ବେଆଇନ୍ କ୍ରସରରେ ଦୁର୍ଘଟଣା: ଶ୍ରମିକଙ୍କ ମୃତ୍ୟୁ, ମାଲିକ ଅଟକ

ତଥ୍ୟ ଦେବାକୁ ପୁଲିସ କୁନ୍ଥକୁନ୍ଥ କାହିଁକି?

ଯାଜପୁର/କବାଟବନ୍ଧ : ବେଆଇନ୍ କ୍ରସର କାରବାର ଠପ୍ ହୋଇଯାଇଥିବା ପ୍ରଶାସନ କହିଚାଲିଛି। ଅଥଚ ଗତକାଲି ସଂଧ୍ୟାରେ ଜେନାପୁର ଥାନା ଅନ୍ତର୍ଗତ ଚକ୍ରଧରପୁର ପଞ୍ଚାୟତ ବାଘୁଆ ଠାରେ ଥିବା ଏକ ବେଆଇନ୍ କ୍ରସରରେ ମୟୂରଭଞ୍ଜ ଜିଲ୍ଲାର ଜଣେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଘଟଣାକୁ ଚପାଇ ଦେବାକୁ ଗତକାଲି ଠାରୁ ମୂଲଚାଲ ଚାଲିଛି। ତେବେ ଘଟଣା ପ୍ରଘଟ ହେବା ପରେ ଆଜି ଜେନାପୁର ଥାନା ପୁଲିସ ବାଧ୍ୟ ହୋଇ କ୍ରସର ମାଲିକଙ୍କୁ ଧରିଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଘଟଣାକୁ ରଫାଦଫା କରିବାକୁ ଶ୍ରମିକ ପରିବାରକୁ କିଛି ଅର୍ଥ ଦେଇ କ୍ରସର ମାଲିକ ଶବ ହସ୍ତାନ୍ତର କରିଛନ୍ତି। ତଥ୍ୟ ଦେବାକୁ ଜେନାପୁର ଥାନା ଅମଙ୍ଗ କାହିଁକ ବୋଲି ପ୍ରଶ୍ନ ହେଉଛି।

ଗତକାଲି ସଂଧ୍ୟାରେ ବାଘୁଆରେ ଏକ ବେଆଇନ୍ କ୍ରସର ଚାଲିଥିବା ବେଳେ ହମ୍ପର ଭାଙ୍ଗିଯିବାରୁ ସେଠାରେ ଅସୁରକ୍ଷିତ ଅବସ୍ଥାରେ କାର୍ଯ୍ୟରତ ଶ୍ରମିକ ବୁଦ୍ଧିରାମ ପାନ(୨୨)ଙ୍କ ମୃତ୍ୟୁ ଘଟିଥିଲା। ହମ୍ପରର ଏକ ଲୁହା ଆଙ୍ଗେଲ୍ ଶ୍ରମିକ ବୁଦ୍ଧିରାମଙ୍କ ଉପରେ ପଡିବାରୁ ସେଠାର ତାଙ୍କ ମୃତ୍ୟୁ ହୋଇଥିଲା। ଶ୍ରମିକଙ୍କ ଶବକୁ ବଡଚଣା ମେଡିକାଲକୁ ନେଇଥିଲେ। ସେଠାରେ ତାକୁ ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ। ଏହି ବେଆଇନ କ୍ରସର ବଡ଼ଚଣା ଅଞ୍ଚଳର ଜଣେ ଶାସକ ଦଳ ନେତ୍ରୀଙ୍କ ଦିଅରଙ୍କ ହୋଇଥିବାରୁ ଘଟଣାକୁ ଚପାଇ ଦେବାକୁ ଗତକାଲି ଠାରୁ ଚାପ ସୃଷ୍ଟି ହୋଇଛି। ଏପରିକି ଶବକୁ ଆଜି ପର୍ଯ୍ୟନ୍ତ ବ୍ୟବଚ୍ଛେଦ କରାଯାଇନାହିଁ। ବଡ଼ଚଣା ମେଡ଼ିକାଲରେ ଥିବା କୁହାଯାଉଛି। ଜେନାପୁର ପୁଲିସ ଥାନାରେ କ୍ରସର ମାଲିକ ଅଟକ ଅଛନ୍ତି।

ଏ ସମ୍ପର୍କରେ ଜେନାପୁର ଥାନାଧିକାରୀ ଆଶିଷ କୁମାର ସାହୁଙ୍କୁ ପଚାରିବାରେ ସେ ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି। ପୁଲିସ କାହିିଁକି ମୁହଁ ଲୁଚାଉଛି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ହେଉଛି। ଜେନାପୁର ଥାନା ପୁଲିସ ବେଆଇନ କ୍ରସର ଓ କଳାପଥର କାରବାରକୁ ନେଇ ଅଧିକାଂଶ ସମୟରେ ସମାଲୋଚନା ହେଉଥିବା ବେଳେ ଏବେ ପୁଣି ଶ୍ରମିକ ମୃତ୍ୟୁଘଟଣା ନେଇ ବିବାଦରେ ଛନ୍ଦି ହୋଇପଡ଼ିଛି।

ସମ୍ବନ୍ଧିତ ଖବର