ଜାତୀୟ ରାଜପଥରେ ଦୁର୍ଘଟଣାକୁ ହାତଠାରି ଡାକୁଛି ବେଆଇନ ପାର୍କିଂ

୨ମାସ ମଧ୍ୟରେ ଗଡିଲାଣି ୧୩ ମୁଣ୍ତ, ଶତାଧିକ ଆହତ

ଜାତୀୟ ରାଜପଥରେ ଦୁର୍ଘଟଣାକୁ ହାତଠାରି ଡାକୁଛି ବେଆଇନ ପାର୍କିଂ

ଧର୍ମଶାଳା : ୧୬ନମ୍ବର ଜାତୀୟ ରାଜପଥର ଚଣ୍ତିଖୋଲରୁ ଭଦ୍ରକ ପର୍ଯ୍ୟନ୍ତ ଏବେ ୬ ଥାକିଆ କରାଯାଇଛି। ଚକାଚକ୍ ରାସ୍ତାରେ ଗାଡ଼ିମୋଟର ଦ୍ରୁତ ଗତିରେ ଚଳାଚଳ କରୁଛି। ତେବେ ରାସ୍ତାରେ ବେଆଇନ ପାର୍କିଂ ଦୁର୍ଘଟଣାକୁ ହାତଠାରି ଡାକୁଛି। ଗତ ୨ମାସ ମଧ୍ୟରେ ୧୩ଟି ମୁଣ୍ତ ଗଡ଼ିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଏଭଳି ସ୍ଥିତିରେ ଏନ୍ଏଚ୍ଏଆଇ ଓ ସ୍ଥାନୀୟ ପୁଲିସ୍‌ଙ୍କ ଖାମଖିଆଲି ନୀତି ପରିସ୍ଥିତକୁ ଅଧିକ ସଙ୍ଗିନ୍ କରିଛି।

ଏନ୍ଏଚ୍-୧୬ରେ ପ୍ରତିଦିନ ହଜାରହଜାର ଗାଡ଼ି ମୋଟର କୋଲକତାରୁ ଚେନ୍ନାଇ ପର୍ଯ୍ୟନ୍ତ ଚଳାଚଳ କରୁଛନ୍ତି। ରାଜପଥ ପାର୍ଶ୍ବରେ ଥିବା ଢାବା, ହୋଟେଲ, ତେଲଟାଙ୍କି ଓ ଗ୍ୟାରେଜ୍ ସାମ୍‌ନାରେ ଘଣ୍ଟାଘଣ୍ଟା ଧରି ଟ୍ରକ୍ ଆଦି ଗାଡ଼ିମୋଟର ଅଟକି ରହୁଛି। ଏପରିକି ବାହାର ରାଜ୍ୟର ଚାଳକ ରାଜପଥ ପାର୍ଶ୍ବରେ ଗାଡ଼ି ଅଟକାଇ ରାତି ବିତାଉଛନ୍ତି। ସେହିପରି ଗାଡ଼ି ଖରାପ ହୋଇ ରାସ୍ତାରେ ଦିନଦିନ ପର୍ଯ୍ୟନ୍ତ ଛିଡ଼ା ହେଉଛି। ରାଜପଥ ପାର୍ଶ୍ବରେ ହୋଇଥିବା ଚା’ ଦୋକାନ, ଜଳଖିଆ, ପାନ, ତରଭୁଜ, ଆଖୁରସ, ପଇଡ଼, ଫାଷ୍ଟଫୁଡ୍ ଆଦି ଉଠା ଦୋକାନ ସାମ୍‌ନାରେ ବେଆଇନ ପାର୍କିଂ କରାଯାଉଛି। ଅନେକ ସମୟରେ ଏସବୁ ସ୍ଥାନରେ ଦୁର୍ଘଟଣା ଘଟୁଛି। ଜାରକା ନିକଟ ବ୍ରାହ୍ମଣୀ ବ୍ରିଜ୍, ଗୋକର୍ଣ୍ଣେଶ୍ବର ମନ୍ଦିର ଛକ, ବାରବାଟୀ, ଜାରକା, ଶଙ୍ଖାରିଡିହ, ରଥିଆ, ନେଉଳପୁର, ସାରୋଇ, ଚଣ୍ତିଖୋଲ ଆଦି ଛକବଜାର ଏବେ ଦୁର୍ଘଟଣା ଜୋନ୍ ପାଲଟିଛି। ଗତ ୪ତାରିଖ ବିଳମ୍ବିତ ରାତିରେ ଧର୍ମଶାଳା ଥାନା ଜାରକା ନିକଟ ଦେଉଳି ଗାଁ ସାମ୍‌ନା ଗଳିପୋଲ ଉପରେ ଖରାପ ହୋଇ ଅଟକିଥିବା ଏକ ଲୁହାଛଡ଼ ବୋଝେଇ ଟ୍ରେଲର ପଛରେ ଅନ୍ୟଏକ ଲୁହାଛଡ଼ ବୋଝେଇ ଟ୍ରକ୍ ପିଟି ହୋଇଯିବାରୁ ଗାଡ଼ି ଦୁଇଟି ଜଳିଯାଇଥିଲା। ଫଳରେ ଟ୍ରକ୍ ଚାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଖଲାସୀ ଗୁରୁତର ହୋଇଥିଲେ।

