ବାଇକ୍‌କୁ ପିଟିଲା ଅଜଣା ଗାଡ଼ି, ଜଣେ ମୃତ, ୨ ଗୁରୁତର

ଟିକ୍ରାପଡ଼ା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଟିକ୍ରାପଡ଼ା ଫାଣ୍ଡି ଅନ୍ତର୍ଗତ ସପ୍ତର୍ଷି ମଠ ନିକଟରେ ଗୁରୁବାର ରାତିରେ ଏକ ଅଜଣା ଗାଡ଼ି ବାଇକ୍‌ (ଓଡି ୦୩ ୱାଇ ୪୮୮୧)କୁ ଧକ୍କା ଦେଇଛି। ଫଳରେ ବାଇକ୍‌ ଆରୋହୀ ବିକାଶ ଥପା (୨୦ବର୍ଷ)ଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହିତ ଥିବା ଜଗା ଥପା (୧୫ବର୍ଷ) ଓ ପିଙ୍କୁ ଛାତ୍ରୀଆ ଗୁରୁତର ଆହତ ହୋଇଛନ୍ତି।

ମୁରିବାହାଲ ବ୍ଲକ୍‌ ସର୍ଗୁଲ ଗାଁର ବିକାଶ, ଜଗା ଓ ସଇଁତଳା ବ୍ଲକ୍ ତୁଷ୍ଟାପାଲି ଗାଁର ପିଙ୍କୁ ଉକ୍ତ ବାଇକ୍‌ ଯୋଗେ ବେଲପଡ଼ା ବ୍ଲକ୍‌ ଧୁମାଭଟା ଗାଁକୁ ଏକ ଭୋଜିରେ ଯୋଗ ଦେବାକୁ ଯାଉଥିଲେ। ଉକ୍ତ ଆଶ୍ରମ ନିକଟରେ ଅଜଣା ଗାଡ଼ିଟି ଧକ୍କା ଦେବାରୁ ସେମାନେ ଛିଟିକି ପଡ଼ିଥିଲେ। ତିନି ଆରୋହୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପାଟଣାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ବିକାଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆହତଙ୍କ ମଧ୍ୟରୁ ଜଣଙ୍କୁ ବୁର୍ଲା ଓ ଅନ୍ୟ ଜଣଙ୍କୁ ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର