ପଶ୍ଚିମ ଓଡ଼ିଶାରେ ବଢ଼ୁଛି ଦୁର୍ଘଟଣା: ୨୦୨୧ରେ ୨୮୧୧ ଦୁର୍ଘଟଣା, ୧୩୬୬ ଜୀବନ ଯାଇଛି

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ସାଂଘାତିକ ଭାବେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୦୨୧ ମସିହା ସାରା ରାଜ୍ୟରେ ୧୦,୯୮୪ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୫୦୮୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୯୭୮୨ ଲୋକଙ୍କ ଆହତ ହୋଇଥିଲେ। ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ରାଜ୍ୟରେ ମୃତ୍ୟୁହାର ୭.୨୪ ପ୍ରତିଶତ ବଢ଼ିଥିବା ବେଳେ ଗଜପତି, ଝାରସୁଗୁଡ଼ା, ବୌଦ୍ଧ ଓ ରାୟଗଡ଼ା ଜିଲ୍ଲାରେ କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏହି ହାର ୨୫ ପ୍ରତିଶତରୁ ବି ଅଧିକ ରହିଛି। ଝାରସୁଗୁଡ଼ା ଜିଲ୍ଲାରେ ଏହି ହାର ୨୯.୦୩ ପ୍ରତିଶତ ଏବଂ ବୌଦ୍ଧରେ ୨୮.୫୭ ପ୍ରତିଶତ ରହିଛି। ରାଜ୍ୟ ସରକାର ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ସଡ଼କ ଦୁର୍ଘଟଣା ଏବଂ ଏଥିରେ ମୃତ୍ୟୁ ହାର ହ୍ରାସ କରିବା ଦିଗରେ ଠୋସ୍‌ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ପୁଲିସ୍‌ ଅଧୀକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି।

ପ୍ରାପ୍ତ ସୂନା ଅନୁସାରେ, ୨୦୨୦ ମସିହାରେ ଝାରସୁଗୁଡ଼ା ଜିଲ୍ଲାରେ ୧୯୦ଟି ଦୁର୍ଘଟଣାରେ ୯୩ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଏହି ବର୍ଷ ବୌଦ୍ଧ ଜିଲ୍ଲାରେ ୧୩୯ଟି ଦୁର୍ଘଟଣାରେ ୬୩ ଜଣ, ବରଗଡ଼ ଜିଲ୍ଲାରେ ୧୧୭ଟି ଦୁର୍ଘଟଣାରେ ୬୪ ଜଣ, ନୂଆପଡ଼ା ଜିଲ୍ଲାରେ ୧୪୧ଟି ଦୁର୍ଘଟଣାରେ ୮୪ ଜଣ, କଳାହାଣ୍ଡି ଜିଲ୍ଲାରେ ୨୯୧ଟି ଦୁର୍ଘଟଣାରେ ୧୪୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୭୧୪ଟି ଦୁର୍ଘଟଣାରେ ୩୬୫ ଜଣ, ସମ୍ବଲପୁର ଜିଲ୍ଲାରେ ୪୬୬ଟି ଦୁର୍ଘଟଣାରେ ୧୮୫ ଜଣ, ବଲାଂଗୀର ଜିଲ୍ଲାରେ ୨୯୩ଟି ଦୁର୍ଘଟଣାରେ ୧୪୪ ଜଣ, ସୋନପୁର ଜିଲ୍ଲାରେ ୧୦୧ଟି ଦୁର୍ଘଟଣାରେ ୬୯ ଜଣ ଏବଂ ଦେବଗଡ଼ ଜିଲ୍ଲାରେ ୧୦୭ଟି ଦୁର୍ଘଟଣାରେ ୫୮ ଜଣଙ୍କ ମୃତ୍ୟୁ ଘଟିଥିଲା। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ମଧ୍ୟରୁ କେବଳ ସମ୍ବଲପୁର ଜିଲ୍ଲାରେ ତା’ ପୂର୍ବ ବର୍ଷ ତୁଳନାରେ ୨୦୨୧ ମସିହାରେ କମ୍ ଦୁର୍ଘଟଣା ଘଟିଥିଲେହେଁ ମୃତ୍ୟୁ ହାର ବଢ଼ିଛି।

୨୦୨୧ ମସିହାରେ ସମ୍ବଲପୁର ଜିଲ୍ଲାରେ ୪୪୫ଟି ଦୁର୍ଘଟଣା ଘଟିଥିବା ବେଳେ ୧୯୪ ଜଣଙ୍କ ମୃତ୍ୟୁ ଘଟିଛି। ଯାହାକି ୨୦୨୦ ମସିହା ତୁଳନାରେ ୪.୮୬ ପ୍ରତିଶତ ଅଧିକ ଅଟେ।  ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ୨୦୨୧ ମସିହାରେ ଝାରସୁଗୁଡ଼ା ଜିଲ୍ଲାରେ ୨୪୪ଟି ଦୁର୍ଘଟଣାରେ ୧୨୦ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଏହି ବର୍ଷ ବୌଦ୍ଧ ଜିଲ୍ଲାରେ ୧୫୪ଟି ଦୁର୍ଘଟଣାରେ ୮୧ ଜଣ, ବରଗଡ଼ ଜିଲ୍ଲାରେ ୧୨୫ଟି ଦୁର୍ଘଟଣାରେ ୭୩ ଜଣ, ନୂଆପଡ଼ା ଜିଲ୍ଲାରେ ୧୭୩ଟି ଦୁର୍ଘଟଣାରେ ୯୨ ଜଣ, କଳାହାଣ୍ଡି ଜିଲ୍ଲାରେ ୩୩୯ଟି ଦୁର୍ଘଟଣାରେ ୧୫୨ ଜଣଙ୍କ ଜୀବନ ଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ୭୩୬ଟି ଦୁର୍ଘଟଣାରେ ୩୮୮ ଜଣ, ବଲାଂଗୀର ଜିଲ୍ଲାରେ ୩୦୦ଟି ଦୁର୍ଘଟଣାରେ ୧୪୨ ଜଣ, ସୋନପୁର ଜିଲ୍ଲାରେ ୧୭୦ଟି ଦୁର୍ଘଟଣାରେ ୬୪ ଜଣ ଏବଂ ଦେବଗଡ଼ ଜିଲ୍ଲାରେ ୧୨୫ଟି ଦୁର୍ଘଟଣାରେ ୬୦ ଜଣଙ୍କ ମୃତ୍ୟୁ ଘଟିଥିଲା। ବଲାଂଗୀର ଓ ସୋନପୁର ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ବଢ଼ିଥିଲେହେଁ ମୃତ୍ୟୁହାର କିନ୍ତୁ କମିଛି। ପୂର୍ବବର୍ଷ ତୁଳନାରେ ବଲାଂଗୀର ଓ ସୋନପୁର ଜିଲ୍ଲାରେ ଯଥାକ୍ରମେ ମୃତ୍ୟୁହାର ବିଯୁକ୍ତ ୧.୩୯ ପ୍ରତିଶତ ଓ ବିଯୁକ୍ତ ୭.୨୫ ପ୍ରତିଶତ ରହିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ୨୦୨୦ ମସିହାରେ ୨୫୫୯ଟି ଦୁର୍ଘଟଣାରେ ୧୨୬୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗତ ବର୍ଷ କିନ୍ତୁ ଦୁର୍ଘଟଣା ସଂଖ୍ୟା ସହିତ ମୃତ୍ୟୁ ସଂଖ୍ୟା ବି ବଢ଼ିଛି। ୨୦୨୧ ମସିହାରେ ୨୮୧୧ଟି ଦୁର୍ଘଟଣାରେ ୧୩୬୬ ଜଣଙ୍କ ମୃତ୍ୟୁ ଘଟିଛି। ଅର୍ଥାତ, ପୂର୍ବ ବର୍ଷ ତୁଳନାରେ ଗତ ବର୍ଷ ୨୫୨ଟି ଅଧିକ ଦୁର୍ଘଟଣା ଘଟିଥିବା ବେଳେ ଶହେ ଜଣ ଅଧିକ ଲୋକଙ୍କର ଜୀବନ ଯାଇଛି।

ସମ୍ବନ୍ଧିତ ଖବର