ବୀରମହାରାଜପୁର: ବୀରମହାରାଜପୁର-ଅମରପାଲି ରାସ୍ତାର ମେଣ୍ଡିଲିପାଲି ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃ୍ତ୍ୟୁ ହୋଇଛି। ମୃତକ ଜଣ ହେଲେ ମୁର୍ଷୁଣ୍ଢୀ ପଞ୍ଚାୟତ କର୍ଡାପାଲ ଗ୍ରାମର ଶିବ ସାମଲଙ୍କ ଏକମାତ୍ର ପୁତ୍ର ନିମାଇଁ ସାମଲ(୨୭ବର୍ଷ)। ନିମାଇଁ ରବିବାର ବିଳମ୍ବିତ ରାତିରେ ତାଙ୍କ ମାମୁଘର ବିଶାଲପାଲିରୁ ନିଜ ଘରକୁ ଫେରୁଥିଲେ। ମେଣ୍ଡିଲିପାଲି ଛକ ନିକଟସ୍ଥ ପୋଖରୀ ପାଖ ବୁଲାଣି ରାସ୍ତାରେ କୌଣସି ଅଜଣା ଗାଡ଼ି ସହିତ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ସେ ବାଇକ ସହିତ ରାସ୍ତା ତଳକୁ ଛିଟିକି ପଡିଥିଲେ।
ସୋମବାର ସକାଳୁ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୀରମହାରାଜପୁର ହସପିଟାଲକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୁବଳୟା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏନେଇ ସୁବଳୟା ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଅଞ୍ଜଳି କୁମ୍ଭାର ପ୍ରକାଶ କରିଛନ୍ତି। ଯୁବକ ଜଣକ ଜଣେ ଟ୍ରାକ୍ଟର ଚାଳକ ଅଟନ୍ତି। ତାଙ୍କ ୨ ବର୍ଷର ଏକ ଭିନ୍ନକ୍ଷମ ପୁତ୍ର ସନ୍ତାନ ଥିବା ଜଣାପଡ଼ିଛି। ଯୁବକ ଜଣକ ଗରିବ ପରିବାରର ଏକମାତ୍ର ରୋଜଗାରକ୍ଷମ ଥିବା ବେଳେ ଏବେ ସଂପୂର୍ଣ୍ଣ ପରିବାର ବେସାହାରା ହୋଇ ପଡ଼ିଛନ୍ତି। ତେଣୁ ମୃତକଙ୍କ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f-1.jpg)