କୋଣାର୍କ: ଏକ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଆହତମାନଙ୍କୁ ଉଦ୍ଧାର କରିବାକୁ ଯାଇ ଜଗତସିଂହପୁରଜିଲ୍ଲା ଅନ୍ତର୍ଗତ ନାଉଗାଁର ପ୍ରସନ୍ନଜିତ ପରିଡ଼ା(୨୯)ଙ୍କ ଦୁଃଖଦ ମୃତ୍ୟୁ ହୋଇଯାଇଛି। ସୋମବାର ସକାଳେ ଚନ୍ଦ୍ରଭାଗା ବେଳାମାର୍ଗରେ ପୁରୀରୁ କୋଣାର୍କ ଅଭିମୁଖେ ପର୍ଯ୍ୟଟକମାନଙ୍କୁ ନେଇ ଆସୁଥିବା ଏକ ଟ୍ରାଭେରା(ଓଆର୍୧୩-ଜି-୧୬୭୭) ଗାଡ଼ି ଭାରସାମ୍ୟ ହରାଇ କଇଁଛଘର ନିକଟରେ ଥିବା ଏକ ୩୩ କେଭି ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ସେହି ସମୟରେ ଚନ୍ଦ୍ରଭାଗାରୁ ପୁରୀ ଅଭିମୁଖେ ଯାଉଥିବା ଜଗତସିଂହପୁର ନାଉଗାଁ ଅଞ୍ଚଳର କିଛି ଯୁବକ ଦୁର୍ଘଟଣାସ୍ଥଳରେ ଅଟକି ଆହତ ପର୍ଯ୍ୟଟକମାନଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ସମସ୍ତ ପର୍ଯ୍ୟଟକଙ୍କୁ ଗାଡ଼ିରୁ ବାହାର କରି ଆଣି ସାରିବା ପରେ ନାଉଗାଁର ପ୍ରସନ୍ନଜିତ ଡ୍ରାଇଭରକୁ ଉଦ୍ଧାର କରିବାକୁ ଯାଇଥିଲେ। ସେତେବେଳେକୁ ୩୩ କେଭି ଖୁଣ୍ଟିରେ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା। ଖୁଣ୍ଟକୁ ଭାରାଦେଇ ଡ୍ରାଇଭର୍କୁ ଉଦ୍ଧାର କରିବାକୁ ଉଦ୍ୟମ କଲାବେଳେ ପ୍ରସନ୍ନଜିତ୍ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଅନ୍ୟମାନେ ଉଦ୍ଧାର କରି କୋଣାର୍କ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୋଣାର୍କ ଚମ୍ପାହର ଅଗ୍ନିଶମ ବିଭାଗ ସମସ୍ତ ଗୁରୁତର ପର୍ଯ୍ୟଟକମାନଙ୍କୁ ଗୋପ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରିଥିଲେ। ଆହତଙ୍କ ମଧ୍ୟରେ ଜଣେ ଶିଶୁ, ଦୁଇଜଣ ମହିଳାଙ୍କ ସମେତ ୮ ଜଣ ପର୍ଯ୍ୟଟକ ରହିଥିବା ଜଣାପଡ଼ିଛି। ସମସ୍ତ ପର୍ଯ୍ୟଟକଙ୍କ ଘର ମହାରାଷ୍ଟ୍ରରେ। ସେମାନେ ପୁରୀ ଜଗନ୍ନାଥ ଦର୍ଶନ ପରେ ଚନ୍ଦ୍ରଭାଗା ଓ କୋଣାର୍କ ବୁଲିବାକୁ ଆସୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ କୋଣାର୍କ ଥାନା ପୁଲିସ ୧୦୯/୨୫ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ବିଦ୍ୟୁତ୍ ଆଘାତରେ ମୃତ ପ୍ରସନ୍ନଜିତ୍ଙ୍କ ଶବକୁ ବ୍ୟବଛେଦ ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି।
ବେଳାମାର୍ଗରେ ଦୁର୍ଘଟଣା: ଜଣେ ମୃତ, ୮ଗୁରୁତର
ଏକ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଆହତମାନଙ୍କୁ ଉଦ୍ଧାର କରିବାକୁ ଯାଇ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁର ପ୍ରସନ୍ନଜିତ ପରିଡ଼ା(୨୯)ଙ୍କ ଦୁଃଖଦ ମୃତ୍ୟୁ ହୋଇଯାଇଛି। ସୋମବାର ସକାଳେ ଚନ୍ଦ୍ରଭାଗା ବେଳାମାର୍ଗରେ ପୁରୀରୁ କୋଣାର୍କ ଅଭିମୁଖେ...
/sambad/media/media_files/2025/07/08/poiuytrewq-2025-07-08-06-51-04.jpg)