ଟ୍ରକ୍ ଓ ବଲେରୋ ଧକ୍କା: ୩ ମୃତ, ୭ ଆହତ
ସୋନପୁର/ଉଲୁଣ୍ଡା : ପବିତ୍ର ଶିବରାତ୍ରିରେ ସମସ୍ତେ ମହାଦେବଙ୍କ ପୂଜାର୍ଚ୍ଚନା ଓ ଜାଗର ଜାଳୁଥିବାବେଳେ ସୋନପୁର- ସମ୍ବଲପୁର ରାସ୍ତାର ମେଟାକାନୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣଙ୍କ ଜୀବନ ଯାଇଛି। ଆଜି ରାତି ପ୍ରାୟ ୮ଟାରେ ଏକ ଟ୍ରକ୍ ଓ ବଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବଲେରୋ ଚାଳକ ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଉଲୁଣ୍ଡା ଥାନା ଅନ୍ତର୍ଗତ କ୍ଷେମାଲୋଏ ଗ୍ରାମର ତେଜରାଜ ବାଘ, ଉତ୍ତମ ଡୁଙ୍ଗୁରିଆ ଏବଂ ବଲେରୋ ଚାଳକ ବାବୁଲାଲ ମହାକୁଡ଼।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ବଲେରୋ ପିକ୍ଅପ୍ (ଓଡି ୧୫- ୭୯୧୫)ରେ କ୍ଷେମାଲୋଏ ଗାଁର ଏକ କୀର୍ତ୍ତନ ଦଳ ଏସ୍. ରାମପୁର ଥାନା ଅନ୍ତର୍ଗତ ରୁଷୁଡ଼ା ଗ୍ରାମକୁ ଯାଉଥିଲେ। ଏହି ସମୟରେ ସମ୍ବଲପୁର ପଟରୁ ସୋନପୁରକୁ ଆସୁଥିବା ଟ୍ରକ୍ (ଓଡି ୧୬ ଏ ୫୪୫୭) ସହ ମେଟାକାନୀ ଛକ ନିକଟରେ ଉକ୍ତ ବଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତେଜରାଜ ଏବଂ ଉତ୍ତମଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଆହତମାନଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରି ଉଲୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।
ଶିବ ଦର୍ଶନ ସାରି ଫେରୁଥିବା ବେଳେ ପଛରୁ ପିଟିଲା କାର୍, ସ୍ବାମୀ ମୃତ ସ୍ତ୍ରୀ ଗୁରୁତର
ଜୁନାଗଡ଼ : ଜାଗରରେ ଶିବ ଦର୍ଶନ ସାରି ଫେରୁଥିବା ଏକ ଦମ୍ପତି ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛନ୍ତି। କାର୍ ଧକ୍କାରେ ସ୍ତ୍ରୀ ଆଗରେ ଚାଲିଯାଇଛି ସ୍ବାମୀର ଜୀବନ। ଗୁରୁତର ଆହତ ସ୍ତ୍ରୀ ମଧ୍ୟ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପୁଲିସ ସୂତ୍ରର ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ସହର ବଡ଼ପଡ଼ାର ଉଆଁସୁ କନ୍ଦପାନ ପତ୍ନୀ ଗୀତାଞ୍ଜଳି କନ୍ଦପାନ (୩୬) ଙ୍କ ସହିତ ହିଞ୍ଜିଳିବାହାଲି ଶିବମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ସେମାନେ ପୂଜାର୍ଚ୍ଚନା କରି ଘରକୁ ଫେରୁଥିଲା ବେଳେ ଥାନା ସମ୍ମୁଖରେ ପଛପଟୁ ଆସୁଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଉଆଁସୁ ପ୍ରାଣ ହରାଇଥିଲେ। ଗୀତାଞ୍ଜଳିଙ୍କ ଅବସ୍ଥା ସଂକଟାପନ୍ନ ହେବା ପରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
/sambad/media/post_attachments/wp-content/uploads/2020/02/RKL-Pathara3-f-300x300.jpg)
ଜଟିଆ ପାହାଡ଼ରୁ ପଥର ଖସିଲା, ୨୧ ଆହତ
