ଦୁର୍ଘଟଣାରେ ଗଲା ଆଉ ଜଣେ ଛାତ୍ରଙ୍କ ଜୀବନ  

ସମ୍ବଲପୁର/ରେଙ୍ଗାଲି: ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟକୁ ଯାଉଥିବା ବେଳେ ଟ୍ରକ୍‌ ଚାପି ଦେବାରୁ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ମନରୁ ନ ଲିଭୁଣୁ, ସମ୍ବଲପୁରରେ ଟ୍ରାକ୍ଟର ଧକ୍କାରେ ଆଉ ଜଣ ଛାତ୍ରଙ୍କର ଶନିବାର ସକାଳେ ମୃତ୍ୟୁ ଘଟିଛି। ବିଦ୍ୟାଳୟରୁ ଫେରୁଥିବା ବେଳେ ଛାତ୍ର ଜଣଙ୍କୁ ଟ୍ରାକ୍ଟର୍‌ଟି ଧକ୍କା ଦେବା ଦେଇଥିଲା। ମୃତ ଛାତ୍ର ଜଣକ ହେଉଛନ୍ତି ରେଙ୍ଗାଲି ବ୍ଲକ ବଡ଼ଖଲିଆର କୁଳମଣି ଖଡ଼ିଆଙ୍କ ଏକମାତ୍ର ପୁଅ ଉତ୍ତମ ଖଡ଼ିଆ(୮)।

ସୂଚନାନୁସାରେ, ଉତ୍ତମ ଶନିବାର ଶିଶୁମନ୍ଦିରରୁ ପଢ଼ା ସାରି ଏକ ଅଟୋରେ ଘରକୁ ଆସୁଥିଲେ। ଅଟୋରୁ ଓହ୍ଲାଇ ରାସ୍ତା ପାର ହୋଇ ଡାହାଣ ପାର୍ଶ୍ବରେ ଥିବା ତାଙ୍କ ଘରକୁ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରାକ୍ଟର୍‌(ଓଡି ୧୫ ଏସ୍‌ ୫୩୩୫) ତାଙ୍କୁ ଧକ୍କା ଦେଇଥିଲା। ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ରେଙ୍ଗାଲି ଡାକ୍ତରଖାନା ଓ ପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଥିଲା। ଅନ୍ୟପଟେ ଅଭିଯୁକ୍ତ ଟ୍ରାକ୍ଟର ଚାଳକ ମହୁଲପାଲି ଥାନା ଡଙ୍ଗାଖୁଣ୍ଟି ଗାଁର ମଣ୍ଟୁ ଖଡ଼ିଆ(୨୫)କୁ ପୁଲିସ ଗିରଫ କରିଥିବା ବେଳେ ଟ୍ରାକ୍ଟରକୁ ଜବତ କରିଛି। ୩ ଝିଅରେ ଏକ ମାତ୍ର ପୁଅ ଥିଲେ ଉତ୍ତମ। ସବୁଠାରୁ ସାନ ଓ ପରିବାରର ସବୁଠାରୁ ଗେହ୍ଲା ମଧ୍ୟ ଥିଲେ। ତାଙ୍କ ମୃତ୍ୟୁ ପରେ ପୂରା ପରିବାର ଭାଙ୍ଗି ପଡ଼ିଛି।

ସମ୍ବନ୍ଧିତ ଖବର