publive-image Tribune India

ସେହିପରି ଗତ ୫ ତାରିଖ ରାତିରେ ଜାରକା କୁମାରୀପାଟ ନିକଟରେ ଗୋଟିଏ ମାଲବାହୀ ଟ୍ରକ୍ ଭାରସାମ୍ୟ ହରାଇ ଅନ୍ୟଏକ ଟ୍ରକ୍ ପଛରେ ପିଟି ହୋଇଯିବାରୁ ୩ ଜଣ ଆହତ ହୋଇଥିଲେ। ଗତ ୧୯ ତାରିଖରେ ସାରୋଇ ଛକ ନିକଟରେ ପୂର୍ବରୁ ଅଟକିଥିବା ଟ୍ରେଲର ପଛରେ ପିକ୍ଅପ୍ ଭ୍ୟାନ୍ ପିଟି ହେବାରୁ ଏହାର ଖଲାସୀଙ୍କ ମୃତ୍ୟୁ ହୋଇଥିଲା। ଚାଳକ ଗୁରୁତର ହୋଇଥିଲେ। ମାର୍ଚ୍ଚ ୧୮ ତାରିଖ ରାତି ସାଢେ଼ ୯ଟାରେ ସାରୋଇ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ପାର୍ଶ୍ବରେ ହାଇୱା ପିଟି ହୋଇଯିବାରୁ ୧୨ଜଣ ଯାତ୍ରୀ ଆହତ ହୋଇଥିଲେ। ଫେବ୍ରୁଆରି ୨୫ ତାରିଖ ଭୋର ସମୟରେ ନେଉଳପୁର ନିକଟ ସେଣ୍ଟ୍ରାଲ ବ୍ୟାଙ୍କ୍ ସାମ୍‌ନାରେ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଅର୍ଦ୍ଧଦଗ୍ଧ ଟ୍ରକ୍ ପଛରେ କୁକୁଡ଼ାବୁହା ଆଇଚର ଗାଡ଼ି ପିଟି ହେବାରୁ ୬ଜଣ ବଙ୍ଗୀୟ କୁକୁଡ଼ା ବ୍ୟବସାୟୀଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହୋଇଥିଲା।ଗତ ୨୩ତାରିଖ ଭୋର ସମୟରେ ଉକ୍ତ ସ୍ଥାନରେ ଏକ ୧୨ଚକିଆ ଟ୍ରକ୍ ଅଟକି ଥିବାବେଳେ ଅନ୍ୟଏକ ଲୁହାଗୁଣ୍ତ ବୋଝେଇ ଟ୍ରକ୍ ପିଟି ହୋଇ ଜଳିଯାଇଥିଲା। ୩ଦିନ ପର୍ଯ୍ୟନ୍ତ ସ୍ଥାନୀୟ ପୁଲିସ୍‌ କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ସ୍ଥାନାନ୍ତର ନ କରିବାରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଥିଲା।

୨୦୨୦ ସେପ୍ଟେମ୍ବର ୨୫ତାରିଖରେ ଏକ ଆମ୍ବୁଲାନ୍ସ ଟାୟାର ଫାଟିଯିବାରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ରଥିଆ ନିକଟରେ ଅଗଷ୍ଟ ୭ ତାରିଖରେ ହୋଇଥିବା ଦୁର୍ଘଟଣାରେ ୩ ଜଣ ପଶ୍ଚିମବଙ୍ଗ ଲୋକଙ୍କ ମୃତ୍ୟୁ ଘଟିଥିଲା ଓ ୨ଜଣ ଗୁରୁତର ଆହତ ହୋଇଥିଲେ। ସେହିପରି ନେଉଳପୁର ନିକଟରେ ଏକ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇ ୬ଜଣ ବଙ୍ଗୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ପୁଲିସ୍‌, ପରିବହନ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe