ସମ୍ବଲପୁର: ମାଟି ଅତଡ଼ା ଖସୁଥିବାରୁ ଗୋଟିଏ ପାର୍ଶ୍ବ ବନ୍ଦ କରାଯିବା ଫଳରେ ଲକ୍ଷ୍ମୀଡୁଂଗୁରି ଠାରେ ୫୩ ନମ୍ବର ଜାତୀୟ ରାଜପଥ ସଂକୀର୍ଣ୍ଣ ହୋଇଯାଇଛି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହିତ ନିୟମିତ ଦୁର୍ଘଟଣା ଘଟୁଛି। ଗତ ରାତିରେ ଏଭଳି ଏକ ସଡ଼କ ଦୁର୍ଘଟଣାରେ ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ବ ନେଇଥିବା ଟିପିଡବ୍ଲୁଓଡିଏଲ୍(ଟାଟା ପାୱାର)ର ଜଣେ ଯୁବ ଅଧିକାରୀ ପୁଣ୍ୟଶ୍ଲୋକ ସ୍ବାଇଁ(୨୯)ଙ୍କର ମୃତ୍ୟୁ ଘଟିଛି। ପୁଣ୍ୟଶ୍ଲୋକଙ୍କ ଘର କଟକ ସିଡିଏ ଅଂଚଳରେ। ତାଙ୍କ ବାପା ଡାକ୍ତର ନରେନ୍ଦ୍ର ସ୍ବାଇଁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ଥିବା ବେଳେ ସେ ପିତାମାତାଙ୍କର ଏକମାତ୍ର ପୁଅ ବୋଲି ଜଣାପଡ଼ିଛି।
ବୁର୍ଲା ଟିପିଡବ୍ଲୁଓଡିଏଲ୍ ମୁଖ୍ୟାଳୟରେ କର୍ପୋରେଟ୍ କମ୍ୟୁନିକେସନ୍ ବିଭାଗରେ ପ୍ରବନ୍ଧକ ଭାବେ କାର୍ଯ୍ୟରତ ପୁଣ୍ୟଶ୍ଲୋକ କୌଣସି କାମରେ ଗତକାଲି ସମ୍ବଲପୁର ଆସିଥିଲେ। ରାତିରେ ବାଇକ୍ରେ ସମ୍ବଲପୁରରୁ ବୁର୍ଲା ଫେରୁଥିବା ସମୟରେ ଲକ୍ଷ୍ମୀଡୁଂଗୁରି ଠାରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ଡାହାଣ ଗୋଡ଼ ଉପରେ କୌଣସି ଏକ ଗାଡ଼ି ଚଢ଼ି ଯାଇଥିବା ବେଳେ ସେ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ। ଦୁର୍ଘଟଣାରେ ତାଙ୍କ ବାଇକ୍ଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।
ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା କିଛି ସହୃଦୟ ବ୍ୟକ୍ତି ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାରକରି ଆମ୍ବୁଲାନସ୍ ଡକାଇ ବୁର୍ଲା ଡାକ୍ତରଖାନାକୁ ନେବା ସହିତ ସ୍ଥାନୀୟ କ୍ଷେତରାଜପୁର ଥାନାକୁ ସୂଚନା ଦେଇଥିଲେ। ତାଙ୍କ ପରିଚୟ ଜଣାପଡ଼ିବା ପରେ କଂପାନିର ଅଧିକାରୀମାନେ ବୁର୍ଲା ଡାକ୍ତରଖାନାରେ ପହଂଚିଥିଲେ। ଅବସ୍ଥା ଉଦ୍ବେଗଜନକ ଥିବାରୁ ପରିବାର ଲୋକଙ୍କ ସହିତ ଆଲୋଚନା ପରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିଲା। ମାତ୍ର, ରାସ୍ତାରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବେଚ୍ଛଦ ପରେ ପରିବାର ଲୋକଙ୍କୁ ତାଙ୍କ ଶବ ହସ୍ତାନ୍ତର କରାଯାଇଥିଲା। ସେ ଜଣେ ଅତ୍ୟନ୍ତ ନମ୍ର ଓ ମେଳାପୀ ବ୍ୟକ୍ତି ଥିଲେ। ଜଣେ ନିଷ୍ଠାବାନ ଅଧିକାରୀ ଥିବା ବେଳେ ତାଙ୍କ ବିୟୋଗରେ ଟିପିଡବ୍ଲୁଓଡିଏଲ୍ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି।