ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଖାଡ଼ଖାଇ ନଦୀ କୂଳ ନିକଟରେ ପାତେପାଣିରେ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି |
ଆଜି ସକାଳେ ଖଡ଼ଖାଇ ନଦୀ ରାଣୀପାଳ ବାଲିଘାଟକୁ ବାଲି ଆଣିବା ପାଇଁ ଟ୍ରାକ୍ଟର (ଓଡି୧୧ଇ୨୫୦୪)ରେ ରାଇରଙ୍ଗପୁର ମହୁଲଡିହାର ଚାମରାଇ ସୋରେନ(୩୦) ଯାଇଥିଲେ | ଟ୍ରାକ୍ଟରଟି ଭାରସାମ୍ୟ ହରାଇବାରୁ ଇଞ୍ଜିନଟି ଓଲଟି ପଡ଼ିବାରୁ ଡ୍ରାଇଭରଜଣକ ଚାପି ହୋଇଯାଇଥିଲେ |
ଘଟଣାସ୍ଥଳରେ ଡ୍ରାଇଭର ଚାମରାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ମହିଳା ଶ୍ରମିକ ପୁରୁଣାପାଣିର ଆଝ ମାଝୀ (୪୭) ଓ ପାତେପାଣିର ଲିଲି ବେଶ୍ରା (୩୦) ଗୁରୁତର ଆହତ ହୋଇ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି | ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ରେଣୁବାଳା ସାହୁ ଦୁର୍ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରିଛନ୍ତି | ମୃତକଙ୍କ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଏସଡିଏଚକୁ ଅଣାଯାଇଛି |