ଭୁବନେଶ୍ବର : ଏଣିକି ରାଜ୍ୟର କାରଖାନାଗୁଡ଼ିକରେ ଘଟୁଥିବା ଦୁର୍ଘଟଣାର ସଠିକ୍ ରିପୋର୍ଟିଂ ଓ ଟ୍ରାକିଂ ଅନଲାଇନ୍ ଜରିଆରେ କରାଯିବ। ଆଜି ଲୋକସେବା ଭବନରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଭିଡିଓ କନଫରେନ୍ସିଂ ଜରିଆରେ ଆକ୍ସିଡେଣ୍ଟ୍ ମନିଟରିଂ ସିଷ୍ଟମ୍ର ଲୋକାର୍ପିତ କରିଛନ୍ତି। ଏହି ବ୍ୟବସ୍ଥା ଦ୍ବାରା ବିଭିନ୍ନ କାରଖାନାରେ ଘଟୁଥିବା ଦୁର୍ଘଟଣାର ସୂଚନା ଆଦାନ ପ୍ରଦାନ ଶୀଘ୍ର ହୋଇପାରିବ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂହ କହିଥଲେ, ଅନଲାଇନ୍ ବ୍ୟବସ୍ଥା କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହିତ ବିଭାଗୀୟ ଅଧିକାରୀ ଓ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ତ୍ବରିତ୍ ନିଷ୍ପତ୍ତି ନେବାରେ ସହାୟକ ହେବ। ଏଥିପାଇଁ କାରଖାନାଗୁଡ଼ିକ ଅନ୍ଲାଇନ୍ ଜରିଆରେ ଏହି ପୋର୍ଟାଲରେ ପଞ୍ଜୀକରଣ କରିବେ। ପୂର୍ବରୁ ହୋଇଥିବା ଦୁର୍ଘଟଣାର ମାନୁଆଲ ରିପୋର୍ଟିଂ ବି ଏହି ପୋର୍ଟାଲରେ ଅପଲୋଡ୍ କରାଯିବ। ଦୁର୍ଘଟଣା ସମ୍ବନ୍ଧୀୟ ପ୍ରାରମ୍ବିକ ରିପୋର୍ଟ, ନିଷେଧାଦେଶ, ଚେକ୍ ଅପ୍, ନିରୀକ୍ଷଣ ରିପୋର୍ଟ, ନିଷେଧାଦେଶ ପ୍ରତ୍ୟାହାର, ନିର୍ଣ୍ଣାୟକ ଅନୁସନ୍ଧାନ ରିପୋର୍ଟ, ପ୍ରୋସିକ୍ୟୁସନ୍ ରିପୋର୍ଟ, ସୁପରଭାଇଜ କରୁଥିବା ଅଧିକାରୀଙ୍କ ରିପୋର୍ଟଗୁଡ଼ିକ ସ୍ବୟଂଚାଳିତ ଭାବେ ଅପଡେଟ୍ ହୋଇପାରିବ। ସହଜରେ ଟ୍ରାକିଂ ଓ ମନିଟରିଂ କରିବା ପାଇଁ ଏହି ପୋର୍ଟାଲର ଡ୍ୟାସ୍ ବୋର୍ଡ଼କୁ ବିଶ୍ଲେଷଣ କରିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଡିଭିଜନ ଓ ଜୋନ୍ସ୍ତରୀୟ ଦୁର୍ଘଟଣା ସ୍ଥିତି ଜାଣିବା ପାଇଁ ସୁବିଧା ରହିବା ସଙ୍ଗେ ସଙ୍ଗେ ଦୁର୍ଘଟଣାରେ ପୀଡିତ ଶ୍ରମିକଙ୍କର ସବିଶେଷ ବିବରଣୀ ଏହି ପୋର୍ଟାଲ୍ରେ ଉପଲବ୍ଧ ହେବ। ଦୁର୍ଘଟଣା ହ୍ରାସ କରିବା ପାଇଁ ସଚେତନତା, ଉତ୍ତରଦାୟିତ୍ବ, ବୈଷୟିକ ଜ୍ଞାନ କୌଶଳର ଉପଯୋଗ ଓ ଶ୍ରମିକ ସଶକ୍ତୀକରଣ ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ଭର୍ଚୁଆଲ୍ ଲୋକାର୍ପଣ ଉତ୍ସବରେ ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ଫ୍ୟାକ୍ଟ୍ରି ଓ ବ୍ରଏଲର୍ ନିର୍ଦ୍ଦେଶାଳୟର ସମସ୍ତ ବିଭାଗୀୟ ଅଧିକାରୀ ଏବଂ ପ୍ରମୁଖ କଳକାରଖାନାଗୁଡ଼ିକର ପ୍ରତିନିଧିଗଣ ନିଜ ନିଜ ଅଞ୍ଚଳରେ ଥିବା ଏନ୍.ଆଇ.ସି କେନ୍ଦ୍ରରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Susant-Singh.jpg)