ଛକରେ ବଢ଼ିଛି ଦୁର୍ଘଟଣା; ପ୍ରତିକାର ବ୍ୟବସ୍ଥା କରୁନାହାନ୍ତି ଏନ୍‌ଏଚ୍‌ଏଆଇ, ପୂର୍ତ୍ତ ବିଭାଗ

ଭୁବନେଶ୍ବର : ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି। ୨୦୧୪ରେ ୩୯୩୧ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ ୨୦୨୦ରେ ଏହା ୨୧% ବଢ଼ି ୪୭୩୮ରେ ପହଞ୍ଚିଛି। ଏଥିରୁ ବିଭିନ୍ନ ଛକରେ ‌ହୋଇଥିବା ଦୁର୍ଘଟଣାରେ କେବଳ ୧୧୬୪ଜଣଙ୍କର ମୃତ୍ୟୁ ହୋଇଛି। ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ଏନ୍‌ଏଚ୍‌ଏଆଇ ଏବଂ ପୂର୍ତ୍ତ ବିଭାଗକୁ କୁହାଯାଇଥିଲା। ହେଲେ ଦୁଇ ବିଭାଗ ପକ୍ଷରୁ ଦୁଇ ମାସ ପରେ ବି କିଛି ପଦକ୍ଷେପ ନିଆଗଲାନି। ତେଣୁ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଅସନ୍ତୋଷ ଜାହିର୍ କରିଛନ୍ତି।

The Times of India

ପରିବହନ ବିଭାଗ ପ୍ରମୁଖ ସଚିବ ଶ୍ରୀ ପାଢ଼ୀ ପୂର୍ତ୍ତ ସଚିବ ଏବଂ ଏନ୍‌ଏଚ୍ଏଆଇର ମୁଖ୍ୟ ମହାପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି ‌ଯେ, ଗତ ଅଗଷ୍ଟ ୩୧ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ସଡ଼କ ନିରାପତ୍ତା ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ପୂର୍ତ୍ତ ଓ ଏନ୍‌ଏଚ୍‌ଏଆ‌ଇର ବରିଷ୍ଠ ଅଧିକାରୀ ଦୁର୍ଘଟଣାପ୍ରବଣ ଛକଗୁଡ଼ିକୁ ପରିଦର୍ଶନ କରି ସଡ଼କ ଦୁର୍ଘଟଣାର କାରଣ ଓ ନିରାକରଣ ନେଇ ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବେ। ହେଲେ ଏପର୍ଯ୍ୟନ୍ତ ଦୁଇ ବିଭାଗ ପକ୍ଷରୁ କିଛି ରିପୋର୍ଟ ମିଳିଲାନି। ତେଣୁ ମାସକ ମଧ୍ୟରେ ଅର୍ଥାତ୍ ନଭେମ୍ବର ଶେଷ ସୁଦ୍ଧା ରିପୋର୍ଟ ଦେବେ।

ଶ୍ରୀ ପାଢ଼ୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ଜାତୀୟ ରାଜପଥ), ମୁଖ୍ୟ ଯନ୍ତ୍ରୀ (ରାସ୍ତା) ଏବଂ ଏନ୍‌ଏଚ୍‌ଏଆଇ ସିଜିଏମ୍‌ଙ୍କ ରିପୋର୍ଟ ଅନୁଯାୟୀ ସେମାନଙ୍କ ରାସ୍ତାରେ ୮୧୦୨ଟି ଛକ ଅଛି। ଅର୍ଥାତ୍ ମୁଖ୍ୟ ରାସ୍ତାକୁ ଗୋଟିଏ ଜନଗହଳିପୂର୍ଣ୍ଣ ଫିଡର୍ ରାସ୍ତା ସଂଯୋଗ କରୁଛି। ସିଆଇଡି ଏବଂ କ୍ରାଇମବ୍ରାଞ୍ଚକୁ ମିଳିଥିବା ସଡ଼କ ଦୁର୍ଘଟଣା ତଥ୍ୟ ଅନୁଯାୟୀ, ୨୦୨୦ ମସିହାରେ ୨୫୯୪ଟି ଛକରେ ଦୁର୍ଘଟଣା ଘଟିଥିବାବେଳେ ୧୧୬୪ଜଣଙ୍କର ମୃତ୍ୟୁ ହୋଇଛି। ୧୩୨୨ ଜଣ ଗୁରୁତର ହୋଇଛନ୍ତି। ଯାହା ମୋଟ୍ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ୨୫%। ଏତେ ସଂଖ୍ୟକ ଦୁର୍ଘଟଣା ଘଟିଥିବାରୁ ବିଭିନ୍ନ ଛକରେ ପ୍ରତିକାର ବ୍ୟବସ୍ଥା କରିବା ନିତାନ୍ତ ଆବଶ୍ୟକ। ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି। ଦୁର୍ଘଟଣାପ୍ରବଣ ଛକରେ ଉଚ୍ଛେଦ କରିବା ସହ ରାସ୍ତାର ଡିଜାଇନ୍ ବଦଳାଇବା ଏବଂ ଲୋକଙ୍କୁ ସଚେତନ କରିବା ନେଇ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର