ରସୁଲପୁର/ ଧାମରା / ଚିତ୍ରକୋଣ୍ଡା: ରାଜ୍ୟର ୩ଟି ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି।
ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବିଜୁନଗରଠାରେ ଏକ ଅଜଣା ଗାଡ଼ି ଧକ୍କାରେ କ୍ଷୀରୋଦ କୁମାର ଓଝା ନାମକ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି। ମୃତ ଯୁବକଙ୍କ ଘର ଯାଜପୁର ରୋଡ଼ ଥାନା ସନ୍ତରା ଅଞ୍ଚଳରେ ବୋଲି ଜଣାପଡିଛି। ସେ କଟକରୁ ଘରକୁ ଫେରୁଥିବା ବାଟରେ ଶୁକ୍ରବାର ରାତି ୯ଟା ୪୦ମିନିଟ ସମୟରେ ଏକ ଗାଡି ପଛରୁ ଧକ୍କା ଦେଇ ପଳାଇ ଯାଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି କୁଆଖିଆ ପୁଲିସ୍ ଚିକିତ୍ସା ଲାଗି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଇ ତଦନ୍ତ ଜାରି ରଖିଛି।
ସେହିପରି ଭଦ୍ରକ ଜିଲ୍ଲାର ଧାମରା ନିକଟସ୍ଥ କରଂଜମାଲ ଗ୍ରାମ ପଂଚାୟତ ଶଶିକାଦେଇପୁର ନିକଟରେ ଆଜି ସକାଳ ୧୦.୩୦ ମିନିଟ ସମୟରେ ଏକ ହାଇୱା ଦୁଇ ଜଣ ଯୁବକଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ତୁଟାପଡା ଗ୍ରାମର ପ୍ରଦୀପ ମହାଳିକ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ବାସୁଦେବପୁର ସ୍ଥାନାନ୍ତର କରାଯାଇଛି।
ଏପଟେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳ ଅନ୍ତର୍ଗତ ହାନ୍ତାଳଗୁଡା ଘାଟିରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଥିବା ଜଣାପଡ଼ିଛି। ଟ୍ରାକ୍ଟରଟି ଚାଉଳ, ରଡ଼ ବୋଝେଇ କରି ଚିତ୍ରକୋଣ୍ଡାରୁ ସ୍ୱାଭିମାନ ଅଂଚଳର କୁସୁମଫୁଟକୁ ଯାଉଥିଲା। ଡ୍ରାଇଭର ସମେତ ଆଉ ତିନିଜଣ ଟ୍ରାକ୍ଟରରେ ବସିଥିଲେ। ସୌଭାଗ୍ୟବଶତଃ ଡ୍ରାଇଭର ସହ ଅନ୍ୟ ତିନିଜଣ ଗାଡ଼ିରୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି । ଟ୍ରାକ୍ଟର ହନ୍ତାଳଗୁଡ଼ା ଘାଟିର ୩୦୦ ଫୁଟ ତଳକୁ ଖସିପଡ଼ିଛି।