ରାଉରକେଲା: ଲହୁଣିପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ରାଜାମୁଣ୍ଡା ବାଇପାସ୍‌ ଛକରେ ହାଇୱା ଧକ୍କାରେ ଦୁଇଜଣ କିନ୍ନର ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ କିନ୍ନର ଉମାଶଙ୍କର ନାୟକ ସ୍କୁଟିରୁ ଡେଇଁ ପଡ଼ିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ମୃତକମାନେ ହେଲେ ବଣାଇ ବଣ୍ଡୋଡିହିର ରଥ କିଷାନ (୨୧), କେନ୍ଦ୍ରିକଳାର ରାଜା ପାତ୍ର (୨୨)। ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭର ପବନ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଲହୁଣିପଡ଼ା ପୁଲିସ ଦୁଇ କିନ୍ନରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରେମ ସମ୍ପର୍କରେ ଫାଟ କାରଣରୁ ପବନ ଦୁଇଜଣଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିଥିବା କୁହାଯାଉଛି।

Advertisment

ଦୁର୍ଘଟଣାରୁ ବର୍ତ୍ତିଯାଇଥିବା କିନ୍ନର ଉମାଶଙ୍କରଙ୍କ ବୟାନ ଓ ପାରିପାର୍ଶ୍ବିକ ସ୍ଥିତି ଆଧାରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ରାଜ୍ୟ କିନ୍ନର ସଂଘର ସମ୍ପାଦିକା ଜୟା ତ୍ରିପାଠୀ ମୃତ ସୁଇଟି କିନ୍ନର (ରଥ କିଷାନ)ଙ୍କ ପୁରୁଷ ବନ୍ଧୁ ପବନକୁ ଗିରଫ କରିବାକୁ ଦାବି କରିଛନ୍ତି। ସୁଇଟି , ରାଜା ପାତ୍ର, ଉମାଶଙ୍କର ନାଏକ ଓ ଅନ୍ୟ କିନ୍ନରମାନେ ଲହୁଣିପଡ଼ା ଥାନା ଅନ୍ତର୍ଗତ ଲହଙ୍ଗାପଡ଼ା ଓ ଲୁଥୁର୍ବା ଗ୍ରାମରେ ଭଡ଼ାରେ ରହୁଥିଲେ। ପ୍ରତ୍ୟେକ ଦିନ ରାତିରେ ରାଜାମୁଣ୍ଡା ବାଇପାସ୍‌ ଛକରେ ସମସ୍ତେ ଏକାଠି ହୋଇ ଜାତୀୟ ରାଜପଥରେ ଯାତାୟତ କରୁଥିବା ଗାଡ଼ିଗୁଡ଼ିକରୁ ଟଙ୍କା ମାଗି ପେଟ ପୋଷୁଥିଲେ। ଏମାନଙ୍କ ମଧ୍ୟରୁ ସୁଇଟିଙ୍କ ସହ ପବନର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ଗତ ୧୦ ଦିନ ତଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ପବନ ସୁଇଟି ରହୁଥିବା ଘରେ ପହଞ୍ଚି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଜୀବନ ବଞ୍ଚାଇବା ଭୟରେ ଭଡ଼ା ଘର ଛାଡି ସୁଇଟି ଅନ୍ୟ କିନ୍ନରମାନଙ୍କ ପାଖକୁ ଆସିଥିଲେ। ସେମାନଙ୍କୁ ପବନର ଧମକ କଥା କହିଥିଲେ। ଏହାପରେ ଭୟରେ ଭଡ଼ାଘରେ ଏକାକୀ ନରହି ଅନ୍ୟମାନଙ୍କ ସହ ମିଶି ରହିଥିଲେ। ପ୍ରତ୍ୟେକ ଦିନ ପରି ଶନିବାର ରାତିରେ ତିନି କିନ୍ନର ସ୍କୁଟି (ଓଡି-୧୪ୱାଇ-୭୫୪୮)ରେ ରାଜାମୁଣ୍ଡା ବାଇପାସ୍‌ ଛକକୁ ଯାଇଥିଲେ। ତିନି ଜଣଙ୍କୁ ବାଇପାସ୍‌ ଛକରେ ଦେଖି ପବନ ସେଠାରେ ପହଞ୍ଚିଥିଲା। ପୁଣି ଥରେ ସୁଇଟି ସହ ପାଟିତୁଣ୍ଡ କରିଥିଲା। କଳିଝଗଡ଼ା ପରେ ସୁଇଟି ଓ ତାଙ୍କ ଦୁଇ ସାଥୀ ରାଜା ଏବଂ ଉମାଶଙ୍କର ସ୍କୁଟିରେ ଘରକୁ ଫେରୁଥିଲେ। ଉତ୍ତେଜିତ ପବନ ‌ସେମାନଙ୍କୁ ହାଇୱା (ଓଡି-୧୪ଟି-୩୦୨୫)ରେ ପିଛା କରିଥିଲା। ଜୀବନ ବଞ୍ଚାଇବା ପାଇଁ ସୁଇଟି ଦ୍ରୁତ ଗତିରେ ସ୍କୁଟି ଚଳାଇଥିଲେ। ହେଲେ ପବନ, ପବନ ବେଗରେ ହାଇୱା ଚଳାଇ ସେମାନଙ୍କ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ଧକ୍କା ଦେବା ପୂର୍ବରୁ ଉମାଶଙ୍କର ସ୍କୁଟିରୁ ଡେଇଁ ପଡ଼ି ବର୍ତ୍ତିଯାଇଥିଲେ। ସୁଇଟି ଏବଂ ରାଜାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଧକ୍କା ଦେବାପରେ ପବନ ହାଇୱା ସହ ଘଟଣାସ୍ଥଳରୁ ‌ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ରାସ୍ତା ଉପରେ ଦୁଇଜଣଙ୍କ ଶବ ପଡ଼ିଥିବା ଦେଖି ଲହୁଣିପଡ଼ା ଥାନାକୁ ସୂଚନା ଦେଇଥିଲେ।