ରାଉରକେଲା/ନୂଆଗାଁ : ଆଜି ପବିତ୍ର ଜାଗର ଯାତ୍ରାରେ ନୂଆଗାଁ ବ୍ଲକ୍ ହାତୀବାରି ଜଟିଆ ପାହାଡ଼ ଶୈବପୀଠରେ ଏକ ଅଘଟଣ ଘଟିଛି । ପାହାଡ଼ ଶିଖରରୁ ଏକ ବଡ଼ ପଥର ଖସି ଦର୍ଶନ ପାଇଁ ଛିଡ଼ା ହୋଇଥିବା ୨୪ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପୁରୁଷ ମହିଳାଙ୍କ ସମେତ ଛୋଟପିଲା ମଧ୍ୟ ଅଛନ୍ତି। ତିନି ଜଣ ଗୁରୁତର ଆହତ ଥିବା ଜଣାପଡ଼ିଛି। ଉପରେ ଥିବା କୌଣସି ପଥର ଉପରେ କେହି ଶ୍ରଦ୍ଧାଳୁ ଛିଡ଼ା ହୋଇ ସେଲ୍ଫି ନେଉଥିବାବେଳେ ପଥର ଖଣ୍ଡ ଖସି ପଡ଼ି ଏଭଳି ଅଘଟଣ ଘଟିଥିବା କୁହା ଯାଉଛି। ଆହତ ଶ୍ରଦ୍ଧାଳୁମାନଙ୍କୁ ପ୍ରଥମେ ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଭିତରୁ ୧୭ ଜଣଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍) ପଠାଯାଇଥିଲା। ଆହତଙ୍କ ମଧ୍ୟରୁ ଆକାଶ ବଡାଇକ ଓ ଜୟମୁନି କୁମାରୀ ସମେତ ଅନ୍ୟ ଜଣେ ଶ୍ରଦ୍ଧାଳୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।
ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ହାତୀବାରି ଠାରୁ ପ୍ରାୟ ୭ କି.ମି. ଓ ରାଉରକେଲାଠାରୁ ପ୍ରାୟ ୨୫ କିମି ଦୂର ଜଟିଆ ପାହାଡ଼ରେ ରହିଛି ଜଟିଆ ବାବାଙ୍କ ଶୈବପୀଠ। ଜାଗର ଯାତ୍ରା ପାଇଁ ଏଠାରେ ଠାକୁର ଦର୍ଶନ ଓ ଦୀପ ଜାଳିବାକୁ ସୁନ୍ଦରଗଡ଼ ସମେତ ପଡୋଶୀ ଝାଡ଼ଖଣ୍ଡରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଠାକୁର ଦର୍ଶନ ପାଇଁ ଲୋକେ ଧାଡ଼ିରେ ଛିଡ଼ା ହେଇଥିବାବେଳେ ପୂର୍ବାହ୍ନ ପ୍ରାୟ ୧୧ଟାରେ ହଠାତ୍ ପାହାଡ଼ ଉପରୁ ପଥର ଖଣ୍ଡ ଖସି ସେମାନଙ୍କ ଉପରେ ମାଡ଼ ହୋଇଥିଲା। ପଥରଟି ଖଣ୍ଡ ଖଣ୍ଡ ହୋଇ ଧାଡ଼ିରେ ପିଲାଛୁଆଙ୍କୁ ଧରି ଛିଡ଼ା ହୋଇଥିବା ଶ୍ରଦ୍ଧାଳୁଙ୍କ ଦେହରେ ପିଟି ହୋଇ ଯାଇଥିଲା। ଫଳରେ ସେଠାରେ ଦଳାଚକଟା ଭଳି ଏକ ସ୍ଥିତି ସୃଷ୍ଟି ହୋଇ ଯାଇଥିଲା। ଛାନିଆରେ ଶ୍ରଦ୍ଧାଳୁମାନେ ଜୀବନ ବଞ୍ଚାଇବାକୁ ଏଣେ ତେଣେ ଦୌଡିବାକୁ ଲାଗିଥିଲା।
ସୂଚନା ପାଇ ଘଟଣାସ୍ଥଳରେ ୬ଟି ଆମ୍ବୁଲାନ୍ସ ସମେତ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା। କିଛି ଶ୍ରଦ୍ଧାଳୁଙ୍କୁ ଚିକିତ୍ସା ପରେ ସେଠାରୁ ଛାଡ଼ି ଦିଆଯାଇଥିବାବେଳେ ୧୭ ଶ୍ରଦ୍ଧାଳୁଙ୍କୁ ଆର୍ଜିଏଚ୍କୁ ପଠାଯାଇଥିଲା। ସନ୍ଧ୍ୟା ସୁଦ୍ଧା ସେମାନଙ୍କ ଭିତରୁ ୫ ଜଣ ଶ୍ରଦ୍ଧାଳୁଙ୍କୁ ଆର୍ଜିଏଚ୍ରୁ ଡିସ୍ଚାର୍ଜ କରି ଦିଆଯାଇଛି। ଅନ୍ୟ ୧୨ ଶ୍ରଦ୍ଧାଳୁ ଚିକିତ୍ସିତ ହେଉଛନ୍ତି।
କମାଣ୍ଡର ଜୀପ୍ ଧକ୍କାରେ ଯୁବକ ମୃତ, ୨ ଗୁରୁତର
ବରଗଡ଼/ ଅମ୍ବାଭୋନା : ଶିବରାତ୍ରୀ ଅବସରରେ ଅମ୍ବାଭୋନା କେଦାରନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବାବେଳେ ଏକ କମାଣ୍ଡର ଜୀପ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ସୁନୀଲ ଡନସନା (୨୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ବୟ ହେଲେ ଜିତେଶ୍ବର ବୁଧିଆ (୨୨) ଓ ରବୀନ୍ଦ୍ର ଡନସନା (୨୨)। ସୁକୁଡ଼ା ଗ୍ରାମର ସଂପୃକ୍ତ ୩ ଜଣ ଯୁବକ ଏକ ନୂଆ ଆପାଚି ବାଇକ୍ରେ ରାତି ପ୍ରାୟ ସାଢ଼େ ୯ଟା ସମୟରେ କେଦାରନାଥ ପୀଠକୁ ଯାଉଥିଲେ। ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା କମାଣ୍ଡର ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଗୁରତର ଆହତ ୨ ଜଣଙ୍କୁ ପ୍ରଥମେ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ତେବେ ଗୁରୁତର ଥିବାରୁ ପରେ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Ulunda-750x430-1.jpg)