କ୍ଷତି ୪୦ କୋଟି, ଶ୍ରମିକ ଗୁରୁତର

ଆର୍‌ଏସ୍‌ପିରେ ପୁଣି ଦୁର୍ଘଟଣା: ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌, ସମସ୍ତ ସହଯୋଗୀ ୟୁନିଟ୍‌ ଅଚଳ

ରାଉରକେଲା : ରକ୍ଷଣାବେକ୍ଷଣକୁ ଅଣଦେଖା କରି କର୍ତ୍ତୃପକ୍ଷଙ୍କ ଉତ୍ପାଦନ  ବୃଦ୍ଧି ନିଶାର କୁପରିଣାମ ସ୍ୱରୂପ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି)ରେ ଆଜି ପୁଣି ଦୁର୍ଘଟଣା ଘଟିଛି। ଭୋର୍‌ ପ୍ରାୟ ସାଢ଼େ ୪ଟା ବେଳେ ଷ୍ଟିଲ୍‌ ମେଲ୍ଟିଂ ସପ୍‌ (ଏସ୍‌ଏମ୍‌ଏସ୍‌)-୨ରୁ କାଷ୍ଟରକୁ  ଉତ୍ତପ୍ତ ତରଳ ଧାତୁ ନିଆଯାଉଥିବା ୨୫୦ ଟନ୍‌ ପରିବହନ କ୍ଷମତାବିଶିଷ୍ଟ କ୍ରେନ୍‌ର ରଶି ଛିଣ୍ଡିଯିବାରୁ ୧୬୦ ଟନ୍‌ ତରଳ ଧାତୁ ବୋଝେଇ ଲ୍ୟାଡ଼ଲ୍‌ଟି ତଳେ କଚାଡ଼ି ହୋଇପଡ଼ିଥିଲା। ଅନତି ଦୂରରେ କାର୍ଯ୍ୟରତ ଭଗବତୀ ଏଣ୍ଟରପ୍ରାଇଜେସ୍‌ର ଠିକା ଶ୍ରମିକ ସାହିଲ୍‌ କୁମାର ପୁର୍ତ୍ତିଙ୍କ ପିଠିରେ ୧୬୦୦ ସେଣ୍ଟିଗ୍ରେଡ୍‌ ଉତ୍ତାପର ତରଳ ଧାତୁ ପଡ଼ିଯିବାରୁ ସେ ପ୍ରାୟ ୮୦ ଭାଗ ପୋଡ଼ିଯାଇ ଗୁରୁତର  ହୋଇଛନ୍ତି। ଅନ୍ୟ ଶ୍ରମିକମାନେ ଦୌଡ଼ି ପଳାଇବାରୁ ବର୍ତ୍ତି ଯାଇଛନ୍ତି। ଯଦି ସକାଳ  ୭ଟା ପରେ ଏହି ଦୁର୍ଘଟଣା ଘଟିଥାନ୍ତା, ତେବେ ଅଧିକ ଜୀବନହାନି ଘଟିଥାନ୍ତା ବୋଲି ପ୍ରାୟତଃ ସବୁ ଶ୍ରମିକ ସଂଗଠନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ଦେଢ଼ଟା ବେଳେ ଜଣେ ଠିକା ଶ୍ରମିକ ସିଣ୍ଟର୍‌ ପ୍ଲାଣ୍ଟ୍‌ରେ ସଫେଇ କାର୍ଯ୍ୟ କରୁଥିବା ବେଳେ ତାଙ୍କ ପିଠିରେ ଉତ୍ତପ୍ତ ସିଣ୍ଟର ଖସି ପଡ଼ିବାରୁ ସେ ଆହତ ହୋଇଛନ୍ତି। ଏହାକୁ ପ୍ରଘଟ ନକରି ସମ୍ପୃକ୍ତ ଠିକା ଶ୍ରମିକଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେ ବିପଦମୁକ୍ତ ଥିବା କୁହାଯାଉଛି।

