ରତିଶତ ଜଳି ଯାଇଥିବାବେଳେ ତାଲିମ ନେଉଥିବା ଦୁଇଜଣ ଛାତ୍ର ବି‌େଶ୍ୱଶ୍ବର ସାମଲଙ୍କ ୪୦ ପ୍ରତିଶତ, ରଜନୀକାନ୍ତ ପରିଡାଙ୍କ ଶରୀରର ୫୦ ପ୍ରତିଶତ ଜଳି ଯାଇଥିଲା। ଘଟଣାସ୍ଥଳରେ ଥିବା ଆଉ ଜଣେ ନାଲକୋ ମହିଳା କର୍ମଚାରୀ ରିଙ୍କିନା ସାହୁଙ୍କ ଦୁଇ ହାତ ଓ ମୁହଁ ମଧ୍ୟ ପୋଡିଯାଇଥିଲା। ନିଆଁରେ ପୋଡି ହୋଇ ୪ କର୍ମଚାରୀ ଓ ଶିକ୍ଷାନବୀଶ ପ୍ରାଣ ବିକଳରେ ଚିତ୍କାର କରିବାରୁ ଅନ୍ୟ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରି ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ନାଲ୍‌କୋ ଡାକ୍ତରଖାନାକୁ ନେଇଥିଲେ। ନାଲ୍‌କୋ ସୁରକ୍ଷା ବିଭାଗ ଅଧିକାରୀଙ୍କ ସମେତ ବିଭିନ୍ନ ଅଧିକାରୀ ନାଲକୋ ଡାକ୍ତରଖାନାରେ ପହଞ୍ଚି ଆହତ କର୍ମଚାରୀଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଅଶ୍ବିନୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଭୁବନେଶ୍ୱରସ୍ଥିତ ନାଲକୋ କର୍ପୋରେଟ୍ ଅଫିସ୍‌ର ଡାଇରେକ୍ଟର (ଏଚ୍‌ଆଣ୍ଡଏ) ବସନ୍ତ ଠାକୁର, ଡାଇରେକ୍ଟର (ପ୍ରଡକ୍ସନ) ବାଲ ସୁବ୍ରମଣ୍ୟମ୍‌ଙ୍କ ସମେତ ଜିଏମ୍ ଦେବ ମହାପାତ୍ର, ଜିଏମ୍ (ଏଚଆଣ୍ଡଏ) ଅମିୟ ପଟ୍ଟନାୟକ, ଡିଜିଏମ୍‌ (ଏଚଆଣ୍ଡଏ) ଏମ୍.ପି. ସାମଲ ପ୍ରମୁଖ ସେଠାରେ ପହଞ୍ଚି ଆହତ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଆହତଙ୍କ ଚିକିତ୍ସା ସୁବିଧା ପାଇଁ ସ୍ବତନ୍ତ୍ର ଭାବେ ଅନୁଗୁଳ ନାଲକୋ ଡାକ୍ତରଖାନାର ଡାକ୍ତର ବିନୀତ ଶଙ୍କର ଓ ବିଭାଗୀୟ ଅଧିକାରୀ ସରୋଜ ବେହେରାଙ୍କୁ ନିୟୋଜିତ କରାଯାଇଥିବାର ସୂଚନା ମିଳିଛି। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ନାଲକୋରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନେ ଆହତ ଛାତ୍ରଙ୍କ ସମସ୍ତ ଖର୍ଚ୍ଚ ନାଲକୋ ପ୍ରଶାସନ ପ୍ରଦାନ କରିବା ଦାବିରେ ତାଲିମ କେନ୍ଦ୍ରକୁ ଦୁଇ ଘଣ୍ଟା ଘେରାଉ କରିଥିଲେ। ତେବେ ତାଲିମ କେନ୍ଦ୍ର ଅଧିକାରୀ ଉପସ୍ଥିତ ନ ଥିବାରୁ ସେମାନେ ନାଲକୋ ମାନବ ସମ୍ବଳ ମହା ପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି।

ଆହତଙ୍କୁ ଭେଟିଲେ ନାଲ୍‌କୋ ଅଧ୍ୟକ୍ଷ
ଭୁବନେଶ୍ବର: କଟକର ଅଶ୍ବିନୀ ଟ୍ରମା କେୟାର ହସ୍ପିଟାଲ୍‌ରେ ଅନୁଗୁଳ ସ୍ମେଲଟର କାରଖାନା ଅଗ୍ନିକାଣ୍ଡର ଆହତମାନଙ୍କୁ ନାଲ୍‌କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଭେଟିଛନ୍ତି। ଏହି ଅଘଟଣ ପାଇଁ ସେ ଗଭୀର ସମବେଦନା ପ୍ରକାଶ କରିବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତମାନଙ୍କୁ ଉତ୍କୃଷ୍ଟ ମାନର ଚିକିତ୍ସା‌ ସୁବିଧା ଯୋଗାଇ ଦେବାକୁ ସେ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ ଆହତଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଭେଟି ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ ନାଲ୍‌କୋ ବହନ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର