କଟକ-ବିଦ୍ୟାଧରପୁର/ସାଲେପୁର/ମାଲକାନଗିରି/ବସ୍ତା-୨/ଖଇରା: ପୋଖରୀରେ ଭାସୁଥିବା ଡଙ୍ଗା କାଢ଼ିବାକୁ ଯାଇ ରାଜ୍ୟର ପୃଥକ ସ୍ଥାନରେ ୫ ଜଣ ଛୋଟ ପିଲା ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଝିଅ ଓ ୨ ଜଣ ପୁଅ ଅଛନ୍ତି। ଅନ୍ୟପକ୍ଷରେ କଟକ ତାଳଦଣ୍ଡା କେନାଲରେ ଜଣେ ନାବାଳକ ନିଖୋଜ ଅଛନ୍ତି।  ମାଲକାନଗିରି ବ୍ଲକ୍‌ ଚାଲାଣଗୁଡ଼ା ପଞ୍ଚାୟତ ଚମ୍ପାନଗର ଗ୍ରାମର ତ୍ରିପତି ହନ୍ତାଳଙ୍କ ଝିଅ ସାବିତ୍ରୀ (୧୨) ଡଙ୍ଗାରୁ ପଇସା ସଂଗ୍ରହ କରିବା ବେଳେ ପୋଖରୀରେ ବୁଡ଼ିଯାଇଛନ୍ତି। ଆଜି ଭୋରରୁ ଗାଁ ମହିଳାମାନେ ଡଙ୍ଗା ଭସାଇବା ବେଳେ ସେଥିରେ ଫୁଲ, ଦୀପ ସହ କିଛି ପଇସା ପକାଉଥିଲେ। ସାବିତ୍ରୀ ନିଜ ସାଙ୍ଗସାଥୀଙ୍କ ସହ ପୋଖରୀକୁ ଯାଇ ଡଙ୍ଗାରୁ ଟଙ୍କା ସଂଗ୍ରହ କରୁଥିବା ସମୟରେ ଭାରସାମ୍ୟ ହରାଇ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସାବିତ୍ରୀଙ୍କ ବାପା ତ୍ରିପତି ହନ୍ତାଳ ଗତବର୍ଷ ଅଜଣା ରୋଗରେ ମୃତ୍ୟୁବରଣ କରିଥିବା ବେଳେ ଘରେ ମାଆ ଓ ଦୁଇ ଭାଇଭଉଣୀ 

Advertisment

ଅଛନ୍ତି। ସେହିପରି ବାଲେଶ୍ବରରେ ୨ ଜଣ ଶିଶୁକନ୍ୟା ଓ ଜଣେ ଶିଶୁପୁତ୍ରଙ୍କର ମୃତ୍ୟୁ ହୋଇଛି। ବସ୍ତା ବ୍ଲକ୍‌ ପଣିସାପଡ଼ା ଗ୍ରାମର ମହେଶ୍ବର ଦାସଙ୍କ ନାତୁଣୀ ଦିବ୍ୟାଂଶୀ (୩) ଓ ମାନସ ନନ୍ଦଙ୍କ ଝିଅ ଗେହ୍ଲୁ (୩) ପୂର୍ବାହ୍ନରେ ଘର ଅଗଣାରେ ଖେଳୁଥିଲେ। ପରେ ସେମାନେ ପାଖ ପୋଖରୀରେ ଭସାଯାଇଥିବା ଡଙ୍ଗା କାଢ଼ିବାକୁ ଉଦ୍ୟମ କରିବା ବେଳେ ପାଣିରେ ବୁଡ଼ିଯାଇଥିଲେ। ପରିବାର ଲୋକ ଜାଣିବା ପରେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଖଇରା ବ୍ଲକ୍‌ ମାଖନପୁର ପଞ୍ଚାୟତ ସାଉଣ୍ଡିଆ ଗ୍ରାମର ମଧୁସୂଦନ ମଳିକଙ୍କ ଏକମାତ୍ର ପୁଅ ଆଶୁତୋଷ ମଳିକ (୩) ଘର ନିକଟସ୍ଥ ପୋଖରୀରେ ଭାସୁଥିବା ଡଙ୍ଗା କାଢ଼ିବାବେଳେ ପାଣିରେ ବୁଡ଼ିଯାଇଥିଲେ। 

ମୃତକଙ୍କ ମଧ୍ୟରେ ୩ ଝିଅ, ୨ ପୁଅ
ତାଳଦଣ୍ଡା କେନାଲରେ ଜଣେ ନିଖୋଜ

ଡଙ୍ଗାଭସା ଘଟଣାକୁ ନେଇ କଟକ ଅଞ୍ଚଳରେ ଦୁଇଟି ଅଘଟଣ ଘଟିଛି। ତାଳଦଣ୍ଡା କେନାଲରେ ବୁଡ଼ି ଜଣେ ନାବାଳକ ନିଖୋଜ ହୋଇ ଯାଇଥିବା ବେଳେ ସାଲେପୁର ଅଞ୍ଚଳରେ ପୋଖରୀରେ ବୁଡ଼ି ଜଣେ ଶିଶୁପୁତ୍ରର ଜୀବନ ଯାଇଛି। ସୂଚନା ଅନୁଯାୟୀ କଲ୍ୟାଣୀନଗରରେ ଭଡ଼ାରେ ରହୁଥିବା ୧୪ ବର୍ଷୀୟ ରୁଦ୍ରପ୍ରସାଦ ସ୍ବାଇଁ ଡଙ୍ଗାରୁ ପଇସା ଆଣିବା ପାଇଁ ତାଳଦଣ୍ଡା କେନାଲ ଭିତରକୁ ପଶି ଯାଇଥିବା ବେଳେ ପାଣିରେ ବୁଡ଼ିଯାଇଥିଲେ। ଅଗ୍ନିଶମ କର୍ମଚାରୀ ବିରିବାଟୀ ମାଛଗାଁ କେନାଲ୍‌ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ବି ତାଙ୍କୁ ଉଦ୍ଧାର କରାଯାଇପାରିନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ୨୦ ଫୁଟ୍‌ ଦୂରରେ ନାବାଳକଜଣକ ଥରେ ଉପରକୁ ଉଠି ପୁଣି ବୁଡ଼ିଯାଇଥିଲେ। ନିଖୋଜ ନାବାଳକଙ୍କ ପରିବାର କଲ୍ୟାଣୀନଗରରେ ଭଡ଼ାରେ ରହୁଥିବା ବେଳେ ତାଙ୍କ ବାପା ବାହାରେ ଚାକିରି କରୁଛନ୍ତି। ତାଳଦଣ୍ଡା କେନାଲ୍‌ରେ ସୁଅ ଅଧିକ ଥିବାରୁ ତାଙ୍କର ପତ୍ତା ମିଳିନାହିଁ। ସେହିଭଳି ସାଲେପୁର ବ୍ଲକ୍‌ ଛାଣିପୁର ପଞ୍ଚାୟତ କରମୁଆଁ ଗାଁରେ ଘରପାଖ ପୋଖରୀରେ ଭସାଯାଇଥିବା ସୋଲ ଡଙ୍ଗା ଆଣିବାକୁ ଯାଇ ଜଣେ ୩ ବର୍ଷର ଶିଶୁ ପ୍ରାଣ ହରାଇଛି। ମୃତ ଶିଶୁଜଣକ ହେଲେ କରମୁଆଁ ଗ୍ରାମର ପ୍ରଦୀପ୍ତ ଭୋଇଙ୍କର ପୁଅ ନୀତୀଶ ଭୋଇ। କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଆଜି ସକାଳେ ଗ୍ରାମବାସୀ ସ୍ଥାନୀୟ ପଞ୍ଚାୟତ ପୋଖରୀରେ ଡଙ୍ଗା ଭସାଇଥିଲେ। ନୀତୀଶ ପୋଖରୀରେ ଭାସୁଥିବା ସୋଲଡଙ୍ଗା ଆଣିବାକୁ ଯାଇ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି।