ସମ୍ବଲପୁର: ସମ୍ବଲପୁର ସଦର ଥାନା ୫୩ ନମ୍ବର ଜାତୀୟ ରାଜପଥର ଧନକଉଡ଼ା ଛକ ନିକଟରେ ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ରାତି ୯ଟା ପାଖାପାଖି ବଜାର ସାରି ଜନୈକ ଯୁବକ ପିଣ୍ଟୁ କଲେତ୍ (୩୫ ବର୍ଷ) ତାଙ୍କ ବଡ଼ଭଉଣୀଙ୍କ ଘରକୁ ଫେରୁଥିବାବେଳେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇ ଫେରାର ମାରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ପଡ଼ାବାସୀ ମୃତଦେହ ରଖି ରାଜପଥ ଅବରୋଧ କରିଥିଲେ। ଧନୁପାଲି ଥାନା ପାଟ୍ରୋଲିଂ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ୟକ୍ତ ଲୋକେ ଗାଡ଼ିକୁ ଭାଙ୍ଗି ଦେଇଥିଲେ। ଗାଡ଼ିର କାଚ ଭାଙ୍ଗି ୨ ଜଣ ମହିଳା ପୁଲିସ କର୍ମୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଥିଲା। ସଦର ଏସ୍ଡିପିଓ ପ୍ରଦୀପ ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।
ରାତି ସାଢ଼େ ୧୧ଟାରେ ପୁଲିସ ମୃତଦେହ ଉଦ୍ଧାର କରି ଆମ୍ବୁଲାନ୍ସରେ ବୁର୍ଲା ପଠାଇଥିଲା। ସୂଚନାଯୋଗ୍ୟ, ବଡ଼ବଜାରର ପିଣ୍ଟୁ କଲେତ୍ କିଛି ଦିନ ହେବ ସିଟି ଷ୍ଟେସନ୍ ପାଖ ପଡ଼ାରେ ରହୁଥିବା ତାଙ୍କ ବଡ଼ଭଉଣୀ ରଏବାରୀ କୁମ୍ଭାରଙ୍କ ଘରେ ଥିଲେ। ଶୁକ୍ରବାର ଅପରାହ୍ଣରେ ବଜାର କରିବାକୁ ସେ ଧନକଉଡ଼ା ଯାଇଥିଲେ। ବଜାର ସାରି ରାତି ୯ଟା ପାଖାପାଖି ପିଣ୍ଟୁ ଭଉଣୀଙ୍କ ଘରକୁ ଫେରୁଥିଲେ। ଅନ୍ଧାରରେ ରାଜପଥ ପାରି ହେବା ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ଟି ତାଙ୍କୁ ଚାପି ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀ’ ଓ ପରିବାର ଲୋକଙ୍କ କାନ୍ଦରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଅନ୍ୟପଟେ ଲୋକେ କ୍ଷତିପୂରଣ ଦାବି କରି ବହୁ ସମୟ ଧରି ରାସ୍ତା ଅବରୋଧ କରି ରଖିଥିଲେ।
ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ିଗୁଡ଼ିକର ଲମ୍ବା ଲାଇନ୍ ଲାଗିଥିଲା। ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି କ୍ଷତିପୂରଣ ପ୍ରତିଶ୍ରୁତି ଦେଇ ମୃତଦେହ ପଠାଇବା ପରେ ରାତି ପ୍ରାୟ ୧୧ଟା ୪୫ରେ ରାସ୍ତାରୋକ ହଟିଥିଲା। ଗତ ୯ ତାରିଖ ଦିନ ସମାନ ସ୍ଥାନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ଜୀବନ ଚାଲି ଯାଇଥିଲା। ଯାହାକୁ ନେଇ ଲୋକେ ୨ ଘଣ୍ଟାରୁ ଅଧିକ ରାସ୍ତାରୋକ କରିଥିଲେ। ନୂଆ କରି ନିର୍ମିତ ଉକ୍ତ ରାସ୍ତାରେ ଷ୍ଟ୍ରିଟ୍ଲାଇଟ୍ ଜଳୁ ନଥିବା ବେଳେ ଛକରେ ହମ୍ପ୍ସ ମଧ୍ୟ ନାହିଁ। ତେଣୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି। ମୃତ ପିଣ୍ଟୁଙ୍କ ୨ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତାଙ୍କ ମୃତ୍ୟୁ ପରେ ପରିବାର ସଂପୂର୍ଣ୍ଣ ଅସହାୟ ହୋଇପଡ଼ିଛି।