କୁହିକା: ସୁକିନ୍ଦା ଥାନା ଅନ୍ତର୍ଗତ ରେଙ୍ଗାଲୀ ବାମ କେନାଲ ରାସ୍ତାରେ ଏକ ହାଇୱା ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ସୁକିନ୍ଦା ଥାନା ତଥା କୁହିକା ପଞ୍ଚାୟତ ଅନ୍ତର୍ଗତ ଗନ୍ଧାପାଳ ଗ୍ରାମର ସ୍ବର୍ଗତ ଭୀମସେନ ବାରିକଙ୍କ ପୁଅ ଜିତେନ୍ଦ୍ର ଓରଫ ଜିତୁ(୪୦)। ଗତକାଲି ସନ୍ଧ୍ୟାରେ ଜିତୁ କାଳିଆପାଣି ଥାନା ଅନ୍ତର୍ଗତ କାଦୁଆବନ୍ଦୀ ଗ୍ରାମରୁ ଏକ ହୋଣ୍ଡା ସାଇନ ଓଡି-୦୬ଜେ-୩୯୫୪ ରେ ଫେରୁଥିବା ବେଳେ ପିମ୍ପୁଡ଼ିଆ ଛକ ନିକଟରେ ପଛପଟୁ ଆସୁଥିବା ଓଆର-୦୯ଏନ୍-୯୧୩୮ ତାଙ୍କୁ ଧକ୍କା ଦେଇଥିଲା।
ଫଳରେ ସେ ବାଇକ୍ରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ନେଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସମ୍ପର୍କୀୟଙ୍କ ଅଭିଯୋଗ ପରେ ଏନେଇ ସୁକିନ୍ଦା ଥାନାରେ ୮୮/୨୩ ରେ ମାମଲା ରୁଜୁ ହୋଇଛି। ଆଜି ପୂର୍ବାହ୍ଣରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ସେଠାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ପହଞ୍ଚି ଶେଷଦର୍ଶନ କରିଥିଲେ। ଜିତୁ କାଳିଆପାଣି ଖଣି ଅଞ୍ଚଳର ଏକ କମ୍ପାନିରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ଓଡ଼ିଶା ଡ୍ରାଇଭର ମହାସଂଘ କୁହିକା ପଞ୍ଚାୟତର ସଭ୍ୟମାନେ କୁହିକା ଛକରୁ ମରଶରୀରକୁ ଶୋଭାଯାତ୍ରାରେ ଅଣାଯାଇଥିଲା। ଗନ୍ଧାପାଳ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। କୁହିକା ସରପଞ୍ଚ ଅଶ୍ୱିନୀ ପରିଡ଼ା, ସମିତିସଭ୍ୟ ରଞ୍ଜନ କୁମାର ନାୟକ, ବ୍ରଜକିଶୋର ବାରିକ, ହୃଦାନନ୍ଦ ପ୍ରଧାନ, ମହେଶ୍ୱର ନାୟକ, ତ୍ରିଲୋଚନ ମହାକୁଡ଼, ପ୍ରଦୀପ କୁମାର ପାତ୍ର ପ୍ରମୁଖ ଶେଷଦର୍ଶନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/13-16.jpg)