ଭୋର୍‌ ଦୁର୍ଘଟଣାରେ ଗୁରୁତର ଶ୍ରୀ ପୁର୍ତ୍ତିଙ୍କୁ ତୁରନ୍ତ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌ (ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ଆର୍‌ଏସ୍‌ପି ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଅଶ୍ୱିନୀ କୁମାର ଆଇଜିଏଚ୍‌ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ତାଙ୍କ ନିର୍ଦ୍ଦେଶରେ ଜଣେ ଡାକ୍ତର ଓ କାରଖାନାର ଜଣେ ଅଫିସରଙ୍କ ତତ୍ତ୍ୱାବଧାନରେ ଗୁରୁତର ଶ୍ରମିକଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ପକ୍ଷରେ ଦୁର୍ଘଟଣାର ତଦନ୍ତ ପାଇଁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ କ୍ରେନ୍‌ ଯୋଶେଫ୍‌ କମ୍ପାନିର। ୧୯୯୪ରେ ତିଆରି ଏହି କ୍ରେନ୍‌କୁ ପ୍ରଥମ ପର୍ଯ୍ୟାୟ ଆଧୁନିକୀକରଣ ବେଳେ ସ୍ଥାପନ କରାଯାଇଥିଲା। କ୍ରେନ୍‌ଟି ୨୨ ବର୍ଷର ପୁରୁଣା ହୋଇଥିଲେ ମଧ୍ୟ ଏହାର ନିୟମିତ ରକ୍ଷଣାବେକ୍ଷଣକୁ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନଥିଲେ ବୋଲି ଆର୍‌ଏସ୍‌ପିର ବୈଷୟିକ କର୍ମଚାରୀମାନେ ଟିପ୍ପଣୀ ଦେଇଛନ୍ତି।

ଦୁର୍ଘଟଣାରେ ଏକ ଟ୍ରାନ୍ସଫର କାର୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଏସ୍‌ଏମ୍‌ଏସ୍‌-୨ର ୩ଟି କନ୍‌ଭର୍ଟର ମଧ୍ୟରୁ ୨ଟି ଅଚଳ ହୋଇପଡ଼ିଛି। କନ୍‌ଭର୍ଟର ସି କାର୍ଯ୍ୟକ୍ଷମ ଅଛି। ବି’ ସିଫ୍ଟ୍‌ରେ କନ୍‌ଭର୍ଟର-ଏ କାମ କରିବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି। ତେବେ ଦୁର୍ଘଟଣା ପରେ କର୍ତ୍ତୃପକ୍ଷ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫କୁ ବନ୍ଦ  କରିବାକୁ ବାଧ୍ୟ ହୋଇଥିବାରୁ ଏସ୍‌ଏମ୍‌ଏସ୍‌-୨ ପ୍ରାୟ ୯୦% ଅଚଳ ହେବା ସହ ଏସ୍‌ଏମ୍‌ଏସ୍‌-୧, ଓଲ୍ଡ ପ୍ଲେଟ୍‌ ମିଲ୍‌, ସିଣ୍ଟର ପ୍ଲାଣ୍ଟ-୧ ଓ ୨ରୁ ଉତ୍ପାଦନ ବନ୍ଦ ରହିଛି। ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଚାଲିଥିଲେ ମଧ୍ୟ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ବେଳକୁ ନିହାତି ୨୦ ଘଣ୍ଟା ଲାଗିବ। ତେଣୁ ସବୁ ୟୁନିଟ୍‌  ଉତ୍ପାଦନକ୍ଷମ ହେବା ବେଳକୁ ଆର୍‌ଏସ୍‌ପିର କ୍ଷତି ପ୍ରାୟ ୪୦ କୋଟି ଟଙ୍କା ଟପିବା ଆକଳନ କରାଯାଉଛି। ଉଲ୍ଳେଖଯୋଗ୍ୟ, ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌ରୁ ଦୈନିକ ଉତ୍ପାଦିତ ୮ ହଜାର ଟନ୍‌ ଉତ୍ତପ୍ତ ଧାତୁର ଟନ୍‌ ପିଛା ମୂଲ୍ୟ ୨୦ ହଜାର ଟଙ୍କା ହୋଇଥିବା ବେଳେ ଏସ୍‌ଏମ୍‌ଏସ୍‌ରେ ଉତ୍ପାଦିତ ସ୍ଲାବ୍‌ର ମୂଲ୍ୟ ଟନ୍‌ ପିଛା ୨୭ ହଜାର ଟଙ୍କା। ସେହିପରି ପ୍ଲେଟ୍‌ ମିଲ୍‌ରୁ ଉତ୍ପାଦିତ ପ୍ଲେଟ୍‌ ମୂଲ୍ୟ ଟନ୍‌ ପିଛା ପ୍ରାୟ ୩୫ ହଜାର ଟଙ୍କା। ଏହି ହିସାବରେ ୨୦ ଘଣ୍ଟାର ଉତ୍ପାଦନ ବ୍ୟାହତ ପାଇଁ ୪୦ କୋଟି ଟଙ୍କା କ୍ଷତି ହେବ ବୋଲି ପ୍ଲାଣ୍ଟ୍‌ର ଅନେକ ବରିଷ୍ଠ ଇଞ୍ଜିନିୟର୍‌ ସ୍ୱୀକାର କରିଛନ୍ତି।

ମରାମତି ପାଇଁ ଚେତା ପଶିଲା

ରାଉରକେଲା : ଆର୍‌ଏସ୍‌ପିରେ ଶ୍ରମିକମାନେ ଅସୁରକ୍ଷିତ ତଥା ବିପଜ୍ଜନକ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ କରି ରଘୁନାଥପାଲ୍ଲି ବିଧାୟକ ସୁବ୍ରତ ତରାଇ ବିଧାନସଭାରେ ସ୍ୱର ଉତ୍ତୋଳନ କରିବା ସହ କେନ୍ଦ୍ର ଶ୍ରମ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ  କେନ୍ଦ୍ର ଶ୍ରମ ମନ୍ତ୍ରାଳୟର ନିର୍ଦ୍ଦେଶରେ ଗତ ଅକ୍ଟୋବର  ୧୩ରେ ମୁମ୍ବାଇସ୍ଥିତ ଫ୍ୟାକ୍ଟ୍ରି ସର୍ଭିସ ଆଣ୍ଡ ଲେବର୍‌ ଇନ୍‌ଷ୍ଟିଚ୍ୟୁଟର ମହାନିର୍ଦ୍ଦେଶକ ଡ. ଆର୍‌.କେ.ଏଲାନ୍‌ଗୋଭାନ, ଉପନିର୍ଦ୍ଦେଶକ (ମେଡିକାଲ), ଓଡ଼ିଶା ସରକାରଙ୍କ ଫ୍ୟାକ୍ଟି୍ରଜ୍‌ ଆଣ୍ଡ ବଏଲର୍ସ ସେଫ୍ଟିର ଉପ ନିର୍ଦ୍ଦେଶକ ଡ. ମଳୟ ପ୍ରଧାନ, ଫ୍ୟାକ୍ଟି୍ରଜ୍‌ ଆଣ୍ଡ ବଏଲର୍ସ ସେଫ୍ଟିର ପୂର୍ବତନ ନିର୍ଦ୍ଦେଶକ ଏଚ୍‌.ଏସ୍‌. ମହାନ୍ତିଙ୍କୁ ନେଇ ଗଠିତ ତଦନ୍ତକାରୀ ଦଳ ପ୍ଲାଣ୍ଟର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ।

ହେଲେ ତଦନ୍ତର ୨୪ ଘଣ୍ଟା ନଯାଉଣୁ  ଅକ୍ଟୋବର ୧୪ରେ ବ୍ଲାଷ୍ଟ ଫର୍ଣ୍ଣେସ୍‌- ୫ରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୫ ଶ୍ରମିକ ଗୁରୁତର ହୋଇ ପଡ଼ିଥିଲେ। ଏହା ପରେ ପ୍ଲାଣ୍ଟରେ ୩ଥର ଦୁର୍ଘଟଣା ଘଟିଛି। ଏହା ସତ୍ତ୍ୱେ ଆର୍‌ଏସ୍‌ପିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଉଦ୍ଦିଷ୍ଟ ସାଧାରଣ କାର୍ଯ୍ୟକାରୀ ପଦ୍ଧତି (ଏସ୍‌ଓପି)କୁ ଗୁରୁତ୍ୱ ଦେଇ ନଥିଲେ। ଆଜି  ପୁଣି ଏକ ଦୁର୍ଘଟଣା ଘଟିବା ପରେ  ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି।  ପ୍ଲାଣ୍ଟ୍‌ର ସମସ୍ତ ପ୍ରମୁଖ ୟୁନିଟରେ ମରାମତି ପାଇଁ କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତି ନିମନ୍ତେ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ପ୍ରସ୍ତାବିତ ମରାମତି କାର୍ଯ୍ୟଗୁଡ଼ିକ ମଧ୍ୟରେ ଏସ୍‌ଏମ୍‌ଏସ୍‌-୨ର କନ୍‌ଭର୍ଟର-ବି, ରିଲାଇନିଂ, ଏଚ୍‌ଏସ୍‌ଏମ୍‌-୫ର ରିହିଟିଂ ଫର୍ଣ୍ଣେସ୍‌,  ସ୍କେଲ ସଫେଇ ଓ ବ୍ଲାଷ୍ଟ ଫର୍ଣ୍ଣେସ୍‌-୫ର ପ୍ରେସର୍‌ ରିଲିଭ୍‌ ଭାଲବ୍‌ ମରାମତି ଅନ୍ତର୍ଭୁକ୍ତ କରାଯାଇଛି।ଏସବୁ କାମ ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏହା ସହ  ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ କାର୍ଯ୍ୟକାରୀ ହେବାକୁ ଥିବା ସର୍ଟଡାଉନ୍‌ (ସାମୟିକ ବନ୍ଦ) କାର୍ଯ୍ୟ ଯୋଜନାକୁ ଆଗୁଆ କରାଯିବ, ଯଦ୍ୱାରା ଆର୍ଥିକ କ୍ଷୟକ୍ଷତିକୁ ଏଡ଼ାଇ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର