ରଥଯାତ୍ରା ସମୟରେ ଏଭଳି ଅଘଟଣ ବିଶ୍ୱରେ ଓଡିଶାକୁ ଲଜ୍ଜିତ କରିଛି: ବିଜେପି

ଭୁବନେଶ୍ବର: ଗତକାଲି ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ଥିବା ସମୟରେ ପୁରୀ ବସଷ୍ଟାଣ୍ଡ ଭଳି ଜନଗହଳି ସ୍ଥାନରେ ଜଣେ ଆଦିବାସୀ ନାବାଳିକା ସହ ଦୁର୍ଷ୍କମ ହୋଇଛି । ଯାହା ସମଗ୍ର ବିଶ୍ୱରେ ଓଡିଶାକୁ ଲଜ୍ଜିତ କରିଛି । ଦୀର୍ଘ ୨୦ବର୍ଷ ଶାସନ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ଅସମର୍ଥ ବୋଲି ରାଜ୍ୟ କାର୍ଯ୍ୟାଳୟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି । ପୁରୀ ରଥଯାତ୍ରାକୁ ସୁପରିଚାଳିତ କରିବା ଏବଂ ଜନସାଧାରଣମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ୧୫୫ ପ୍ଲାଟୁନ ପୋଲିସ ମୃତୟନ କରିଛନ୍ତି । ଏହା ସତ୍ୱେ ବି ଗୁଣ୍ଡିଚା ମନ୍ଦିର ପାଖରେ ଥିବା ପୁରୀ ବସଷ୍ଟାଣ୍ଡ ଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ପୁରୀ ସହର ସାରା ପୋଲିସ ଛାଉଣୀ ହୋଇଥିବାବେଳେ ପୁରୀ ବସଷ୍ଟାଣ୍ଡରେ ଏଭଳି ଘଟଣା ଘଟିବା ପୁରୀ ପୋଲିସ ସମେତ ରାଜ୍ୟ ପୋଲିସ ଏବଂ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିରୁ ସ୍ପଷ୍ଟ ପ୍ରମାଣ ହେଉଛି କି ମହିଳାଙ୍କ ସୁରକ୍ଷା ଦିଗରେ ରାଜ୍ୟ ସରକାରଙ୍କର କୌଣସି ପ୍ରତିବଦ୍ଧତା ନାହିଁ । କେବଳ ମହିଳାଙ୍କୁ ସୁରକ୍ଷା ଏବଂ ସଂରକ୍ଷଣ ଦେବା ନାଁରେ ନବୀନବାବୁ ଲୋକଦେଖାଣିଆ ନାଟକ କରୁଛନ୍ତି ବୋଲି ଶ୍ରୀମତି ସାମନ୍ତସିଂହାର କହିଛନ୍ତି ।

ରାଜ୍ୟ ସରକାରଙ୍କର ଦାୟୀତ୍ୱହୀନତା ଭାବେ ରାଜ୍ୟକୁ ଚଲାଉଥିବାବେଳେ ରାଜ୍ୟରେ ମହିଳା, ଆଦିବାସୀ ଏବଂ ନାବାଳିକାମାନଙ୍କୁ ସୁରକ୍ଷା ଦେବାରେ ସଂପୁର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଗତକାଲି ଘଟଣାରେ ପୋଲିସ ଦୁର୍ଷ୍କମ ନାବାଳିକା ପୀଡିତାକୁ ରାସ୍ତାରେ ଚଲାଇ ଚଲାଇ ନେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏହି ସମୟରେ ସ୍ଥାନୀୟ ଲୋକ ପୀଡିତାର ଫଟୋ ଏବଂ ଭିଡିଓ ଉଠାଇ ସଂପୃକ୍ତ ନାବାଳିକାର ବ୍ୟକ୍ତିଗତ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ଡ. ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟର ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ବିର୍ପଯ୍ୟସ୍ତ ହୋଇପଡିଛି । ପୂର୍ବରୁ ଦୁର୍ଷ୍କମରେ ଶିକାର ହୋଇଥିବା ଇତିଶ୍ରୀ, ବେବିନା, ମାଧବୀଲତା, ସସ୍ମିତା ଆଦି ଅନେକ ଦୁର୍ଷ୍କମ ପୀଡିତା ଏଯାବତ ନ୍ୟାୟ ପାଇ ପାରିନାହାଁନ୍ତି । ପୋଲିସ ଅପରାଧୀମାନଙ୍କୁ ଧରିବା ବଦଳରେ ସୁରକ୍ଷା ଯୋଗାଇ ଚାଲିଛି । ଅନ୍ୟପଟେ ଶାସକ ଦଳର ବିଧାୟକ ଏବଂ ନେତାଙ୍କ ଛତ୍ରଛାୟା ତଳେ ରହି ଅପରାଧୀମାନେ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି । ରାଜ୍ୟସରକାର କେବେ ବି ଦୁର୍ଷ୍କମ କରିଥିବା ଅପରାଧୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇନାହାଁନ୍ତି । ଗତ ୨୦୧୭ ମସିହାରେ ୨,୨୨୧ ମହିଳା ଦୁର୍ଷ୍କମରେ ଶିକାର ହୋଇଥିବା ସମୟରେ ୨୦୧୮ ମସିହାରେ ୨୫୦୨ଜଣ ଦୁର୍ଷ୍କମରେ ଶିକାର ହୋଇଥିବା ଘଟଣା ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଏବଂ ଶ୍ରୀମତୀ ଅନିତା ଶୁଭଦର୍ଶନୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର