ଦଶପଲ୍ଲା : ବିନା ଟ୍ରାଫିକ୍ ସଙ୍କେତରେ ଜାତୀୟ ରାଜପଥରେ ନିର୍ମାଣ ହେଉଛି ରମ୍ବଲର୍ସ। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ୭ ଦିନ ହେବ ନିର୍ମାଣ ହୋଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଭୋଗରା ନିକଟସ୍ଥ ଦୁଇଟି ହମ୍ପସ୍ ଯୋଗୁ ଅନେକ ବାଇକ୍ ଚାଳକ ଦୈନିକ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆସିଛି। ହମ୍ପସ୍ ନିର୍ମାଣ ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ଟ୍ରାଫିକ୍ ସଙ୍କେତ ଦେବାର ନିୟମ ଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟ ଯୋଗୁ ଏଭଳି ଦୁର୍ଘଟଣା ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜାତୀୟ ରାଜପଥ ବିଭାଗର ଏସ୍ଡିଓଙ୍କ କହିବା ମୁତାବକ, ଜିଲ୍ଲା ରୋଡ୍ ସେଫ୍ଟି ପକ୍ଷରୁ ହମ୍ପସ୍ ନିର୍ମାଣ ପାଇଁ ନିର୍ଦ୍ଦେଶ ଆସିଛି। ରମ୍ବଲର୍ସ ନିର୍ମାଣ ୧୦ ରୁ ୧୫ ଟି ଲେଖାଏଁ ତିଆରି କରିବାର ନିୟମ ଥିବାବେଳେ ଏଠାରେ କୌଣସି ବିଦ୍ୟାଳୟ ନ ଥିବାରୁ ୫ଟି ଲେଖାଏଁ ୨ଟି ହମ୍ପସ୍ ନିର୍ମାଣ କରାଯାଇଥିବା ସେ କହିଛନ୍ତି। ଆହୁରି ୩ଟି ରମ୍ବଲର୍ସ ହମ୍ପସ୍ ନିର୍ମାଣ ପାଇଁ ନିର୍ଦ୍ଦେଶ ଆସିଥିବାରୁ ଆସନ୍ତା ୨/୩ ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଟ୍ରାଫିକ୍ ସଙ୍କେତ ଦିଆଯିବ ବୋଲି ସୂଚନା ଦେଇଛନ୍ତି।