ଜଗତସିଂହପୁର: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଶନିବାର ରାତି ପ୍ରାୟ ୨ଟା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇଜଣ ହାଇୱା ଡ୍ରାଇଭର୍ଙ୍କ ମୃତ୍ୟୁ ଘଟିଛି। ମରାମତି ଚାଲିଥିବା ଏକ ହାଇୱାକୁ ଅନ୍ୟଏକ ଲୁହାପଥର ବୋଝେଇ ଟ୍ରକ୍ ଧକ୍କା ଦେବାରୁ ହାଇୱାର ଦୁଇଜଣ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଉଛନ୍ତି ପୁରୀଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ରତ୍ନାକର ସ୍ବାଇଁ ଓ ପାରାଦୀପ ଷଣ୍ଢକୁଦ ଅଞ୍ଚଳର ଚନ୍ଦନ ଜେନା। କ୍ଷତିପୂରଣ ଦାବିରେ ହାଇୱା ଓ ଡମ୍ପର୍ ଡ୍ରାଇଭରମାନେ ରବିବାର ଭୋର୍ ୪ଟାରୁ ଆନ୍ଦୋଳନ ଚଳାଇଥିଲେ। ୧୨ଘଣ୍ଟା ଧରି ଆନ୍ଦୋଳନ ଚାଲୁ ରହିବା ଫଳରେ ପରିବହନ ଏକପ୍ରକାର ଠପ୍ ହୋଇଯାଇଥିଲା। କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ଅପରାହ୍ଣ ୪ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଆଇନଶୃଙ୍ଖଳାକୁ ନେଇ ପୁଲିସ ଓ ପ୍ରଶାସନକୁ ନାକେଦମ୍ ହେବାକୁ ପଡ଼ିଛି।
ପାରାଦୀପ ବନ୍ଦର ଆଇ-୧୦ ପ୍ଲଟ୍ ସମ୍ମୁଖରେ ଏକ ହାଇୱା ଗାଡ଼ି ଖରାପ ହେବାରୁ ଦୁଇଜଣ ଡ୍ରାଇଭର୍ ରତ୍ନାକର ସ୍ବାଇଁ ଓ ଚନ୍ଦନ ଜେନା ମିଶି ଉକ୍ତ ହାଇୱାର କ୍ୟାବିନ୍ ଭିତରେ ପଶି କାମ କରୁଥିଲେ। ଏହି ସମୟରେ ଲୁହାପଥର ବୋଝେଇ ଟ୍ରକ୍ (ଓଡି-୦୪-ପି-୯୯୯୩) ଦ୍ରୁତଗତିରେ ଆସି ହାଇୱାକୁ ଧକ୍କା ଦେଇଥିଲା। ଫଳରେ କ୍ୟାବିନ୍ ଭିତରେ ଦୁଇଜଣ ଚାପି ହୋଇଯାଇଥିଲେ। ଅନ୍ୟ ଡ୍ରାଇଭର୍ମାନେ ବାହାର କରି ତୁରନ୍ତ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କହିଥିଲେ। ଲୁହାପଥର ବୋଝେଇ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ବନ୍ଦର ନିଷିଦ୍ଧାଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କାମ ବନ୍ଦ କରି ପାଖାପାଖି ହଜାରେରୁ ଅଧିକ ହାଇୱା, ଡମ୍ପର ଓ ଟିପର୍ ଡ୍ରାଇଭର୍ ବନ୍ଦରର ଦୁଇ, ତିନି ଓ ଚାରି ନମ୍ବର ସମେତ ଅନ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ରାତି ୪ଟାରୁ ବର୍ଥରୁ ପ୍ଲଟ୍କୁ ପଣ୍ୟ ପରିବହନ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।
ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଅତିରିକ୍ତ ଏସ୍ପି ସ୍ମୃତିରଞ୍ଜନ କରଙ୍କ ହସ୍ତକ୍ଷେପ ପରେ ଡ୍ରାଇଭର୍ ସଂଘ, ବନ୍ଦର ଅଫିସର୍, ଷ୍ଟିଭେଡୋର୍ ସଂସ୍ଥା ଓ ଡମ୍ପର୍ ସଂଘ ମଧ୍ୟରେ ଆଲୋଚନା ହୋଇଥିଲା। ମୃତକଙ୍କ ପରିବାରକୁ ପାରାଦୀପ ବନ୍ଦର ପକ୍ଷରୁ ୧୦ ଲକ୍ଷ ଟଙ୍କା, ଡମ୍ପର ସଂଘ ପକ୍ଷରୁ ୨ ଲକ୍ଷ ୨୦ ହଜାର ଟଙ୍କା, ସେମାନେ କାମ କରୁଥିବା ଲିବର୍ଟି ଷ୍ଟିଭେଡୋର୍ ସଂସ୍ଥା ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ସେହିପରି ଉଭୟଙ୍କ ପତ୍ନୀଙ୍କୁ ଠିକା ନିଯୁକ୍ତି ନେଇ ଯେଉଁ ଦାବି ରହିଥିଲା ପ୍ରଶାସନ ପକ୍ଷରୁ ତାହା ଉପରେ ବିଚାରବିମର୍ଶ ଜାରି ରହିଛି। ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ଓହରିଥିଲେ ଓ ପରିବହନ କାର୍ଯ୍ୟ ସ୍ବାଭାବିକ ହୋଇଥିଲା। ପାରାଦୀପ ଆଦର୍ଶ ଥାନା ପୁଲିସ ମାମଲା ରୁଜୁ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି। ସୋମବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/05/O0YIrjsDwh8dc0tk2MnC.jpg)