ଦୁର୍ଘଟଣା ହିଁ ମହାମାରୀ : ଭାରତରେ ଦିନକୁ ୪୧୩ ଜଣ; ଓଡ଼ିଶାରେ ୧୩ରୁ ଅଧିକ

ଆଜିର ମାନବ ସମାଜରେ ସବୁଠୁ ବଡ଼ ମହାମାରୀ କ’ଣ? ଅନେକେ ହୁଏତ ଏହି ପ୍ରଶ୍ନର ଉତ୍ତରରେ ‘ଏଡ୍‌ସ’ ବୋଲି କହିବେ। ଏହା ଭୁଲ। ସଡ଼କ ଦୁର୍ଘଟଣା ହିଁ ଏବେ ସବୁଠୁ ବଡ଼ ମହାମାରୀ। ବିଶ୍ୱରେ ବର୍ଷକୁ ପ୍ରାୟ ୧୦ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ଏଥିରୁ ଭାରତରେ ପ୍ରାୟ ଦେଢ଼ ଲକ୍ଷ ଲୋକ ମରନ୍ତି ଓ ପ୍ରାୟ ୫ ଲକ୍ଷ ଗୁରୁତର ଆହତ ହୋଇ ଭିନ୍ନକ୍ଷମ ପାଲଟନ୍ତି। ଭାରତରେ ହାରାହାରି ପ୍ରତିଦିନ ଘଟୁଥିବା ୧୩୧୨ ମରଣାନ୍ତକ ଦୁର୍ଘଟଣାରେ ୪୧୩ ଜଣଙ୍କର ଜୀବନ ଯାଏ। ଅର୍ଥାତ ଘଣ୍ଟାକୁ ଆମ ଦେଶରେ ସଡ଼କ ଉପରେ ୧୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୁଏ। ସେଥିରୁ ୨୫% ବାଇକ ଆରୋହୀ (ଓଡ଼ିଶାରେ ଏହା ୩୫%)। ଆର୍ଥିକ ଦୃଷ୍ଟିରୁ ଦେଖିଲେ ଏଥିନିମନ୍ତେ ମୋଟ ଉପରେ ଦେଶର ଜିଡିପିର ୩ ପ୍ରତିଶତ କ୍ଷତି ହୁଏ। ଓଡ଼ିଶା ସ୍ଥିତି ମଧ୍ୟ ତଦ୍ରୂପ। ୨୦୧୭ରେ କେବଳ ଓଡ଼ିଶାରେ ୪,୭୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ହଜାରରୁ ଅଧିକ ଗୁରୁତର ଆହତ ହୋଇଥିଲେ, ଯାହା କି ପୂର୍ବ ବର୍ଷ ତୁଳନାରେ ୭.୩୩% ଅଧିକ।
ଆମ ରାଜ୍ୟରେ ପ୍ରତି ୧୦୦ ଦୁର୍ଘଟଣାରେ ୪୬ ଜଣଙ୍କ ପ୍ରାଣହାନି ଘଟେ। ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ମଧ୍ୟ ଏହି ହାର ବୃଦ୍ଧିପାଇଥିବାରୁ ବର୍ଷଶେଷକୁ ପୁଣି ଏକ ନୈରାଶ୍ୟଜନକ ଚିତ୍ର ମିଳିବା ଆଶଙ୍କାକୁ ଏଡ଼ାଇଦିଆଯାଇନପାରେ।

ଏହି ମଣିଷକୃତ ଦୁର୍ବିପାକର ମୁକାବିଲା ପାଇଁ ଉଭୟ ସରକାର ଓ ନାଗରିକ ସମାଜ ଯଥାଶିଘ୍ର ଅଣ୍ଟା ଭିଡ଼ିବା ଜରୁରି ହେଲାଣି।

