କେନ୍ଦ୍ରାପଡ଼ା: ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାକୁ ତିନି ଦିନ ବିତିଲାଣି ା କିନ୍ତୁ ତୁଳସୀକ୍ଷେତ୍ରାଧିପତି ସିଦ୍ଧ ବଳଦେବଜିଉଙ୍କ ରଥ ଏଯାଏ ଚକଡ଼ାରେ ଲାଗିପାରିଲା ନାହିଁ। ବଡ଼ଦାଣ୍ଡରେ ଅଟକିଛି ବ୍ରହ୍ମତାଳଧ୍ବଜ ରଥ । ଯେତେ ଚେଷ୍ଟା କଲେ ବି ସବୁ ପ୍ରୟାସ ବିଫଳ ହୋଇଛି। କିଛିବାଟ ଯିବା ପରେ ରଥ ବାମ ମୋଡ଼ ନେଇ ବାରମ୍ବାର ଟ୍ରାକ୍ରୁ ବାହାରି ଯାଉଛି ା ସୋମବାର ଟ୍ରାକ୍କୁ ଫେରାଇ ଆଣି ରଥକୁ ଟାଣିବା ପାଇଁ ବହୁ ଉଦ୍ୟମ କରାଯାଇଥିଲା। ମାତ୍ର ତାହା ସଫଳ ହେଲା ନାହିଁ। ଆଜି ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଲା। ରଥ ଶ୍ୟାମାକାଳୀ ମଣ୍ଡପ ପଛକୁ ପୁଣିଥରେ ବାମମୋଡ଼ ନେଇ ଟ୍ରାକ୍ ବାହାରକୁ ଯାଇ ଅଟକି ରହିଛି। ସବୁଠାରୁ ଉଦ୍ବେଗର ବିଷୟ ହେଉଛି ଯେ ତିନିଦିନ ପରେ ବି ରଥ ମାତ୍ର ଅଧାବାଟ ଅତିକ୍ରମ କରିଛି। ହେଲେ ଯେଉଁ ପ୍ରଶ୍ନଟି ଅଗଣିତ ଭକ୍ତଙ୍କ ମନକୁ ଆନ୍ଦୋଳିତ କରୁଛି, ତାହା ହେଉଛି ଜିଲ୍ଳାପାଳ, ଏସ୍ପିଙ୍କଠୁ ନେଇ ମନ୍ଦିର ପ୍ରଶାସନ ଯାଏ ସମସ୍ତ ଘନଘନ ସମୀକ୍ଷା ବୈଠକ, ରଥଯାତ୍ରାରେ ଉପସ୍ଥିତ ରହି ତଦାରଖ କରିବା ସତ୍ତ୍ବେ କାହିଁକି ଏଭଳି ବିଭ୍ରାଟ ହେଲା? ରଥ ବାରମ୍ବାର ବାମମୋଡ଼ ନେଇ ଅଟକିଯିବା ପଛର କାରଣ କ’ଣ? ୨୦୨୨ମସିହା ରଥଯାତ୍ରାରେ ବି ଠିକ୍ ଏୟା ଦେଖିବାକୁ ମିଳିଥିଲା। ଶ୍ରୀଗୁଣ୍ଡିଚାର ଚାରିଦିନ ପରେ ରଥ ଚକଡ଼ାରେ ଲାଗିଥିଲା। ଏଥର ବି ସେହି ସ୍ଥିତି। ଅର୍ଥାତ୍ ପ୍ରଶାସନ ବିଗତ ବର୍ଷର ଭୁଲ୍ରୁ କିଛି ଶିଖିପାରିଲା ନାହିଁ। ବାରମ୍ବାର ଏଭଳି ଚରମ ବିଭ୍ରାଟ ପାଇଁ କେହି କେହି ପ୍ରଶାସନର ଅପରିଣାମଦର୍ଶୀ ପଦକ୍ଷେପକୁ ଦାୟୀ କରୁଛି ତ’ କେହି ମହାପ୍ରଭୁ କୋପ ଦେଖାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ଯାହା ହେଉନା କାହିଁକି, ଶ୍ରୀଗୁଣ୍ତିଚାର ତିନିଦିନ ପରେ ବି ରଥାରୂଢ଼ ଚତୁର୍ଧାମୂର୍ତ୍ତି ମାଉସୀ ମା' ମନ୍ଦିର ସମ୍ମୁଖରେ ପହଞ୍ଚି ନ ପାରିବା ପରମ୍ପରା ଭଙ୍ଗ ସହିତ ଭକ୍ତଙ୍କୁ ନିରାଶ କରିଛି।
ସାରା ରାଜ୍ୟରେ ତୁଳସୀକ୍ଷେତ୍ର ନାମରେ ପରିଚିତ କେନ୍ଦ୍ରପଡ଼ାରେ ପ୍ରଭୁ ସିଦ୍ଧ ବଳଦେବଜିଉଙ୍କ ରଥଯାତ୍ରାରେ ଏକ ସ୍ବତନ୍ତ୍ର ପରମ୍ପରା ରହିଛି। ଏଠାରେ ଶ୍ରୀଗୁଣ୍ତିଚା ପରଦିନ ବ୍ରହ୍ମ ତାଳଧ୍ବଳ ରଥ ମାଉସୀ ମା' ମନ୍ଦିର ସମ୍ମୁଖରେ ପହଞ୍ଚିଥାଏ। ଚଳିତବର୍ଷ ରଥଯାତ୍ରାରେ ବିରଳ ସଂଯୋଗ ଦେଖିବାକୁ ମିଳିଥିଲା। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିଲା। ସେଥିପାଇଁ ରବିବାର ଗୋଟିଏ ଦିନରେ ସମସ୍ତ ନୀତିକାନ୍ତି ସରି ଶ୍ରୀଜିଉ ରଥକୁ ବିଜେ କରିଥିଲେ। ଜଣେ ସେବକଙ୍କ ଭୁଲ୍ ପାଇଁ ଠାକୁରଙ୍କ ପହଣ୍ଡି ବିଜେ ବିଳମ୍ବ ହେବା କାରଣରୁ ସେଦିନ ରଥ ଆଉ ଟଣାଯାଇ ପାରି ନଥିଲା ା ଶ୍ରୀଗୁଣ୍ଡିଚା ଦ୍ବିତୀୟ ଦିନ, ଅର୍ଥାତ୍ ସୋମବାର ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା ା ତେବେ, ମାତ୍ର ଶହେ ମିଟର୍ ଯିବା ପରେ ରଥ ବାମମୋଡ଼ ନେଇ ଟ୍ରାକ୍ରୁ ବାହାରି ଦେବୋତ୍ତର ବିଭାଗ ଅଫିସ୍ ନିକଟରେ ଅଟକି ରହିଥିଲା ା ପାରାଦୀପରୁ ଆସିଥିବା ରେଳବାଇ ବିଭାଗର ସ୍ବତନ୍ତ୍ର ୨୦ଜଣିଆ ଟିମ୍ ଜଗ୍ ସାହାଯ୍ୟରେ ରଥକୁ ଟ୍ରାକ୍କୁ ଫେରାଇ ଆଣି ପୁଣି ଚଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସଫଳ ହୋଇ ନଥିଲା ା ସନ୍ଧ୍ୟା ହେଇଯିବାରୁ ଆଉ ଗତକାଲି ଚାଲିପାରି ନଥିଲା ା ଆଜି ରଥ ଚାଲିଥିଲେ ବି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିନାହିଁ। ଶ୍ୟାମାକାଳୀ ମଣ୍ଡପ ପଛକୁ ରଥ ଅଟକି ରହିଥିବା ବେଳେ ଆହୁରି ଅଧାବାଟ ଅତିକ୍ରମ କରି ଶ୍ରଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାକୁ ଆଉ କେତେଦିନ ଲାଗିବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି ା
୨୦୨୨ମସିହାରେ ରଥ ଏହିଭଳି ବାମମୋଡ଼ ନେଇ ଡ୍ରେନ୍ ଉପରକୁ ମାଡ଼ିଯିବାରୁ ଜଗ୍ ସାହାଯ୍ୟରେ ଟ୍ରାକ୍କୁ ଫେରାଇ ଆଣି ରଥକୁ ଚକଡ଼ାରେ ପହଞ୍ଚାଇବାକୁ ଚାରିଦିନ ସମୟ ଲାଗିଯାଇଥିଲା ଅର୍ଥାତ୍ ଦୁଇଦିନ ପରବର୍ତ୍ତେ ଆହୁରି ଦୁଇଦିନ ଅଧିକ ସମୟ ଲାଗିଲା ରଥ ପହଞ୍ଚିବାକୁ। ବାରମ୍ବାର ଏଭଳି ବିଭ୍ରାଟକୁ ନେଇ ପ୍ରଶ୍ନ ଉଠିଲାଣି। ରଥଦାଣ୍ତର ରୂପରେଖ ବଦଳି ସାରିଛି। ରାସ୍ତା ପିଚୁ ସହ ପ୍ରଶସ୍ତ ହେବା ସତ୍ତ୍ବେ ରଥ ବିଧି ମୁତାବକ ଠିକ୍ ସମୟରେ ଶ୍ରୀଗୁଣ୍ତିଚା ମନ୍ଦିରରେ ପହଞ୍ଚି ପାରୁନାହିଁ। ଦଉଡ଼ି ବି ଛିଡ଼ୁଛି। ଠାକୁରଙ୍କ ନୀତିକାନ୍ତିରେ ବିଭ୍ରାଟ ନା ରଥ ନିର୍ମାଣରେ ତ୍ରୁଟି ପାଇଁ ଏଭଳି ଘଟୁଛି? ସର୍ବୋପରି ରଥଯାତ୍ରାକୁ ପ୍ରଶାସନ ହାଲୁକା ଢଙ୍ଗରେ ନେଇଗଲା କି? ଅଗଣିତ ଭକ୍ତଙ୍କ ମନରେ ଏଭଳି ପ୍ରଶ୍ନ ଆନ୍ଦୋଳିତ ହେଉଛି ା ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି, ରଥ ନିର୍ମାଣରେ ତ୍ରୁଟି ଓ ଦଉଡ଼ି ବନ୍ଧା ଭୁଲ୍ ପାଇଁ ଏଭଳି ହେଉଛି। ଅନ୍ୟପକ୍ଷରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି ଯେ ରଥ ଚଳାଇବା ପାଇଁ। ସବୁପ୍ରକାର ଉଦ୍ୟମ କରାଯାଉଛି। ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ ଆସନ୍ତାକାଲି ରଥ ଶ୍ରୀଗୁଣ୍ଡିଚା ମନ୍ଦିରେ ପହଞ୍ଚିବ। କିନ୍ତୁ କାହିଁକି ଏଭଳି ହେଲା, ତାର ଏକ ସମୀକ୍ଷା ବୈଠକ ହେବ। ଏବେ ଏହାର କାରଣ ସମ୍ପର୍କରେ କିଛି କହିହେବ ନାହିଁ।