ପୁରୀ: ଚଳିତ ରଥଯାତ୍ରାରେ ଯେଉଁଭଳି ଦଳାଚକଟା ସ୍ଥିତି ଉପୁଜିଥିଲା ଏବଂ ଭକ୍ତ ମୃତାହତ ହେଲେ, ତାହା ବିପର୍ଯ୍ୟସ୍ତ ରଥ ପରିଚାଳନା, ଟ୍ରାଫିକ୍ ବ୍ୟବସ୍ଥା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କର୍ଡନ୍ ବ୍ୟବସ୍ଥାର ବିଫଳତାକୁ ବି ଅଙ୍ଗୁଳି ଉଠାଉଛି। ଯେଉଁଥିପାଇଁ ଭକ୍ତ ଭିଡ଼ ଭିତରେ ଠେଲାପେଲା ହେଲେ। ଭକ୍ତଙ୍କ ଉପରେ ଭକ୍ତ ବ୍ୟାରିକେଡ୍ ପକାଇ ଚଢ଼ି ପଳାଇଥିଲେ। ଆଉ ପରିଣାମ ସ୍ବରୂପ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗତକାଲି ୨ଶହରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ଆଉ ଦେଢ଼ଶହରୁ ଅଧିକ ଭକ୍ତ ଅଣନିଃଶ୍ବାସୀ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଏହିଭଳି ଏକ ଘଟଣା ପଛରେ କେତେକ କାରଣ ଦାୟୀ ଥିବା କୁହାଯାଉଥିବା ବେଳେ ଆଉ କିଛି କାରଣ ଖୋଜା ଚାଲିଛି।
ପ୍ରତିବର୍ଷ ରଥଟଣା ବେଳେ ଭିତର୍ କର୍ଡନ୍ ଓ ବାହାର କର୍ଡନ୍ ବ୍ୟବସ୍ଥା କରାଯାଇଥାଏ। ଭିତର୍ କର୍ଡନ୍ରେ ଯେଉଁମାନଙ୍କୁ କର୍ଡନ୍ ପାସ ବା ଅନୁମତି ମିଳିଥାଏ, ସେମାନେ ହିଁ ପ୍ରବେଶ କରିଥାନ୍ତି। କିନ୍ତୁ, ଚଳିତବର୍ଷ ଭିତର୍ କର୍ଡନ୍କୁ ସଂପୂର୍ଣ୍ଣ ଖୋଲାମେଲା ଛାଡ଼ି ଦିଆଯାଇଥିଲା। ପଶ୍ଚିମବଙ୍ଗ ଭକ୍ତଙ୍କଠାରୁ ଆରମ୍ଭ କରି ଅନଧିକୃତ ବ୍ୟକ୍ତି ଭିତର କର୍ଡନ୍ ଭିତରେ ପଶିଥିଲେ। ଅଧିକାରୀମାନେ ଡ୍ୟୁଟି ବଦଳରେ ପରିବାର ଲୋକଙ୍କୁ ରଥ ଛୁଆଇଁବାରେ ବ୍ୟସ୍ତ ରହିଲେ। ପୁଲିସଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ, ସମସ୍ତେ ଡ୍ୟୁଟି ଛାଡ଼ି ପରିବାର ଓ ଆତ୍ମୀୟସ୍ବଜନଙ୍କ ଚର୍ଚ୍ଚାରେ ଥିଲେ। ଯେଉଁଥିପାଇଁ ଭିତର କର୍ଡନ୍ ବିଫଳ ହୋଇଥିଲା। ଏହାଠାରୁ ବଳିଯାଇଥିଲା, ବାହାର କର୍ଡନ୍। ହଜାର ହଜାର ସଂଖ୍ୟାରେ ଅନଧିକୃତ ବ୍ୟକ୍ତି ଏହା ଭିତରେ ପଶିଥିଲେ। ପଠାଗାର ଲଜ୍ ପାର୍ଶ୍ବରୁ କର୍ଡନ୍ ଭିତରକୁ ଅବାଧ ପ୍ରବେଶ ଚାଲିଥିଲା। ଯେଉଁଥିପାଇଁ କର୍ଡନ୍ ଭିତର ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା।
ସେପଟେ ଗତକାଲି ଯେତେବେଳେ ପ୍ରଥମ କରି ବଡ଼ଠାକୁରଙ୍କ ତାଳଧ୍ବଜ ରଥ ଟଣା ହେଲା, ସେ ସମୟରେ ଉଭୟ ଭିତର ଓ ବାହାର କର୍ଡନ୍କୁ ଖୋଲାମେଲା ଛାଡ଼ି ଦିଆଯାଇଥିଲା। ଅପରପକ୍ଷେ ତାଳଧ୍ବଜ ରଥ ଗଡ଼ିବା ପରେ ନନ୍ଦିଘୋଷ ଓ ଦର୍ପଦଳନ ରଥର କର୍ଡନ୍କୁ ବି କୋହଳ କରି ଦିଆଯାଇଥିଲା। ସୁରକ୍ଷାରେ ଥିବା ଅଧିକାରୀମାନେ କର୍ଡନ୍ ଦଉଡ଼ି ଛାଡ଼ି ଦେଇଥିଲେ। ଏଣୁ ନନ୍ଦିଘୋଷ ରଥ ଟଣା ହେଲା ବେଳକୁ ଭକ୍ତଙ୍କ ସଂଖ୍ୟା ବଢ଼ି ଯାଇଥିଲା। ଭକ୍ତମାନେ ଭିଡ଼ ଦେଇ ଠେଲାପେଲା ହୋଇ ଆସିଲେ ସେମାନେ ବାହାରକୁ ବାହାରି ପାରିଲେନି ବୋଲି ଅଭିଯୋଗ ହୋଇଛି।