୩୦ ଘଣ୍ଟାରେ ଆର୍‌ଏସ୍‌ପିରେ ଦ୍ୱିତୀୟ ଦୁର୍ଘଟଣା

ତରଳ ଧାତୁବାହୀ କ୍ରେନ୍‌ ଛିଡ଼ିପଡ଼ିଲା, ଦୈନିକ କ୍ଷତି ୩୦ କୋଟି

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଷ୍ଟିଲ୍‌ ମେଲ୍ଟିଂ ସପ୍‌ (ଏସ୍‌ଏମ୍‌ଏସ୍‌)-୨ରେ ଶନିବାର ଭୋର୍‌ରେ ସଂଘଟିତ ଦୁର୍ଘଟଣାର ୩୦ ଘଣ୍ଟା ନ ପୂରୁଣୁ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପୁଣି ଦୁର୍ଘଟଣା ଘଟିଛି। ଗତକାଲି ଏସ୍‌ଏମ୍‌ଏସ୍‌-୨ରୁ କନ୍‌ଭର୍ଟର-ଏକୁ ଉତ୍ତପ୍ତ ତରଳ ଧାତୁ ପରିବହନ ବେଳେ ୧୯୯୫ରେ ସ୍ଥାପିତ କ୍ରେନ୍‌ର ଲ୍ୟାଡଲ୍‌ ରଶି ଛିଡ଼ି ତଳେ କଚାଡ଼ି ହୋଇପଡ଼ିବାରୁ ତରଳ ଧାତୁ ଛିଟ୍‌କାରେ ଜଣେ ଶ୍ରମିକ ଗୁରୁତର ହୋଇଥିଲେ। ଆଜି ଅନୁରୂପ ଭାବେ କନ୍‌ଭର୍ଟର-ସି’କୁ ତରଳ ଧାତୁ ପରିବହନ ବେଳେ ଦ୍ୱିତୀୟ ପର୍ଯ୍ୟାୟ ଆଧୁନିକୀକରଣରେ ସ୍ଥାପିତ କ୍ରେନ୍‌ ନଂ-୨୦୨୧ ଛିଡ଼ି ତଳେ ପଡ଼ିଥିଲା। ଏହା ଛିଡ଼ି ପଡୁଥିବା ଦେଖି ସେଠାରେ ଥିବା ମହାପ୍ରବନ୍ଧକ (ବିଦ୍ୟୁତ୍‌), ଜଣେ ଉପ ମହାପ୍ରବନ୍ଧକ ଓ କେତେକ କର୍ମଚାରୀ ଦୌଡ଼ି ପଳାଇଥିଲେ। ତେଣୁ ନିଶ୍ଚିତ ବିପଦରୁ ବର୍ତ୍ତିଥିଲେ। ତେବେ କ୍ରେନ୍‌ ଲ୍ୟାଡଲ୍‌ରେ ଥିବା ୧୬୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ଉତ୍ତାପର ୧୫୦ ଟନ୍‌ରୁ ଅଧିକ ତରଳ ଧାତୁ ବିଛାଡ଼ି ହୋଇ ପଡ଼ିବା ବେଳେ ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଥିଲା। ଆର୍‌ଏସ୍‌ପି ଅଗ୍ନିଶମ ବିଭାଗର ୩ଟି ଦମକଳ ଆସି ନିଆଁ ଲିଭାଇବା ବେଳକୁ ଅନେକ ଯନ୍ତ୍ରପାତି ସମେତ କନ୍‌ଭର୍ଟର କେବଲ୍‌ ପୋଡ଼ିଯାଇଥିଲା।

ଏହି ଦୁର୍ଘଟଣାର ପରିଣାମସ୍ୱରୂପ ତରଳ ଧାତୁକୁ ସ୍ଲାବ୍‌ରେ ରୂପାନ୍ତରିତ କରୁଥିବା ଦୁଇଟି କନ୍‌ଭର୍ଟର ଅଚଳ ହୋଇପଡ଼ିଛି। ଏବେ ଏକ ମାତ୍ର କନ୍‌ଭର୍ଟର-ବି କାର୍ଯ୍ୟକ୍ଷମ ଥିବାରୁ ଦୈନିକ ସ୍ଲାବ୍‌ ଉତ୍ପାଦନ ୩୦୦୦ ଟନ୍‌ ମଧ୍ୟରେ ସୀମିତ ରହିବ। ଏଭଳି ପରିସ୍ଥିତିରେ କର୍ତ୍ତୃପକ୍ଷ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌ରୁ ଉତ୍ତପ୍ତ ଧାତୁ ଉତ୍ପାଦନକୁ ଦୈନିକ ନିହାତି ୫୦୦୦ ଟନ୍‌ ହ୍ରାସ କରିବାକୁ ବାଧ୍ୟ ହେବେ। ଗତକାଲି ଦୁର୍ଘଟଣା ପରେ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫କୁ ବନ୍ଦ ରଖାଯାଇଥିଲା। ଆଜି ଭୋର୍‌ ପ୍ରାୟ ୫ଟାରେ ତାହାକୁ କାର୍ଯ୍ୟକ୍ଷମ କରାଯିବାର ୬ ଘଣ୍ଟା ନଯାଉଣୁ ଆଜି ପୁଣି ଦୁର୍ଘଟଣା ଘଟିଥିବାରୁ କର୍ତ୍ତୃପକ୍ଷ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୪କୁ ସମ୍ପୂର୍ଣ୍ଣ ବନ୍ଦ ରଖିବେ କିମ୍ବା ଉଭୟ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌କୁ କମ କ୍ଷମତାରେ ଚଳାଇବାକୁ ବାଧ୍ୟ ହେବେ। ପୁଣି କାରଖାନାର ସିଣ୍ଟର୍‌ ପ୍ଲାଣ୍ଟ-୨ ଓ ୩ ବନ୍ଦ ରହିଛି। ଗତକାଲି ଦୁର୍ଘଟଣା ଯୋଗୁଁ ଉଭୟ ଯନ୍ତ୍ରାଂଶ ଓ ଉତ୍ପାଦନ କ୍ଷତି ପ୍ରାୟ ୪୦ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ଏସ୍‌ଏମ୍‌ଏସ୍‌-୨ର ଦୁଇଟି କନ୍‌ଭର୍ଟର ମରାମତି ପରେ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଦୈନିକ ପ୍ରାୟ ୩୦ କୋଟି ଟଙ୍କା କ୍ଷତି ଲାଗିରହିବ।

ସମ୍ବନ୍ଧିତ ଖବର