ଯାଜପୁର: ଯାଜପୁର ଜିଲ୍ଲାର ମନୋହରପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜିନ୍ଦଲ କଂପାନିର ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଯାଜପୁର ଜିଲ୍ଲାର ହାତିବାରି ପଞ୍ଚାୟତ ଅନ୍ତର୍ଗତ କରଡ଼ାପାଳ ଗ୍ରାମର ତନ୍ମୟ କୁମାର ବଳ ନାମକ ଜଣେ ଯୁବକ ଜିନ୍ଦଲ କଂପାନିରୁ ରାତି ଡ୍ୟୁଟି ସାରି ଫେରୁଥିଲେ। ସେ ବିଜୁ ପଟ୍ଟନାୟକ ମାର୍ଗରେ ନିଜ ବାଇକରେ ଘରକୁ ଫେରୁଥିବା ବେଳେ ମନୋହରପୁର ଛକ ନିକଟରେ ଏକ ୧୮ ଚକିଆ ହାଇୱା ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ ତନ୍ମୟ କୁମାର ବଳଙ୍କର ମୃତ୍ୟୁ ଘଟିଥିଲା।
ଏହା ଜାଣିବା ପରେ କ୍ଷତିପୂରଣ ଦାବିରେ କରଡ଼ାପାଳର ଗ୍ରାମବାସୀମାନେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଯଖପୁରା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ତନ୍ମୟ କୁମାର ବଳଙ୍କର ଶବ ଜବତ କରି ବ୍ୟବଚ୍ଛେଦ ଲାଗି ଦାନଗଦି ଡାକ୍ତରଖାନାକୁ ପଠାଇଥିଲା। ଏହା ସହିତ ପୁଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରାନପୋର୍ଟ କଂପାନି ସହ କଥା ହୋଇ ମୃତ ତନ୍ମୟ କୁମାର ବଳଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ଦେଢ଼ ଲକ୍ଷ ଟଙ୍କା ମିଳିବ ବୋଲି ଘୋଷଣା କରିବା ପରେ ରାସ୍ତାରୋକ ହଟିଥିଲା। ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦିଆଯିବା ଲାଗି ଜନ୍ଦଲ କଂପାନି ସହିତ ଯୋଗାଯୋଗ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/jaj-1.jpg)