ଦିନକରେ ଗଡ଼ିଲା ୧୦ ମୁଣ୍ଡ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୧୦ ଜଣଙ୍କ ଜୀବନହାନି ଘଟିଛି। ସେଥିମଧ୍ୟରୁ ଅନୁଗୁଳ ଜିଲ୍ଲାର ଜରପଡ଼ା ଥାନା କଲେଜ ଛକଠାରେ ଘଟିଥିବା ଦୁର୍ଘଟଣା ଅଧିକ ମର୍ମନ୍ତୁଦ। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କର ପ୍ରାଣହାନୀ ଘଟିଛି। ସେହିଭଳି, ବାଲେଶ୍ୱରଠାରେ ଘଟିଥିବା ଅନ୍ୟ ଏକ ଦୁର୍ଘଟଣାରେ ଦୁଇ ଶଳା-ଭିଣୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଜରପଡ଼ା ଥାନା କଲେଜ ଛକଠାରେ ଦୁର୍ଘଟଣା ଘଟିଥିଲା। ଦ୍ରୁତ ଗତିରେ ଆସୁଥିବା କଣ୍ଟେନର୍‌ ଏକ କାର୍‌କୁ ଧକ୍କା ଦେଇଥିଲା। ଏହି କାର୍‌ରେ ଦୁଇ ପରିବାରର ସଦସ୍ୟ ଥିଲେ। ସାଲେପୁରର ଏହି ପରିବାର ଭିଲାଇ ଯାଉଥିଲେ। ଦୁର୍ଘଟଣା ଯୋଗୁଁ କାର୍‌ରେ ଥିବା ୬ ଜଣଙ୍କ ମଧ୍ୟରୁ ଅଶୋକ ପୃଷ୍ଟି(୫୦)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ପୁଅ ହେମନ୍ତ ପୃଷ୍ଟି(୨୮) ଓ ପତ୍ନୀ ସଂଯୁକ୍ତା ପୃଷ୍ଟି(୪୦)ଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ମୃତକ ଅଶୋକଙ୍କ ଭଣଜା ସୌରଭ ଲେଙ୍କା(୩୨), ଅନିତା ଲେଙ୍କା(୨୮)ଙ୍କ ସହ ସାମାନ୍ୟ ଆହତ ସୌରଭଙ୍କ ଝିଅ ଇଶିକା ଲେଙ୍କା(୫)ଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସେହିଭଳି, ଗତକାଲି ରାତିରେ ବାଲେଶ୍ୱର ସଦର ଥାନା ଅଧୀନ ସଲ୍ଟ ରୋଡ୍‌ର ପାଗନଈ ଛକଠାରେ ଘଟିଥିବା ଅନ୍ୟଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଚାନ୍ଦିପୁର ଥାନା ଅଧୀନ ବାଙ୍କପଡ଼ାର ପୀତାମ୍ବର ହେମ୍ବ୍ରମ୍‌ଙ୍କ ପୁଅ ସୁଦର୍ଶନ(୨୨) ଓ ବିହୁଆ ବାରାଙ୍କ ପୁଅ କାଳିଆ ଓରଫ୍‌ ଚିତ୍ତରଂଜନ ବାରା(୪୧)। ଉଭୟ ପରସ୍ପର ଶଳା- ଭିଣୋଇ ସମ୍ପର୍କ ହେବେ।

ଅନ୍ୟପକ୍ଷରେ, ଏନ୍‌ଟିପିସି ଓଭରବ୍ରିଜ୍‌ ନିକଟରେ ଆଜି ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକ ରାଧା ପାତ୍ର (୫୦)ଙ୍କ ମୃତ୍ୟୁ ଘଟିଛି। ଢେଙ୍କାଳନାଳ ସଦର ଥାନା ଅନ୍ତର୍ଗତ କମାରମୁଣ୍ଡାଠାରେ ଜଣେ ବାଇକ ଚାଳକ ଗଛରେ ପିଟି ହୋଇ ପ୍ରାଣ ହରାଇଛନ୍ତି। ମୃତ ବାଇକ୍‌ ଚାଳକଙ୍କ ନାମ ନିରାକାର ପାତ୍ର ଓ ତାଙ୍କ ଘର ଓଡ଼ାପଡ଼ା ବ୍ଲକ ଲୁଣି ଗ୍ରାମରେ ବୋଲି ଜଣାପଡ଼ିଛି। ଆଠଗଡ଼ ଥାନା ଆଠଗଡ଼-କଟକ ଭାୟା ମୁଣ୍ଡଳୀ ରାସ୍ତାର ବନଖଣ୍ଡି ନିକଟରେ ସଡ଼କ ଦୁର୍ଘଟଣାରେ ରେଭେନ୍ସା କଲେଜ +୩ ପ୍ରଥମ ବର୍ଷ ଛାତ୍ର ରୋସେସ୍‌ ଦାସ ପ୍ରାଣ ହରାଇଛନ୍ତି। ସେହିଭଳି ସାଲେପୁର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର କଳାଗ୍ନି ଛକ ନିକଟରେ ଏକ ବାଇକ୍‌ ଧକ୍କାରେ ଚନ୍ଦ୍ରାଦେଇପୁର ପଞ୍ଚାୟତ ଲୁଣାହାର ଗ୍ରାମର ବରଫକଳ ନିକଟରେ ରହୁଥିବା ବନ୍ଧୁନାଥ ଦାସ(୬୪)ଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର