ନୂଆପଡ଼ା/କୋମନା: ନୂଆପଡ଼ା ଜିଲ୍ଲା ଲଖନା ଥାନା ବଙ୍ଗାମୁଣ୍ଡା ଗାଁରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଲଖନା ଥାନା ସିଆଲଟି ଗାଁର ସଂକୀର୍ତ୍ତନଝାର ମାଝୀ (୪୫) ଏବଂ ଗୁରୁତର ଜଣକ ଗାଁର ଯୁଧିଷ୍ଠିର ମାଝୀ (୪୦) ବୋଲି ଜଣାପଡ଼ିଛି।
ସୂଚନାମତେ, ସଂକୀର୍ତ୍ତନ ଓ ଯୁଧିଷ୍ଠିର କୌଣସି କାମରେ ଏକ ବାଇକ୍ (ଓଡି ୨୬ବି-୩୦୬୦)ରେ ଆଜି ମାଣ୍ଡୋସିଲ ଯାଇଥିଲେ। ଏହି ସମୟରେ ବଙ୍ଗାମୁଣ୍ଡା ଗାଁ ନିକଟରେ ଏକ ପିକ୍ଅପ୍ ଗାଡ଼ି (ଓଡ଼ି ୦୮ଆର୍-୪୫୪୦) ସେମାନଙ୍କୁ ଧକ୍କା ଦେଇ ଫେରାର୍ ମାରିଥିଲା। ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ସଂକୀର୍ତ୍ତନଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଯୁଧିଷ୍ଠିର ମାଝୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ପିକ୍ଅପ୍ ଗାଡ଼ି ଫେରାର୍ ମାରିଥିବା ବେଳେ ଲଖନା ଥାନା ଅଧିକାରୀ ଗୁରୁଦେବ କର୍ମୀ ଗାଡ଼ିର ପିଛା କରି ଗାଡ଼ିକୁ ଜବତ କରିଥିଲେ। ଏନେଇ ପୁଲିସ୍ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।